ଉଠା ଦୋକାନୀରୁ କର୍ପୋରେଟର ପ୍ରାର୍ଥୀ; ଚର୍ଚ୍ଚାରେ କଟକର ୨୦ ନଂ ୱାର୍ଡର ପ୍ରଭାତ ବେହେରା

ସିଏମସିର ୨୦ ନମ୍ବର ୱାର୍ଡରୁ ବିଜେଡି ଟିକେଟ ପାଇ ନିର୍ବାଚନ ଲଢୁଥିବା ପ୍ରଭାତ ବେହେରା ହାଇ କୋର୍ଟ ଛକର ଫୁଟପାତ ଉପରେ ବସି ମଞ୍ଜି ବା ବିହନ ବିକ୍ରି କରନ୍ତି।

ଉଠା ଦୋକାନୀରୁ କର୍ପୋରେଟର ପ୍ରାର୍ଥୀ

ଉଠା ଦୋକାନୀରୁ କର୍ପୋରେଟର ପ୍ରାର୍ଥୀ

  • Share this:
News18 Odia Digital

କଟକ: କଟକ ମହାନଗର ନିଗମ ନିର୍ବାଚନରେ ବିଭିନ୍ନ ଦଳ ଅନେକ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛନ୍ତି। ସେହି ପ୍ରାର୍ଥୀମାନଙ୍କ ଭିତରେ ଏମିତି ବି କିଛି ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କୁ ନେଇ କେବଳ ସେମାନଙ୍କ ନିଜ ୱାର୍ଡ ନୁହେଁ ବରଂ ପୂରା ସହରରେ ଚର୍ଚ୍ଚା ହେଉଛି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଉଠା ଦେକାନୀରୁ କର୍ପୋରେଟର ପ୍ରାର୍ଥୀ ହୋଇଥିବା ପ୍ରଭାତ ବେହେରା।

ସିଏମସିର ୨୦ ନମ୍ବର ୱାର୍ଡରୁ ବିଜେଡି ଟିକେଟ ପାଇ ନିର୍ବାଚନ ଲଢୁଥିବା ପ୍ରଭାତ ବେହେରା ହାଇ କୋର୍ଟ ଛକର ଫୁଟପାତ ଉପରେ ବସି ମଞ୍ଜି ବା ବିହନ ବିକ୍ରି କରନ୍ତି। ଦୀର୍ଘ ବର୍ଷ ହେଲା ପ୍ରଭାତ ଏହି ବ୍ୟବସାୟ କରୁଥିବା ବେଳେ ସିଏମସି ନିର୍ବାଚନ ପ୍ରଭାତଙ୍କୁ ଏବେ ନୂଆ ପରିଚୟ ଦେଇଛି। ସେ ନିଜ ୱାର୍ଡର କର୍ପୋରଟର ପ୍ରାର୍ଥୀ ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ପକ୍ଷରୁ ଟିକେଟ ପାଇବା ପରେ ମଞ୍ଜି ବ୍ୟବସାୟ ଛାଡ଼ି ଏବେ ପ୍ରତ୍ୟକ୍ଷ ରାଜନୀତିକୁ ମୁହାଁଛନ୍ତି।

ମାତ୍ର ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢ଼ିଥିବା ୪୯ ବର୍ଷୀୟ ପ୍ରଭାତ ଅବିବାହିତ ଅଛନ୍ତି। ପୂର୍ବରୁ ଜନତା ଦଳ ସହିତ ରହିଥିବା ପ୍ରଭାତ ବିଜେଡି ଗଠନ ହେବା ପରେ ସେ ଦଳର ଏକ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ପ୍ରଭାତଙ୍କ ଶିକ୍ଷାଗତ ଯୋଗ୍ୟତା କମ୍ ଥିଲେ ମଧ୍ୟ ନିଜ ୱାର୍ଡ ତଥା ସହରର ରାଜନୀତିରେ ପ୍ରଭାତଙ୍କ ଭଲ ଦଖଲ ରହିଛି। ସେ ଜଣେ ମେଳାପି ବ୍ୟକ୍ତି ହୋଇଥିବାରୁ ୨୦ ନମ୍ବର ୱାର୍ଡରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ରହିଛି।

୨୦ ନମ୍ବର ୱାର୍ଡ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ କାର୍ଯ୍ୟ ଚାଲୁଥିବା ସମୟରେ ଦଳୀୟ ଟିକେଟ ପାଇଁ ୫ ଜଣ ପ୍ରାର୍ଥୀ ଆଶାୟୀ ଥିଲେ। କିନ୍ତୁ ସେମାନଙ୍କ ତାଲିକାରେ ପ୍ରଭାତଙ୍କ ନାଁ ହିଁ ନଥିଲା। ଏପରିକି ଅନେକ ପ୍ରାର୍ଥୀ ଟିକେଟ ପାଇବା ପାଇଁ ଜୋରଦାର ଲବି ମଧ୍ୟ କରିଥିଲେ। କିନ୍ତୁ ଶେଷ ସମୟରେ ପ୍ରଭାତଙ୍କୁ ଟିକେଟ ଦେଇ ଦଳ ସମସ୍ତଙ୍କୁ ଚିକିତ କରିଥିଲା। ତେବେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଟିକେଟ ଦେଇଥିବା କଥା ଦଳୀୟ ମହଲରୁ କୁହାଯାଇଛି।

ସେପଟେ ଦଳୀୟ ଟିକେଟ ପାଇବା ପରେ ପରେ ଲୋକ ସମ୍ପର୍କ ଆରମ୍ଭ କରି ଦେଇଥିବା ପ୍ରଭାତ ନାମାଙ୍କନ ପତ୍ର କାୟମ ରହିବା ପରେ ଏବେ ପ୍ରଚାର ମଇଦାନକୁ ଓହ୍ଳାଇଛନ୍ତି। ଦଳୀୟ କର୍ମୀ ଓ ସମର୍ଥକଙ୍କୁ ସାଥିରେ ଧରି ନିଜ ୱାର୍ଡର ସାହି ଗଳି ବୁଲି ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି।

"କର୍ପୋରେଟର ହୋଇ ଲୋକ ସେବା କରିବା ପାଇଁ ମୋ ମନରେ ବହୁତ ଦିନ ଧରି ସ୍ବପ୍ନ ଥିଲା।
ଶେଷରେ ସେହି ସ୍ବପ୍ନ ଏବେ ପୂରଣ ହେବାକୁ ଯାଉଛି। ଦଳ ମୋ ଉପରେ ଆସ୍ଥା ପ୍ରକଟ କରି ଲୋକଙ୍କ ସେବା କରିବା ପାଇଁ ମୋତେ ସୁଯୋଗ ଦେଇଥିବାରୁ ମୁଁ ଦଳ ନିକଟରେ କୃତଜ୍ଞ। ମୋର ବିଶ୍ବାସ ୱାର୍ଡଙ୍କ ସମର୍ଥନ ମୋ ପ୍ରତି ରହିବ," କହିଛନ୍ତି ପ୍ରଭାତ ବେହେରା।
Published by:Lipina Das
First published: