News18 Odia Digital
ଭୁବନେଶ୍ବର: ସତ୍ୟବାଦୀ ଆସନରୁ କଂଗ୍ରେସରୁ ତିନି ଥର ବିଧାୟକ। ପୂର୍ବତନ ମନ୍ତ୍ରୀ। ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପ୍ରସାଦ ହରିଚନ୍ଦନ ନିଜ ନିର୍ବାଚନ ମଣ୍ଡଳୀରେ ବିଶେଷ କରି ସତ୍ୟବାଦୀ ଓ କଣାସ ବ୍ଲକ ମୋଟ ଛଅଟି ଜୋନରେ ପ୍ରାର୍ଥୀ ଦେଇପାରିନଥିଲେ। ଯାହାକୁ ନେଇ କଂଗ୍ରେସର କିଛି ନେତା ପ୍ରସାଦକୁ ସମାଲୋଚନା କରିବା ସହ ତାଙ୍କ ପରିବା ପଣିଆ ଉପରେ ପ୍ରଶ୍ନ ଉଠିଥିଲା।
ସେନେଇ ଗୁରୁବାର ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମଳନୀରେ ମୁହଁ ଖୋଲିଥିଲେ ପ୍ରସାଦ ହରିଚନ୍ଦନ। ରୋଟାରୀ ଭବନରେ ସାମ୍ବାଦିକ ସମ୍ମିଳନୀ ନିଜ ପ୍ରତିକ୍ରିୟା ରଖିଥିଲେ। ଆଉ କହିଥିଲେ, "କିଛି ଖବର କାଗଜ ଓ ଚ୍ୟାନେଲରେ ମୋ ସମ୍ପର୍କରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ଦିଆଯାଇନି ବୋଲି ଖବର ପ୍ରକାଶ କରିଛନ୍ତି। ଖବରରେ ଆହୁରି ଉଲ୍ଲେଖ ଥିଲା ମୁଁ ବିଜେଡି ଯିବି ଓ ସତ୍ୟବାଦୀକୁ କଂଗ୍ରେସ ଶୂନ୍ୟ କରିଦେଲି। ମୋ ପ୍ରତିକ୍ରିୟା ହେଲା, ଟିକେଟ ଦେବା ଦାୟିତ୍ବ ପିସିସି ସଭାପତିଙ୍କର। ତିନି ବର୍ଷ ହେଲା ଦଳୀୟ କାର୍ଯ୍ୟକ୍ରମରେ ମୁଁ କୁଆଡ଼େ ଯୋଗ ଦେଉନି। ମୁଁ ଆଶା କରୁଥିଲି ଖବର ସମ୍ପର୍କରେ ପିସିସି ସ୍ପଷ୍ଟୀକରଣ ରଖିବ। କିନ୍ତୁ ରଖି ନାହାଁନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ମୁଁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲି। ପିସିସି ସଭାପତିଙ୍କ ଆଗ୍ରହ ଥିଲା ଯେ ମୁଁ ସତ୍ୟବାଦୀରୁ ଛିଡ଼ା ନ ହୁଏ। କିନ୍ତୁ ମୁଁ ପ୍ରଭାରୀଙ୍କୁ କହିଥିଲି ନିର୍ବାଚନ ଲଢ଼ିବିନି ବୋଲି। ଅତର୍କିତ ଭାବେ ମୋ ନାଁ ଘୋଷଣା କରାଗଲା। ଯାହାଦ୍ୱାରା ପରାସ୍ତ ହେଲି।’’
ସେ ଆହୁରି କହିଥିଲେ, ‘‘ଏବେ ପଞ୍ଚାୟତ ନିର୍ବାଚନ ଲାଗି ଜଣେ କଂଗ୍ରେସ ଭବନର ଜଣେ କର୍ମୀଙ୍କୁ ଟିକେଟ ଦେଇ ପଠେଇଲେ। ମୁଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବୁଝୁ ନଥିବାରୁ ମନା କଲି। ଦାୟିତ୍ବ ଦିଆଯାଏ ନହେଲେ ନିଆଯାଏ, କାହା ଉପରେ ଲଦି ଦିଆଯାଏନି। ଆମେ ସବୁବେଳେ ସେଠାରୁ ଜିତୁଥିଲୁ। ଏଥର କିନ୍ତୁ ଜିଲ୍ଲା ସଭାପତି କି ବ୍ଲକ ସଭାପତି ଦିଆଗଲାନି। ମୁଁ ରାଜନୀତି ଛାଡ଼ିନି। ଅଛି, ରହିବି। ଯେଉଁମାନେ ଅସ୍ତ୍ର ତ୍ୟାଗ କଥା କହୁଛନ୍ତି ତାହା ମୁଁ କରିନି। ମୋର ସେ ବୟସ ହୋଇନି ଯେ ପିତାମହ ଭିଷ୍ମଙ୍କ ଭଳି ଶ୍ରୀଖଣ୍ଡିଙ୍କୁ ଦେଖି ଅସ୍ତ୍ର ତ୍ୟାଗ କରିବି। କଂଗ୍ରେସ ଲୋକଙ୍କୁ ବ୍ୟୁହ ଭଳି ସଜେଇ ଦିଆଯାଇଛି। ମୋର ଖଣି ନାହିଁ କି ଅର୍ଥ ନାହିଁ। କୃଷକ ପରିବାରରୁ ଆସିଛି। କର୍ମୀମାନେ ତଳି ତଳାନ୍ତ। ନେତା ଏକଜୁଟ ହୋଇ ଲଢ଼ିବା କଥା। କିନ୍ତୁ ଏହା ନକରି ପଥ ରୋଧ କରାଯାଉଛି। ମୁଁ ଚ୍ୟାଲେଞ୍ଜ କରୁଛି, କେହି ପ୍ରମାଣ ଦିଅନ୍ତୁ ତ, ଯେ ମୋର ବିଜେଡି ନେତାଙ୍କ ସହ ସମ୍ପର୍କ ଅଛି ବୋଲି।’’
ଭାବ ବିହ୍ଵଳିତ ସ୍ୱରରେ ବର୍ଷିଥିଲେ ପ୍ରସାଦ। ପ୍ରେସ ମିଟରେ କାନ୍ଦି ପାଇଥିଲେ । ‘‘ଯେଉଁମାନେ ବେପାରରେ ଅଛନ୍ତି ସେମାନେ ଡିଲ କରିବେ। ମୋ ପାଖରେ ବହୁ ଦସ୍ତାବିଜ ଅଛି, ନିର୍ବାଚନ ପରେ ସେମାନଙ୍କ ଗୁମର ଖୋଲିବି। ମୁଁ ତିନି ବର୍ଷ ନୁହେଁ ୩୩ ବର୍ଷ ହେଲା ଘରୁ ବାହାରିନି। ଆଉ ମୋ ଘର ହେଉଛି କଂଗ୍ରେସ ଭବନ। ୨୦୦୨ରୁ ଚେଷ୍ଟା ହୋଇଛି ମତେ ଅନ୍ୟ ଦଳକୁ ନେବା ପାଇଁ,’’ କହିଥିଲେ ପ୍ରସାଦ ।
ଖାଲି ଏତିକି ନୁହେଁ ସେ ବଡ଼ ଘୋଷଣା କରି କହିଥିଲେ, "୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ କିନ୍ତୁ ରାଜନୀତିରେ ରହିବି।’’
ପ୍ରକାଶ ଥାଉକି ପରୋକ୍ଷରେ ପଟ୍ଟନାୟକ ପରିବାରକୁ ଟାର୍ଗେଟ କରିଥିଲେ ସେ। ସେପଟେ ଜ୍ବାଇଁ ପ୍ରସାଦଙ୍କ ସପକ୍ଷରେ ମତ ରଖିଥିଲେ ଶ୍ଵଶୁର ସୁର ରାଉତରାୟ । ଆଉ କହିଥିଲେ, "ପ୍ରସାଦ ଜଣେ ଗୁଣି ଜ୍ଞାନୀ ଲୋକ। ତାଙ୍କ ପାଖରେ ଧନ ନାହିଁ। କିନ୍ତୁ ତାଙ୍କ ପ୍ରତି ଠିକ୍ ହୋଇନାହିଁ। ସେ ସତ୍ୟବାଦୀର ନେତା। ତାଙ୍କୁ କାହିଁକି ପଚରା ଗଲାନି। ସେ ଯାହା ହେଉ ୨୦୨୪ରେ ଯେଉଁ ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି ତାଙ୍କୁ ଆମେ ପ୍ରାର୍ଥୀ କରିବୁ। ସତ୍ୟବାଦୀବାସୀ ଏକାଠି ହୋଇ ପ୍ରସାଦଙ୍କୁ ନେତା କରିବା ପାଇଁ ଆମେ ଲାଗିବୁ। ହେଲେ କଂଗ୍ରେସର ଏ ଯେଉଁ ସ୍ଥିତି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ହସ୍ତକ୍ଷେପ କରନ୍ତୁ। ଏକାଠି କରନ୍ତୁ ନେତାଙ୍କୁ।’’
ପ୍ରସାଦଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ମୁହଁ ଖୋଲିଛନ୍ତି କଂଗ୍ରେସ ସେବା ଦଳ ମୁଖ୍ୟ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର। ତାଙ୍କର କହିବା କଥା ହେଉଛି, "ନିରଞ୍ଜନ ବାବୁ ସବୁ ଲୋକଙ୍କୁ ନେଇ କାମ କରନ୍ତି। ପ୍ରସାଦ କେଉଁ ପରିସ୍ଥିତିରେ ଏଭଳି କହିଛନ୍ତି ଏହା ମଧ୍ୟକୁ ଯିବାକୁ ଚାହୁଁନାହିଁ। ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ଅଛି ଏଭଳି ସ୍ଥିତିରେ ପିସି କରିବା ଠିକ୍ ନୁହେଁ। ନିର୍ବାଚନ ପରିଚାଳନା କମିଟିର ସେ ସଦସ୍ୟ ତେଣୁ ଏ ନେଇ ସେ ଚେଲ୍ଲା କୁମାରଙ୍କ ସହ ଆଲୋଚନା କରିଥାନ୍ତେ।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।