ଜରୁରୀକାଳୀନ ସେବା ସହ ଥଟ୍ଟା ମଜା; ଆମ୍ବୁଲାନ୍ସ ସେବା ନାଁରେ ପ୍ରେମ ନିବେଦନ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଜରୁରୀକାଳୀନ ସେବା ୧୦୮କୁ କଲ କରି ଅଶ୍ଳୀଳ ଭାଷାରେ ଗାଳି କରୁଛନ୍ତି ଅସାମାଜିକ ବ୍ୟକ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱର ୧୦୮ କଲ ସେଣ୍ଟରରୁ । ଗତ କିଛିଦିନ ହେବ କିଛି ନମ୍ବରରୁ କଲ ସେଣ୍ଟରକୁ କଲ କରି କର୍ମଚାରୀଙ୍କୁ ଏଣୁ ତେଣୁ ଗାଳି କରିବା ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି ।
କଲ ସେଣ୍ଟର କତ୍ତୃପକ୍ଷଙ୍କ ଅଭିଯୋଗ ଅନୁସାରେ, କିଛି ବଦମାସ ଜାଣିଶୁଣି କଲ ସେଣ୍ଟରକୁ ଫୋନ କରୁଛନ୍ତି । ଆମ୍ବୁଲାନ୍ସ ସେବା ଆବଶ୍ୟକ ନାଁରେ କରୁଛନ୍ତି ଥଟାମଜା । କେତେବେଳେ ପ୍ରେମ ନିବେଦନ କରୁଛନ୍ତି , ଆଉ କେତେବେଳେ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରୁଛନ୍ତି । ପ୍ରତିଦିନ ଜରୁରୀକାଳୀନ ସେବା ୧୦୮ ଓ ୧୦୪କୁ ୬ଶହରୁ ୭ଶହ ଫେକ ଫୋନ କଲ ଆସୁଛି । ସେଥିମଧ୍ୟରୁ ପାଖାପାଖି ୩ଶହ ଫୋନ କଲରେ ଅଶ୍ଳୀଳ ଭାଷା ଓ ଏଣୁତେଣୁ କଥା କହି ସମୟ ନଷ୍ଟ କରିଥାନ୍ତି କିଛି ବ୍ୟକ୍ତି । ପ୍ରୋଜେକ୍ଟ ମୁଖ୍ୟ କହିଛନ୍ତି, ଏଭଳି କଲ ନୂଆ ନୁହେଁ, କୋଭିଡ ସମୟରେ ମଧ୍ୟ ଏଭଳି ଫୋନ ଆସିଥିଲା । ଏନେଇ ସହିଦନଗର ଥାନାରେ ଦୁଇଥର ଅଭିଯୋଗ କରାଯାଇଛି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହା ଫଳରେ ଏଭଳି ଫୋନ କଲ ସଂଖ୍ୟା ବୃଦ୍ଧି ପାଉଛି ।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରାୟ ୧୧୨୪ଟି ଆମ୍ବୁଲାନ୍ସ ଓ ୬ଟି ବୋଟ ଆମ୍ବୁଲାନ୍ସକୁ ଏହି କଣ୍ଟ୍ରୋଲ ରୁମରୁ ଅପରେଟ କରାଯାଉଛି । ପ୍ରତିଦିନ ହଜାର ହଜାର ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ହେଲେ ଏଭଳି କିଛି ଫୋନ କଲ ପାଇଁ କର୍ମଚାରୀଙ୍କ ମନୋବଳ ଭାଙ୍ଗି ଯାଉଥିବାରୁ, ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।