୧୧ ତମ ଓସିଏ ସଭାପତି ଭାବେ ନିଦ୍ୱନ୍ଦରେ ନିର୍ବାଚିତ ହେଲେ ପ୍ରଣବ ପ୍ରକାଶ ଦାସ

ନିର୍ଦ୍ବନ୍ଦରେ ଓସିଏର ସଭାପତି ହେଲେ ବିଜେଡିର ସାଙ୍ଗଠନିକ ମୁଖ୍ୟ ପ୍ରଣବ ପ୍ରକାଶ ଦାସ । ନାମାଙ୍କନ ଦାଖଲ ପାଇଁ ଗୋଟିଏ ଦିନ ରହିଥିବା ବେଳେ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି ।

ଓସିଏର ନବ ନିର୍ବାଚିତ ଟିମ

ଓସିଏର ନବ ନିର୍ବାଚିତ ଟିମ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ଓସିଏ ବା ଓଡ଼ିଶା କ୍ରିକେଟ ଆସେସିଏସନ ନିର୍ବାଚନକୁ ନେଇ ଯାହା ଆକଳନ କରାଯାଉଥିଲା ତାହା ହିଁ ହେଲା । ନିର୍ଦ୍ବନ୍ଦରେ ଓସିଏର ସଭାପତି ହେଲେ ବିଜେଡିର ସାଙ୍ଗଠନିକ ମୁଖ୍ୟ ପ୍ରଣବ ପ୍ରକାଶ ଦାସ । କେବଳ ପ୍ରଣବ ନୁହଁନ୍ତି ଆଶିର୍ବାଦ ବେହେରାଙ୍କ ପ୍ୟାନେଲ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତ ସଦସ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ସମ୍ପାଦକ ଭାବେ ସଞ୍ଜୟ ବେହେରା, ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ଯକ୍ଷ ଭାବେ ବିକାଶ ପ୍ରଧାନ, ସହ ସମ୍ପାଦକ ଭାବେ ପ୍ରଭାତ ଭୋଳ ଓ କାଉନସିଲ ମେମ୍ବର ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଏହି ୫ଟି ପଦ ପାଇଁ ଓସିଏର ଅନ୍ୟ କୌଣସି ସଦସ୍ୟ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଏହି ୫ଟି ପଦ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଏହି ୫ଜଣ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି ।

୫ଟି ପଦ ପାଇଁ ମୋଟ ଏହି ୫ଜଣ ସଦସ୍ୟ ହିଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯେହେତୁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ଆଜି ଗୋଟିଏ ଦିନ ପାଇଁ ଥିଲା। ତେଣୁ ନିର୍ଦ୍ଧାରିତ ସମୟ ସଂନ୍ଧ୍ୟା ୫ଟା ସୁଦ୍ଧା ଅନ୍ୟ କେହି ବି ଏହି ୫ଟି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ସେଥିପାଇଁ ନାମାଙ୍କନ ପତ୍ର ଦଖଲ କରିଥିବା ଏହି ୫ ସଦସ୍ୟ ନିର୍ବାଚିତ ହୋଇ ସାରିଛନ୍ତି । ଏବେ ଆଉ ଭୋଟ ଗ୍ରହଣ ବା ନିର୍ବାଚନ ହେବାର ଆବଶ୍ୟକତା ନାହିଁ। କିନ୍ତୁ ଅଧିକୃତ ଭାବେ ଆସନ୍ତା ୨୮ ତାରିଖ ଅର୍ଥାତ ନିର୍ବାଚନ ତାରିଖ ଦିନ ଏହି ସଦସ୍ୟଙ୍କୁ ବିଜୟୀ ଘୋଷଣା କରାଯିବ କହିଛନ୍ତି ଓସିଏର ନିର୍ବାଚନ ଅଧିକାରୀ ଏମ.ଏଲ ମଜୁମଦାର ।

"ମୁଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ସହ ଓଡ଼ିଶାରେ କ୍ରିକେଟକୁ ଆଉ ଏକ ସ୍ତରକୁ ନେବି। ଖୁବ ଶୀଘ୍ର ଏକ ନୂଆ ରୂପରେ ବାରବାଟୀକୁ  ଆପଣ ଦେଖିବେ। ମୁଖ୍ୟମନ୍ତ୍ରୀଙ୍କ କାମ ହିଁ କଥା କହେ। ଅନ୍ୟ କ୍ରୀଡ଼ା ଭଳି ରାଜ୍ୟରେ କ୍ରିକେଟର ବିକାଶ ମଧ୍ୟ ଦ୍ରୁତ ଗତିରେ ହେବ," କହିଛନ୍ତି ଓସିଏର ନବ ନିର୍ବାଚିତ ସଭାପତି ପ୍ରଣବ ପ୍ରକାଶ ଦାସ ।

"ଆଜି ନାମାଙ୍କନ ଦାଖଲ କରିଥିବା ସଦସ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହୋଇଛନ୍ତି। ଏହା ଦ୍ୱାରା ଓଡ଼ିଶା କ୍ରିକେଟ ଆସୋସିଏନ ବିସିସିଆଇ ସାମନାରେ ମଧ୍ୟ ଏକ ଉତ୍ତମ ଉଦାହରଣ ସୃଷ୍ଟି କରି ପାରିଛି। ଯେଉଁ ୬ ଜଣ ପ୍ୟାନେଲରେ ରହି ବିଜୟୀ ହୋଇଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ ଓସିଏର ସମସ୍ତ ୭୩ ଜଣ ସଦସ୍ୟଙ୍କୁ ସାଥିରେ ନେଇ ଓଡ଼ିଶାରେ କ୍ରିକେଟର ପ୍ରସାର କରିବେ," କହିଛନ୍ତି ଓସିଏର ବରିଷ୍ଠ କର୍ମକର୍ତ୍ତା ଆର୍ଶୀବାଦ ବେହେରା।
Published by:Soumya Das
First published: