News18 Odia Digital
ଭୁବନେଶ୍ବର: ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ମୁହାଁମୁହିଁ ହୋଇଥିଲେ ଶାସକ ଦଳ ଓ ବିରୋଧୀ ଦଳ। ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ସମାନ କାମକୁ ସମାନ ଦରମା ନୀତିର ଖୋଲା ଉଲଂଘନ। ଲକ୍ଷ ଲକ୍ଷ ଠିକା ନିଯୁକ୍ତି ନିୟମିତ ଘୋଷଣା ଏକ ପ୍ରହସନ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଛି।
ମୁଲତବୀ ଉତ୍ତରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ ବିଜେଡି ସରକାରକୁ ଆସିବା ସମୟରେ ରାଜ୍ୟର ସ୍ଥିତି ଭଲ ନଥିଲା। ମହାବାତ୍ୟା ଯୋଗୁଁ ରାଜ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ମୌଳିକ ଆବଶ୍ୟକତା ମେଣ୍ଟାଇବାକୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ଯେଉଁଥି ପାଇଁ ୨୦୧୩ରୁ ରାଜ୍ୟରେ ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଏବେ ଚୁକ୍ତି ପ୍ରଥାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ କରି ୫୭ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ରେଗୁଲାର କରିଛନ୍ତି। ଆଇନ ଭିତରେ ରହି ସରକାର ଏହି ପଦକ୍ଷେପ ନେଇଥିବା କହିଛନ୍ତି ମନ୍ତ୍ରୀ।
ମନ୍ତ୍ରୀଙ୍କ ଉତ୍ତରକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ମୁଲତବୀ ପ୍ରସ୍ତାବ ଉପରେ ସମାନ କାମକୁ ସମାନ ଦରମା ବାସ୍ତବକୁ ନେଇ ସରକାରଙ୍କୁ ଘେରିଥିଲା କଂଗ୍ରେସ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, "ଠିକା କର୍ମଚାରୀଙ୍କୁ ରାଜ୍ୟରୁ ଉଚ୍ଛେଦ ନେଇ ସରକାର କହିଛନ୍ତି। ବାସ୍ତବ କ୍ଷେତ୍ରରେ ଅଙ୍ଗନୱାଡ଼ି ,ଆଶାକର୍ମୀ ଓ ଗାଁସାଥୀ ବିଭିନ୍ନ ବିଭାଗରେ ଏବେବି ରାଜ୍ୟରେ ଠିକା ନିଯୁକ୍ତିରେ ଅଛନ୍ତି। ଆଉଟ୍ ସୋର୍ସିଂରେ କାର୍ଯ୍ୟରତ କର୍ମଚାରୀଙ୍କ ଭବିଷ୍ୟତ ନଷ୍ଟ ହୋଇପଡ଼ିଛି। ତାଙ୍କ ଭବିଷ୍ୟତଙ୍କୁ ବଞ୍ଚାଇବା ପାଇଁ ଆମେ ସରକାରଙ୍କୁ ନିବେଦନ କରୁଛୁ ଠିକା ପ୍ରଥା ଉଚ୍ଛେଦ ଯଥା ଶୀଘ୍ର କରନ୍ତୁ। ଦୀର୍ଘ ୨୫ ବର୍ଷ ହେବ ବିଭିନ୍ନ ବିଭାଗରେ ଠିକା ଭାବେ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଅବିଳମ୍ବେ ସ୍ଥାୟୀ ନିଯୁକ୍ତି କରାଯାଉ।’’
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଥିଲେ, "ଅକ୍ଟୋବର ମାସରେରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଏଣିକି ଠିକା କର୍ମଚାରୀ ନିଯୁକ୍ତିର ଯୁଗ ଶେଷ ହେଲା ଏବଂ ସମସ୍ତ ଠିକା କର୍ମଚାରୀଙ୍କୁ ନିୟମିତ କରାଯିବ। ସେପଟେ ୨୦୧୩ରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ଗ୍ୟାଜେଟ ନୋଟିଫିକେସନ ବାହାରି ଥିଲା। ଏଥିରେ ସରକାର କ୍ୟାଟେଗୋରୀ ୧ ଏବଂ କ୍ୟାଟେଗୋରୀ ୨ କରିଛନ୍ତି। ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଏବଂ ଓଡ଼ିଶା ସବୋଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ ଜରିଆରେ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ରେଗୁଲାର କରାଗଲା। କିନ୍ତୁ କ୍ୟାଟେଗୋରୀ ୨ ଅନୁସାରେ ଆଉଟସୋର୍ସିଂ ଏବଂ ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସଂଖ୍ୟା ବିଭିନ୍ନ ବିଭାଗକୁ ମିଶାଇଲେ ୭୦ ହାଜରରୁ କମ୍ ହେବ ନାହିଁ। ସେମାନେ ସରକାରଙ୍କ ବିରୋଧରେ ଯାଇଥିଲେ କି ନା କୌଣସି ପାପ କରିଥିଲେ ଯେ ସେମାନଙ୍କୁ ସରକାରୀ ନିଯୁକ୍ତିରେ ସାମିଲ କରାଗଲା ନାହିଁ।’’
ସେମାନେ ଆଜି ମଧ୍ୟ ୯,୬୮୫ ଟଙ୍କା ମାସିକ ଦରମା ପାଉଛନ୍ତି। ଯେଉଁମାନେ ୨୦୦୧, ୨୦୦୫ ଓ ୨୦୧୦ ମସିହା ବେଳକୁ ସରକାରଙ୍କ ପାଇଁ କାମ କରୁଥିଲେ। ସେମାନେ ସେତେବେଳେ ଯାହା ଦରମା ପାଉଥିଲେ, ଆଜି ଯିଏ ନୂଆ ନିଯୁକ୍ତ ହେଉଛନ୍ତି ସେତିକି ଟଙ୍କା ପାଇବ। ତେଣୁ ସମାନ କାମକୁ ସମାନ ଦରମା ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେପି। ସରକାର ଏହାକୁ ବିଚାରକୁ ନେଇ ନାହାଁନ୍ତି।
ମନ୍ତ୍ରୀ କହୁଛନ୍ତି ଯେ ଆମେ ସବୁ କରିଦେଇଛୁ। ଯଦି ଠିକା ପ୍ରଥା ଉଚ୍ଛେଦ ହେଲା, ତେବେ ଆଜି ଲୋୟର ପିଏମଜିରେ ବିଭିନ୍ନ ବିଭାଗର ଠିକା ଓ ଆଉଟସୋର୍ସିଂ କର୍ମଚାରୀ କାହିଁକି ଆନ୍ଦୋଳନ କରୁଛନ୍ତି ବୋଲି ମୋହନ ମାଝି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ ଚୁକ୍ତିଭିତିକ ଚାକିରି ବିରୋଧରେ ବିଜେପି ଅନେକ କଥା କହୁଛି କିନ୍ତୁ ଆର୍ମିଙ୍କୁ ଚାରି ବର୍ଷ ଚୁକ୍ତିରେ କେଉଁଠି ରଖାଯାଏ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ରାଜ୍ୟ ସରକାର ଆଶା କର୍ମୀଙ୍କ ଦରମା ବି ବଢ଼ାଇଛି। ହେଲେ ସତ ଶୁଣିବାକୁ ବିରୋଧୀଙ୍କ ଧୌର୍ଯ୍ୟ ନାହିଁ ବୋଲି କଟାକ୍ଷ କଲେ ପ୍ରମିଳା। ମାନ୍ଦାବସ୍ଥାରୁ ଓଡ଼ିଶାକୁ ଉଦ୍ଧାର କରିଛନ୍ତି ମୁଖ୍ୟ ନବୀନ ପଟ୍ଟନାୟକ। ବାହାର ରାଜ୍ୟରେ ଓଡ଼ିଶା ତୁଳନାରେ ଅଧିକ ଆଉଟ୍ ସୋରସିଂ କର୍ମଚାରୀ କାମ କରୁଛନ୍ତି। ଓଡ଼ିଶାରେ ନିୟମିତ ଚାକିରି କରିବାକୁ ବିଭିନ୍ନ ଦିଗକୁ ଦେଖି ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।