News18 Odia Digital
ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଗଠନ ହେଲା ପ୍ରଦୀପ ସେନା । ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ଏହି ପ୍ରଦୀପ ସେନା ଗଠିତ ହୋଇଛି । ଲୋକଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ସହିତ ଲୋକଙ୍କ ସମସ୍ୟାର ସମାଧାନ କରିବ ଏହି ସେନାର ଲକ୍ଷ୍ୟ।
ପଞ୍ଚାୟତର ଗାଁ ଗାଁରେ ରହିଥିବା ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମର୍ଥକଙ୍କୁ ନେଇ ଏହି ପ୍ରଦୀପ ସେନା ଗଠିତ ହୋଇଛି । ଏହାସହିତ ଲୋକଙ୍କ ସୁଖଦୁଃଖରେ ଭାଗିଦାର ହେବା ସହିତ ଗାଁ ଓ ପଞ୍ଚାୟତର ଉନ୍ନତି ଦିଗରେ କାମ କରିବ । ଏହି ସେନା ହିଁ ଗଣତନ୍ତ୍ରର ରକ୍ଷା ଦିଗରେ କାମ କରିବ ଓ ସମାଜରେ ହେଉଥିବା ଦୁର୍ନୀତିକୁ ରୋକିବାରେ ସଫଳ ହୋଇପାରିବ ବୋଲି କହିଛନ୍ତି ନିଜେ ପ୍ରଦୀପ ପାଣିଗ୍ରାହୀ।
‘‘ଲୋକଙ୍କ ନିକଟରେ କିଭଳି ଭାବେ ସମସ୍ତ ପ୍ରକାରର ଯୋଜନାରେ ପହଞ୍ଚିପାରିବ ତାହା ହେଉଛି ପ୍ରଦୀପ ସେନାର ମୂଳ କର୍ତ୍ତବ୍ୟ। ଏହାସହିତ ଯେଉଁଭଳି ଭାବେ ମିଛ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଠକେଇ ଅଭିଯୋଗରେ ଫସାଇ ଦିଆଗଲା ସେହି ମିଛ ଅଭିଯୋଗକୁ କିଭଳି ଭାବେ ଲୋକଙ୍କ ମନରୁ ଲିଭାଯାଇପାରିବ ସେହି ଉଦେଶ୍ୟରେ ଏହି ପ୍ରଦୀପ ସେନା କରାଯାଇଛି," ସୂଚନା ଦେଇଛନ୍ତି,‘‘ ପ୍ରଦୀପ ସେନାର ସଭାପତି ଗଙ୍ଗାଧର ପାତ୍ର ।
‘‘ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଅରାଜକତା ବୃଦ୍ଧି ପାଇଛି । ଗତ ତିନି ବର୍ଷ ହେଲା ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ହୋଇପାରିନାହିଁ । ମୁଖ୍ୟମନ୍ତ୍ରୀ ଓ ଜଣେ ପ୍ରଶାସନିକ ଅଧିକାରୀ ଏହି ନିର୍ବାଚନ ମଣ୍ଡଳୀ ବୁଝୁଛନ୍ତି ବୋଲି ଡ଼ିଣ୍ଡିମ ପିଟୁଥିଲେ ସୁଦ୍ଧା ବର୍ତ୍ତମାନ ମଧ୍ୟ ଅନେକ ଲୋକେ ସରକାରୀ ସୁବିଧାର ବଞ୍ଚିତ ଅଛନ୍ତି । ତେଣୁ ଏହି ସେନା ଗଠନ ହୋଇଛି ଓ ଏହି ସେନା ମାଧ୍ୟମରେ ଲୋକେ ସମସ୍ତ ପ୍ରକାରର ସୁବିଧା ପାଇବା ସହିତ ଗଣତନ୍ତ୍ର ରକ୍ଷା ହୋଇପାରିବ,‘‘ କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
ସେପଟେ ଗଣତନ୍ତ୍ରର ନୀତି ବ୍ୟକ୍ତିକେନ୍ଦ୍ରିକ ନୁହଁ। ବ୍ୟକ୍ତିକେନ୍ଦ୍ରିକ ହେଉଛି ଏକ ହିଟଲର ଶାସନ। ନିଜେ ଦଳରେ ରହିଥିବା ସମୟରେ ଲୋକଙ୍କ ପାଖରେ କୌଣସି ସୁବିଧା ପହଞ୍ଚାଇ ପାରିଲେ ନାହିଁ ବର୍ତ୍ତମାନ କହୁଛନ୍ତି ପ୍ରଦୀପ ସେନା ଗଠନ କରି ସୁବିଧା ସୁଯୋଗ ପହଞ୍ଚାଇବି । ତେଣୁ ଏହା ହାସ୍ୟାସ୍ପଦ ଓ ଲୋକଙ୍କୁ ଲୁଟିବାର ନୂଆ ଉପାୟ ବୋଲି କହିଛନ୍ତି ବିଜେଡ଼ି ଜିଲ୍ଲା ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ।
ଗୋପାଳପୁର ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରୁଥିବା ବେଳେ ତାଙ୍କ ସମର୍ଥକ ମାନଙ୍କ ଦ୍ବାରା ଗଠିତ ହୋଇଥିବା ପ୍ରଦୀପ ସେନା ମଧ୍ୟ ଗାଁ ଗାଁରେ ଗଠିତ ହୋଇ ପ୍ରଦୀପଙ୍କୁ ଆହୁରି ଚର୍ଚ୍ଚାକୁ ଆଣୁଛି । ତେବେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବାସିନ୍ଦା ଏହି ପ୍ରଦୀପ ସେନା ଦ୍ବାରା କେତେ ଉପକୃତ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।