ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»‘‘ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ’’: ଓଡ଼ିଶା ରାଜନୀତିର ସେହି ‘ଟାଣୁଆ ନେତା’

‘‘ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ’’: ଓଡ଼ିଶା ରାଜନୀତିର ସେହି ‘ଟାଣୁଆ ନେତା’

ଦଳୀୟ ରାଜନୀତିର ଜଟିଳ ମଇଦାନ ହେଉ ବା ନିତିଦିନିଆ ଜୀବନ, ସବୁଠି ପ୍ରଦୀପ ମହାରଥୀ ଛାଡ଼ିଥିଲେ ନିଜ ନିର୍ଭୀକ ବ୍ୟକ୍ତିତ୍ବର ନିଆରା ଛାପ । ସେ କିଛି କହିବା ଆରମ୍ଭ କରିବା ମାତ୍ରକେ ଅନ୍ୟ ସବୁ ସ୍ୱର ନିରବ ହୋଇ ପଡୁଥିଲା ।

‘‘ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ’’: ଓଡ଼ିଶା ରାଜନୀତିର ସେହି ‘ଟାଣୁଆ ନେତା’
ପ୍ରଦୀପ ମହାରଥୀ; (ଡାହାଣ) ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର
  • News18 Odia
  • Last Updated: October 4, 2020, 9:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହେବାର ପାଖାପାଖି ୧୫ ଦିନ ପରେ କରୋନା-ଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ହଠାତ୍‌ ପ୍ରାଣ ହରାଇଥିବା ବିଜେଡି ନେତା ପ୍ରଦୀପ ମହାରଥୀଙ୍କୁ ଝୁରୁଛି ତାଙ୍କ ନିର୍ବାଚନ ମଣ୍ଡଳୀ ପିପିଲି ସମେତ ସାରା ରାଜ୍ୟ । ସମସ୍ତେ ମନେପକାଉଛନ୍ତି ସାତ ଥର ବିଧାୟକ ଥିବା ମହାରଥୀଙ୍କ ସେହି ନାଟକୀୟ ବାକ୍ୟ ‘‘ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ’’ ଓ ’’ହାରି ନାହିଁ ମହାରଥୀ, ସରିନାହିଁ ରାଜନୀତି’’ ।

ପଞ୍ଚ ତତ୍ତ୍ୱରେ ଲୀନ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଖୁବ୍‌ ସ୍ପଷ୍ଟବାଦୀ ଓ ନିର୍ଭୀକ ଥିଲେ । ନିଜ ନିଆରା ଅନ୍ଦାଜ କାରଣରୁ ସବୁଠି ଏକ ପରିଚିତ ଚେହେରା ଥିଲେ ଏହି ଜନନେତା । ଦଳୀୟ ରାଜନୀତିର ଜଟିଳ ମଇଦାନ ହେଉ ବା ନିଜ ନିତିଦିନିଆ ଜୀବନ, ସବୁଠି ପ୍ରଦୀପ ମହାରଥୀ ଛାଡ଼ିଥିଲେ ନିଜ ବ୍ୟକ୍ତିତ୍ବର ନିଆରା ଛାପ । ସେ କିଛି କହିବା ଆରମ୍ଭ କରିବା ମାତ୍ରକେ ଅନ୍ୟ ସବୁ ସ୍ୱର ନିରବ ହୋଇ ପଡୁଥିଲା ।

ରାଜନୈତିକ ସଭାରେ ଲୋକେ ପ୍ରଥମେ ମହାରଥୀଙ୍କୁ ଶୁଣିବାକୁ ଆଗ୍ରହୀ ହେଉଥିଲେ । ତାଙ୍କ କଥାରେ ବାକ ଚାତୁରୀ ନଥିଲା, ବରଂ ଥିଲା ସାଧାସିଧା ଓ ଖୋଲା ମଣିଷପଣିଆ । ସ୍ଥାନ, କାଳ ଓ ପାତ୍ର ନିର୍ବିଶେଷରେ ସବୁଠି ମନଖୋଲି ସେ ନିଜ ମତ ରଖୁଥିଲେ, ଆଉ ଅନେକ ସମୟରେ ବିତର୍କର ବିଷୟବସ୍ତୁ ହେଇପଡ଼ୁଥିଲେ ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସହ ପ୍ରଦୀପ ମହାରଥୀ


ମହାରଥୀଙ୍କୁ ଖୁବ୍‌ ପାଖରୁ ଜାଣିଥିବା ଲୋକଙ୍କ ମତରେ ତାଙ୍କ ଭିତରେ ଭରପୂର ଥିଲା ମଣିଷପଣିଆ । ନିଜ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଲୋକ ହୁଅନ୍ତୁ ବା ବାହାରର ଲୋକ ହୁଅନ୍ତୁ, ସମସ୍ତଙ୍କ ସୁବିଧା ଅସୁବିଧାକୁ ସେ ଆଗ୍ରହର ସହିତ ଶୁଣୁଥିଲେ । ମଝିରେ ମଝିରେ ସେମାନଙ୍କୁ ପଚାରି ବି ବୁଝୁଥିଲେ ଯେ କାମ ହେଲା କି ନାହିଁ ।

‘‘ହୁଏତ ପ୍ରଥମ ଦେଖାରେ ପ୍ରଦୀପ ମହାରଥୀଙ୍କୁ ଲୋକେ ଜଣେ ରାଗୀ ଓ ବଦମିଜାଜ ନେତା ବୋଲି ଭାବିଥାଇ ପାରନ୍ତି । ତାଙ୍କ ବଡ଼ ବଡ଼ ଆଖିର ଅପଲକ ଚାହାଣୀ ଓ ବଡ଼ ପାଟିରେ କଥା ହେବାର ଅଭ୍ୟାସ ଏଭଳି ଧାରଣା ଆଣିଥାଇପାରେ । ହେଲେ ବାସ୍ତବରେ ସେ ଖୁବ୍‌ ନରମ ହୃଦୟର ମଣିଷ ଥିଲେ । ଖୋଲା ହୃଦୟରେ ସେ ସମସ୍ତଙ୍କୁ ଭଲ ପାଉଥିଲେ। ସେ କହୁଥିଲେ ‘ଆଗ ମାଟି, ପରେ ପାର୍ଟି’,’’ କହିଛନ୍ତି ପ୍ରଦୀପ ମହାରଥୀଙ୍କୁ ନିକଟରୁ ଜାଣିଥିବା ଦୀପକ ସାହୁ ।

ମହାରଥୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟ୍ୱିଟ୍‌ କରିଛନ୍ତି: ‘‘ଶହେ ଘୋଡ଼ାକୁ ଶହେ ହାତୀ.... ଏକା ଲଢ଼ିବ ମହାରଥୀ ।  ଆଜି ମୋ’ ସାଙ୍ଗ ହାରିଗଲା ଆଉ ମୋତେ ଛାଡ଼ି ଚାଲିଗଲା। ୧୯୭୧ ମସିହାର ଛାତ୍ର ଆନ୍ଦୋଳନରୁ ଆରମ୍ଭ କରି ୧୯୯୦ ମସିହାରେ ଆମେ ଏକାଠି ବିଧାୟକ ହୋଇଛୁ । ନବୀନ ବାବୁଙ୍କ ନେତୃତ୍ଵରେ ଏକାଠି ଗୋଟିଏ ଦଳରେ ଗୋଟିଏ ପରିବାରର  ସଦସ୍ୟଭାବେ ଚଳି ଆସିଛୁ । ବିଧାନ ସଭାରେ ସବୁ ଠାରୁ ହସଖୁସି ଓ ମଜାଳିଆ ଲୋକଙ୍କ ଭିତରୁ ସେ ଥିଲା ଜଣେ । ଆମେ ପରସ୍ପରକୁ ସାଙ୍ଗ ବୋଲି ସମ୍ବୋଧନ କରିଥାଉ । ସେ ମାଟିର ମଣିଷ  ଥିଲା, ସବୁ କଥାରେ ସ୍ପଷ୍ଟବାଦି ଲୋକ ମଧ୍ୟ ଥିଲା ।’’

ପୁରୀ ସ୍ୱର୍ଗଦ୍ୱାରରେ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ହଜାର ହଜାର ଲୋକ ଯୋଗ ଦେଇଥିଲେ ।


ମହାରଥୀଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ଏମିତି ଶହ ଶହ ଟ୍ୱିଟ ଓ ସମବେଦନା ଆସିଛି ସାମାଜିକ ଗଣ ମାଧ୍ୟମରେ । ସେଥିରୁ ଜଣା ପଡ଼ୁଛି ଯେ ନିଜ ବିତର୍କିତ ଭାବମୂର୍ତ୍ତି ସତ୍ତ୍ୱେ ମହାରଥୀ ଖୁବ୍‌ ଲୋକପ୍ରିୟ ନେତା ଥିଲେ ।

‘‘ଯେମିତି କପିଳ ଦେବ କ୍ରିକେଟ ପଡ଼ିଆକୁ ଆସିଲେ ପଡ଼ିଆରେ ଏକ ଚମକ ଆସିଯାଏ, ସେମିତି ହେଉଥିଲା ପ୍ପରଦୀପ ମହାରଥୀ ପହଞ୍ଚିଗଲେ… ସେ ବିଜୁ ପଟ୍ଟନାୟକଙ୍କର ଖୁବ୍‌ ଘନିଷ୍ଠ ଥିଲେ…’’ କହିଛନ୍ତି ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସନ୍ନ ମିଶ୍ର ।

ଏହା ବି ପଢ଼ନ୍ତୁ | ପତି ମାରପିଟ୍ କଲେ, ହେଲେ ପୂନମ୍ ପାଣ୍ଡେ ତାଙ୍କୁ କ୍ଷମା କଲେ; କିସ୍ କରି କହିଲେ: ‘ତୁମକୁ ଛାଡ଼ି ପାରିବିନି’

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ତାଙ୍କ ବିୟୋଗ ପରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ‘‘ରାଜ୍ୟ ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି । ସେ ଜଣେ ସ୍ପଷ୍ଟବାଦୀ ଓ ନିର୍ଭୀକ ନେତା ଥିଲେ । ସ୍ବର୍ଗତଃ ମହାରଥୀ ବାବୁଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଉଛି ।’’



‘‘ମହାରଥୀଙ୍କ ଅମାୟିକ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲା। ସ୍ପଷ୍ଟବାଦୀ ଥିଲେ, ଆଉ ସର୍ବଦା ଖୁସି ମିଜାଜର ଲୋକ ଥିଲେ । ବିଧାନ ସଭା ଗୃହ ଭିତରେ ହେଉ ବା ବାହାରେ ସମସ୍ତଙ୍କ ସହିତ ମନଖୋଲି ସେ ମିଶୁଥିଲେ। ତାଙ୍କର ଅବର୍ତ୍ତମାନରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ ଶୂନ୍ୟ ସ୍ଥାନ,’’ କହିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ।
Published by: Anand Shankar Thankur Das
First published: October 4, 2020, 9:16 PM IST