ରାଜନୀତିର ‘ମହାରଥୀ’: ମନ୍ତ୍ରୀ ପଦ, ବାଦ-ବିବାଦ ଓ ଉତ୍ଥାନ-ପତନ ସତ୍ତ୍ୱେ ଖୁସି ମିଜାଜର ନେତା

ବିଧାନ ସଭାରେ ଆଉ ଦେଖିବାକୁ ମିଳିବନି ପ୍ରଦୀପ ମହାରଥୀଙ୍କ ନିଆରା ଶୈଳୀ । ତାଙ୍କ ତୁଣ୍ଡରୁ ଆଉ ଶୁଣିବାକୁ ମିଳିବନି ଯାତ୍ରା ଡାଇଲଗ୍ ଭଳି ଉପସ୍ଥାପନା । ପିପିଲି ଗଣଦୁଷ୍କର୍ମ ମାମଲା ଯୋଗୁଁ ଦୁଇ ଥର ମନ୍ତ୍ରୀ ପଦ ହରାଇଥିଲେ ମହାରଥୀ ।

ରାଜନୀତିର ‘ମହାରଥୀ’: ମନ୍ତ୍ରୀ ପଦ, ବାଦ-ବିବାଦ ଓ ଉତ୍ଥାନ-ପତନ ସତ୍ତ୍ୱେ ଖୁସି ମିଜାଜର ନେତା
ଏକ କାର୍ଯ୍ୟକ୍ରମରେ ଦୁଇ ଜଣ ଶିଶୁଙ୍କୁ କୋଳରେ ଧରିଛନ୍ତି ପ୍ରଦୀପ ମହାରଥୀ ।
  • News18 Odia
  • Last Updated: October 4, 2020, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାତ ଥର ବିଧାୟକ ରହିଥିବା ଓ ରାଜ୍ୟରେ ମନ୍ତ୍ରୀ ପଦ ସମ୍ଭାଳିଥିବା ପ୍ରଦୀପ ମହାରଥୀ ଶୋଇଯାଇଛନ୍ତି ମହାନିଦ୍ରାରେ । ତାଙ୍କ ବିୟୋଗରେ ଏବେ ସବୁଠି ଶୋକର ଛାୟା । ପିପିଲି ନିର୍ବାଚନ ମଣ୍ଡଳୀ ନିଜ ନିର୍ବାଚିତ ମୁରବୀଙ୍କୁ ହରାଇଥିବା ବେଳେ ରାଜ୍ୟ ବିଧାନ ସଭା ତା’ର ସୌନ୍ଦର୍ଯ୍ୟ ହରାଇଛି । ଏହି ଅତୁଳନୀୟ ନେତାଙ୍କ ରାଜନୈତିକ ଜୀବନରେ ଆସିଥିଲା ଅନେକ ଝଡ଼ଝଞ୍ଜା, ଆଉ ସେ ନିଜ ସଦା ସୁଖୀ ଓ ଦମଦାର୍‌ ମିଜାଜ ବଳରେ ତାକୁ ସାମନା କରିଥିଲେ ।

୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଖୋରାପଡ଼ା ଗାଁରେ ଜନ୍ମିତ ପ୍ରଦୀପ ମହାରଥୀ ରାଜ୍ୟ ରାଜନୀତିରେ ଛାଡ଼ିଯାଇଛନ୍ତି ଏକ ସ୍ୱତନ୍ତ୍ର ଛାପ । ଛାତ୍ର ଜୀବନରୁ ରାଜନୀତି ପ୍ରତି ତାଙ୍କର ଥିଲା ବିଶେଷ ଆଗ୍ରହ । ୧୯୮୫ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ବି ସେ ଅନେକ ଦିନ ପୂର୍ବରୁ ପ୍ରବେଶ କରିଥିଲେ ରାଜନୀତିରେ । ୧୯୭୭ ମସିହାରେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ରସଂସଦ ସଭାପତି ଭାବେ ସେ ରାଜନୀତିରେ ପ୍ରବେଶ କରିଥିଲେ।

୧୯୮୫ରେ ଜନତା ଦଳର ଟିକେଟରେ ଜିତି ପ୍ରଥମ ଥର ପାଇଁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ୧୯୯୫ ମଧ୍ୟରେ ଦୁଇ ଦୁଇ ଥର ଜନତା ଦଳ ଟିକେଟରୁ ଜିତିବା ପରେ ୧୯୯୫ରେ ପରାଜିତ ହୋଇଥିଲେ । ୨୦୦୦ ପର ଠୁ ବିଜୁ ଜନତା ଦଳ ପକ୍ଷରୁ ଲଗାତାର ପିପିଲି ବିଧାନ ସଭା କ୍ଷେତ୍ରରୁ ପାଞ୍ଚ ଥର ନିର୍ବାଚିତ ହୋଇଥିଲେ । ଏହି ସମୟ ମଧ୍ୟରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ସରକାରୀ ଦଳର ମୁଖ୍ୟ ସଚେତକ ରହିଥିଲେ ।

ଏକ ବିଶାଳ ଶୋଭାଯାତ୍ରାରେ ପୁରୀ ନିଆଯାଇଥିଲା ମହାରଥୀଙ୍କ ମରଶରୀର ।


ମହାରଥୀ ୨୦୧୧ ମେ’ ମାସରୁ ୨୦୧୨ ଜାନୁୟାରୀ ପର୍ଯ୍ୟନ୍ତ ଆଠ ମାସ ପାଇଁ କୃଷି ମନ୍ତ୍ରୀ ହୋଇଥିଲେ । ତାଙ୍କର ଏହି ମନ୍ତ୍ରୀତ୍ୱ କାଳରେ ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଘଟଣାରେ ତାଙ୍କର ସହଯୋଗୀମାନଙ୍କ ସମ୍ପୃକ୍ତି ଯୋଗୁଁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଯାଇଥିଲା । ପୁଣି ୧୦୧୪ ମେ ମାସରେ ସେ ମନ୍ତ୍ରିମଣ୍ଡଳକୁ ଫେରି ନବୀନଙ୍କ ଚତୁର୍ଥ ପାଳି ସରକାରରେ କୃଷି ମନ୍ତ୍ରୀ ହୋଇଥିଲେ । ୨୦୧୪ ମେ’ରୁ ୨୦୧୭ ମେ’ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ ରହିଥିଲେ ସେ ।

୨୦୧୭ ମେ’ରୁ ୨୦୧୯ ଜାନୁଆରୀ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ସହ ୨୦୧୭ ଡିସେମ୍ବରରୁ ୨୦୧୯ ଜାନୁଆରୀ ପର୍ଯ୍ୟନ୍ତ କୃଷି ଓ ମତ୍ସ୍ୟ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇଥିଲ । ୨୦୧୯ରେ ପିପିଲି ଗଣଦୁଷ୍କର୍ମ ମାମଲାର ରାୟକୁ ନେଇ ତାଙ୍କ ବୟାନ ତାଙ୍କୁ ମନ୍ତ୍ରୀମଣ୍ଡଳ ଛାଡ଼ିବାକୁ ବାଧ୍ୟ କରିଥିଲା । ପିପିଲି ଗଣଦୁଷ୍କର୍ମ ମାମଲା ସହ ୨୦୧୯  ନିର୍ବାଚନ ପୂର୍ବରୁ ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ବି ସେ ବିବାଦକୁ ଆସିଥିଲେ ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସହ ପ୍ରଦୀପ ମହାରଥୀ (ଡାହାଣ)


ମହାରଥୀ ଏଭଳି ଜଣେ ରାଜନେତା ଥିଲେ ଯାହାଙ୍କର ସବୁ ଦଳର ନେତାଙ୍କ ସହ ଥିଲା ନିଆରା ସମ୍ପର୍କ । ସଦା ବେଳେ କିଛି ନା କିଛି କଥାକୁ ନେଇ ସେ ଚର୍ଚ୍ଚାରେ ରହିଆସୁଥିଲେ । ଏପରିକି ଶାସକ ଦଳରେ ଥାଇ ବି ବିଧାନ ସଭାରେ ଶାସକ ଦଳ ବିଧାୟକଙ୍କୁ ପ୍ରଶ୍ନ ବାଣରେ ଛନ୍ଦୁଥିଲେ । କିନ୍ତୁ ବିଧାନ ସଭା ଭିତରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ତାଙ୍କ ଥଟା ମଜା ସବୁ ବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପଲଟିଥିଲା ।

ବିଧାୟକ ଓ ମନ୍ତ୍ରୀ ରହିବା ବ୍ୟତୀତ ମହାରଥୀ ପୁରୀ ନିମାପଡ଼ା କୋ-ଅପରେଟଟିଭ ବ୍ୟାଙ୍କ ସଭାପତି ଓ ମାର୍କଫେଡର ଚେୟାରମ୍ୟାନ ଭାବେ ବି ଦାୟିତ୍ୱ ତୁଲାଇଥିଲେ । ସଦା ବେଳେ ନିଜକୁ ଚଷା ପୁଅ ଭାବେ ଅଭିହିତ କରିଆସୁଥିବା ମହାରଥୀଙ୍କ ଜୀବନ ଏତିକିରେ ସୀମିତ ନ ଥିଲା । ଜଣେ ଜନପ୍ରିୟ ରାଜନେତା, ସୁସଙ୍ଗଠକ, କ୍ରୀଡ଼ାବିତ, ଚାଷୀ ଓ ନାଟ୍ୟ ନିର୍ଦ୍ଦେଶକ ଭାବେ ବି ତାଙ୍କର ପରିଚୟ ରହିଥିଲା । ତାଙ୍କ ଯାତ୍ରା ପାର୍ଟି କଳିଙ୍ଗ ଗଣନାଟ୍ୟର ବହୁଚର୍ଚ୍ଚିତ ନାଟକ ‘‘ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢିବ ମହାରଥୀ’’, ‘‘ହାରିନାହିଁ ମହାରଥୀ, ସରିନାହିଁ ରାଜନୀତି’’ ଓ ‘‘ଲାଲୁ ଶାସନରେ ଭାଲୁ ରଜା’’ ଭଳି ନାଟକ ବେଶ ଚର୍ଚ୍ଚାର ରହିଥିଲା ।

ଏହା ବି ପଢ଼ନ୍ତୁ | ପତି ମାରପିଟ୍ କଲେହେଲେ ପୂନମ୍ ପାଣ୍ଡେ ତାଙ୍କୁ କ୍ଷମା କଲେକିସ୍ କରି କହିଲେ: ‘ତୁମକୁ ଛାଡ଼ି ପାରିବିନି’

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ମହାରଥୀଙ୍କ ପରି ଜଣେ ଦୃଢ଼ମନା ନେତାଙ୍କୁ ହରାଇ ଝୁରିହେଉଛି ରାଜ୍ୟ ବିଧାନ ସଭା । ବିଧାନ ସଭାକୁ ଆଉ ଆସିବେନି ପ୍ରଦୀପ । ଆଉ ଦେଖିବାକୁ ମିଳିବନି ତାଙ୍କ ନିଆରା ଅନ୍ଦାଜ। ତାଙ୍କ ତୁଣ୍ଡରୁ ଆଉ ଶୁଣିବାକୁ ମିଳିବନି ଯାତ୍ରା ଡାଇଲଗ୍ ଭଳି ଉପସ୍ଥାପନା । ସେଥି ପାଇଁ ପ୍ରଦୀପଙ୍କୁ ମନେ ପକାଇ କାନ୍ଦି ପକାଇଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ପ୍ରଦୀପଙ୍କ ସହ ବିଧାନ ସଭାରେ ହେଉଥିବା ଥଟ୍ଟା ତାମସା ମନେ ପକାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ ।



ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ପ୍ରଦୀପ ମହାରଥୀ ଥରେ ତାଙ୍କୁ ଏକ ଯାତ୍ରା ଟିକେଟ ଅଫର କରିଥିବା ଘଟଣାକୁ ମନେ ପକାଇଥିଲେ । ରବିବାର ଦିନ ବିଧାନ ସଭା ଆରମ୍ଭରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିବା ପରେ ଏହାକୁ ସମର୍ଥନ କରିଥିଲେ ବିରୋଧୀଦଳ ନେତା ଓ କଂଗ୍ରେସ ବିଧାୟକ । ପ୍ରଦୀପଙ୍କ ସହ କାମ କରିଥିବା ଓ ସମସାମୟିକ ନେତାମାନେ ତାଙ୍କୁ ମନେ ପକାଇ ଗଭୀର ଶୋକ ପ୍ରକାଶ କରିଥିଲେ ।
Published by: Anand Shankar Thankur Das
First published: October 4, 2020, 11:51 PM IST
corona virus btn
corona virus btn
Loading