ବାଲେଶ୍ୱରର ସୋରରେ କୁକୁଡ଼ା ମଡ଼କ ଜାରି; ବର୍ଡ଼ ଫ୍ଲୁ ସନ୍ଦେହରେ ଚ଼ିକେନ୍ ଦାମ୍ ଖସିଲା

ପ୍ରଥମ ସଙ୍କେତରୁ ବାର୍ଡ ଫ୍ଲୁ କାରଣରୁ କୁକୁଡ଼ା ମରିଥିବା ପ୍ରତୀତ ହେଉ ନାହିଁ ବୋଲି କହିଛନ୍ତି ଅତିରିକ୍ତ ପ୍ରାଣୀ ଚ଼ିକିତ୍ସା ଅଧିକାରୀ ବୁଧିରାମ ରାଉଳ । ରକ୍ତ ନମୁନା ପରୀକ୍ଷାର ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣା ପଡ଼ିବ ।

ବାଲେଶ୍ୱରର ସୋରରେ କୁକୁଡ଼ା ମଡ଼କ ଜାରି; ବର୍ଡ଼ ଫ୍ଲୁ ସନ୍ଦେହରେ ଚ଼ିକେନ୍ ଦାମ୍ ଖସିଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 2, 2020, 12:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ସୋରରେ ଶହ ଶହ ସଂଖ୍ୟରେ କୁକୁଡ଼ା ମରୁଥିବା ଦେଖାଯାଇଛି । ଏହାର କାରଣ ବାର୍ଡଫ୍ଲୁ ହୋଇଥିବା ସନ୍ଦେହ କରି ଲୋକେ କୁକୁଡ଼ା ମାଂସ ଖାଇବା ହଠାତ୍‌ କମ୍‌ କରିଦେଇଛନ୍ତି । ଫଳରେ ଚ଼ିକେନର ଦାମ୍‌ ଖସି କିଲୋ ୫୦ ଟଙ୍କାରେ ପହଞ୍ଚିଛି ।

ଏନ.ଏଚ୍‌. ୧୬ କଡ଼ରେ ରବିବାର ସକାଳ ଠାରୁ କୁକୁଡ଼ା ମଡ଼କ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଦୁଇଟି ସ୍ଥାନରେ ଶହ ଶହ କୁକୁଡ଼ା ମରି ପଡିଥିବା ଦେଖି ଲୋକେ ଆଚମ୍ଭିତ ହୋଇପଡ଼ିଥିଲେ । ତେବେ କୌଣସି ଫାର୍ମ ରେ ରୋଗ ଗ୍ରସ୍ତ ହେବା ପରେ କୁକୁଡ଼ା ମରିଯାଇଥିବା ସନ୍ଦେହ କରିଥିଲେ ଲୋକେ । ଫାର୍ମ ମାଲିକ ବର୍ଡ଼ ଫ୍ଲୁକୁ ଲୋକଲୋଚନରୁ ଦୂରରେ ରଖିବା ପାଇଁ ମଲା କୁକୁଡ଼ାଗୁଡ଼ିକୁ ଲୁଚାଇ ଫିଙ୍ଗି ଦେଇଥିବା ଲୋକେ କହିଥିଲେ ।

ସୋର ଅଞ୍ଚଳର ପଠାଣ ମହଲା, ପାର ମହଲା, କାଶୀପୁର, ରାୟପୁର ଓ କେଦାରପୁର ଆଦି ଗାଁ ରେ କୁକୁଡ଼ା ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଦେଶି, ବ୍ରୟେଲର ଓ ଅଷ୍ଟ୍ରେଲିଆନ୍‌ ଆଦି ସବୁ ପ୍ରକାର କୁକୁଡା ମରିଥିବା ଲକ୍ଷ କରାଯାଇଥିଲା । କୁକୁଡ଼ା ମୃତ୍ୟୁ ପରେ ଚ଼ିକେନ ଦୋକାନୀ ମାନେ ଭୟଭୀତ ହୋଇ କୁକୁଡ଼ା ଦର କମାଇ ଦେଇଛନ୍ତି । ସୋର ବଜାରରେ ବାର୍ଡଫ୍ଲୁ ଖବର ଆସିବାପରେ ୫୦ ଟଙ୍କାରେ କୁକୁଡ଼ା କେଜି ବିକ୍ରି କରିଛନ୍ତି ବ୍ୟବସାୟୀମାନେ ।

ଖବର ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଛି ସୋର ପ୍ରାଣୀ ଚ଼ିକିତ୍ସାଳୟର ଅଧିକାରୀମାନେ । ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ ଏକ ଚ଼ାରି ଜଣିଆ ଟିମ୍‌ ଘଟଣା ସ୍ଥଳକୁ ଯାଇ କୁକୁଡ଼ା ମଡ଼କ ଘଟଣାର ଯାଞ୍ଚ କରିଛନ୍ତି । ସେମାନେ କୁକୁଡ଼ାର ରକ୍ତ ନମୂନା ସଂଗ୍ରହ କରିଛନ୍ତି ଓ ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ କୁକୁଡ଼ା ମୃତ୍ୟୁ ସମ୍ପର୍କରେ ଆଲୋଚ଼ନା କରିଛନ୍ତି । ସେମାନେ ଉଭୟ ରୋଗୀ କୁକୁଡ଼ା ଓ ମୃତ କୁକୁଡ଼ାଙ୍କ ରକ୍ତ ନମୂନା ସଂଗ୍ରହ କରିଛନ୍ତି । ଏହି ନମୂନା ଟେଷ୍ଟ ପାଇଁ ଲାବରଟେରୀକୁ ପଠାଯାଇଛି ।

‘‘ପ୍ରଥମ ସଙ୍କେତରୁ ବାର୍ଡ ଫ୍ଲୁ କାରଣରୁ କୁକୁଡ଼ା ମରିଥିବା ପ୍ରତୀତ ହେଉ ନାହିଁ । ଅନ୍ୟ କୌଣସି କାରଣରୁ କୁକୁଡ଼ା ମରିଥାଇପାରନ୍ତି । ପ୍ରତେକ ମାସ ବିଭିନ୍ନ ଫାର୍ମ ଓ ଘରୋଇ କୁକୁଡ଼ାଙ୍କୁ ଯାଞ୍ଚ କରାଯାଉଛି । ନିୟମିତ ଭାବରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଉଛି । ତେଣୁ ବାର୍ଡଫ୍ଲୁ ଆଶଙ୍କା କମ୍‌ । ପରୀକ୍ଷା ରିପୋର୍ଟ ଆସିଲେ କୁକୁଡ଼ା ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ,’’ କହିଛନ୍ତି ସୋରର ଅତିରିକ୍ତ ପ୍ରାଣୀ ଚ଼ିକିତ୍ସା ଅଧିକାରୀ ବୁଧିରାମ ରାଉଳ ।
First published: March 2, 2020, 12:10 PM IST
corona virus btn
corona virus btn
Loading