ରାଜ୍ୟକୁ GST କ୍ଷତିପୂରଣ ପ୍ରସଙ୍ଗକୁ ନେଇ ରାଜନୀତି ବଢ଼ିଲା; କେନ୍ଦ୍ରର ନିଷ୍ପତ୍ତି ଶୀଘ୍ର ଆସିବ

ବର୍ତ୍ତମାନ ସ୍ଥିତିରେ ସାରା ଦେଶରେ ଜିଏସଟି ପରିମାଣ କମିଥିବା ବେଳେ ଅର୍ଥନୈତିକ ସ୍ଥିତି ଖରାପ ରହିଛି । ତେଣୁ ଏଭଳି ସ୍ଥିତିରେ କେନ୍ଦ୍ରକୁ ସହଯୋଗ ନ କରି ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲ ବିଜେପି କହିଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଜିଏସଟି କ୍ଷତିପୂରଣ ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ଧରୁନି । କରୋନା ସ୍ଥିତି ଯୋଗୁଁ ଜିଏସଟି ଆଦାୟ କମିଯାଇଥିବାରୁ ରାଜ୍ଯଗୁଡିକୁ କ୍ଷତିପୂରଣ ଦେବା ବଦଳରେ ବିକଳ୍ପ ବ୍ଯବସ୍ଥା ପାଇଁ କେନ୍ଦ୍ର କହିଥିଲେ ମଧ୍ଯ ଓଡିଶା ଏହାକୁ ଗ୍ରହଣ କରିବାକୁ ନାରାଜ ।

ଗୁରୁବାର ଦିନ ଜିଏସଟି କାଉନସିଲ ବୈଠକରେ ଏ ସମ୍ପର୍କରେ ଗୁରୁତ୍ବପୂର୍ଣ ନିଷ୍ପତ୍ତି ହେବ ବୋଲି ଶୁଣାଯାଉଥିବା ବେଳେ ଓଡିଶାରେ ଏ ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହୋଇଛି । ଏ ପ୍ରସଙ୍ଗରେ ବିଜେଡି ସିଧାସଳଖ କେନ୍ଦ୍ର ସରକାରଙ୍କୁ ନିଶାନା ବନାଇଛି । ଜିଏସଟି ନିୟମ ଅନୁଯାୟୀ ରାଜ୍ଯକୁ କ୍ଷତିପୂରଣ ଦେବାକୁ କେନ୍ଦ୍ର ବାଧ୍ଯ ବୋଲି କହିଛି ବିଜେଡି । କଂଗ୍ରେସ ମଧ୍ଯ ସମାନ କଥା କହିଛି । କୌଣସି ବାହାନା ନ କରି ତୁରନ୍ତ ରାଜ୍ଯକୁ ତା’ର ହକ ଦେବାକୁ ଦାବି କରିଛି କଂଗ୍ରେସ ।

ବର୍ତ୍ତମାନ ସ୍ଥିତିରେ ସାରା ଦେଶରେ ଜିଏସଟି ପରିମାଣ କମିଥିବା ବେଳେ ଅର୍ଥନୈତିକ ସ୍ଥିତି ଖରାପ ରହିଛି । ତେଣୁ ଏଭଳି ସ୍ଥିତିରେ କେନ୍ଦ୍ରକୁ ସହଯୋଗ ନ କରି ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲ ବିଜେପି କହିଛି ।

‘‘ରାଜ୍ଯକୁ ଜିଏସଟି କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାର ବାଧ୍ଯ । ଜିଏସଟି ନିୟମରେ ଏ କଥା ବିଧିବଦ୍ଧ ଭାବେ ରହିଛି । ତେଣୁ କୌଣସି କାରଣ ଦେଖାଇ ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ରାଜ୍ଯକୁ ନ ଦେବା ଆଦୌ ଗ୍ରହଣୀୟ ନୁହେଁ । କୌଣସି ବିକଳ୍ପ ମଧ୍ଯ ଗ୍ରହଣୀୟ ନୁହେଁ । ତେଣୁ ତୁରନ୍ତ ଓଡିଶାର ହକ କେନ୍ଦ୍ର ସରକାର ଦିଅନ୍ତୁ,’’ କହିଛି କଂଗ୍ରେସ ।

ଗୁରୁବାର ଦିନ ଜିଏସଟି କାଉନସିଲ ବୈଠକ ଥିବାରୁ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେଇ ରାଜ୍ଯର ହକ ଅର୍ଥ ରାଜ୍ଯକୁ ତୁରନ୍ତ ଦେବାକୁ କଂଗ୍ରେସ ଦାବି କରିଛି । ଏପରିକି ବିଜେଡି ଏ ପ୍ରସଙ୍ଗରେ ଚୁପ ନ ରହି କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରୁ ବୋଲି ଦାବି କରିଛି କଂଗ୍ରେସ ।

ବିଜେଡି ମଧ୍ଯ ଜିଏସଟି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛି । ‘‘ଜିଏସଟି ନିୟମ ଅନୁଯାୟୀ କ୍ଷତିପୂରଣ ବାବଦ ଅର୍ଥ କେନ୍ଦ୍ର ସରକାର ତୁରନ୍ତ ଭରଣା କରିବା କଥା, କିନ୍ତୁ ପୂର୍ବର ବଳକା କ୍ଷତିପୂରଣ ବାବଦ ଅର୍ଥ ମଧ୍ଯ ଓଡିଶାକୁ ମିଳିନି । ତେଣୁ ଜିଏସଟି ବାବଦରେ ଓଡିଶା ପାଇବାକୁ ଥିବା ସମସ୍ତ ଅର୍ଥ ତୁରନ୍ତ ଦେବା ଉଚିତ,’’ କହିଛି ବିଜେଡି ।

ଏହା ବି ପଢ଼ନ୍ତୁ | ବଡ଼ ଧକ୍କା ! ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣ ବନ୍ଦ କଲା

ଏହା ବି ପଢ଼ନ୍ତୁ | ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବର: EPF ରେ ମିଳୁଥିବା ସୁଧ ହାର ସ୍ଥିର ହେଲା; ଏହି ମାସରେ ଆସିବ ଟଙ୍କା

‘‘ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତି ଠିକ ନ ଥିବା ବେଳେ ଏଭଳି କିଛି ବିକଳ୍ପ ବ୍ଯବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ରାଜ୍ଯଗୁଡିକର ଏଭଳି ଜିଦ ନ କରି ସରକାରଙ୍କ ବିକଳ୍ପକୁ ଗ୍ରହଣ କରିବା ଉଚିତ । ଏପରିକି ରାଜ୍ୟ ସରକାର ଶହ ଶହ କୋଟି ଟଙ୍କା କୋଭିଡ ଓ ଅନ୍ଯାନ୍ଯ ଆଳରେ ହଡ଼ପ କରୁଥିବାବେଳେ ଜିଏସଟି କ୍ଷତିପୂରଣ ବାବଦ ଅର୍ଥକୁ ନେଇ କାହିଁକି ରାଜନୀତି କରୁଛନ୍ତି? କଂଗ୍ରେସ ଦେଶକୁ ଦୀର୍ଘ ବର୍ଷ ଧରି ଲୁଟ କରି ଆସୁଥିବାବେଳେ ବର୍ତ୍ତମାନ କାହିଁକି ସତୀତ୍ବ ଦେଖାଉଛି?’’ ପ୍ରଶ୍ନ କରିଛନ୍ତି ବିଜେପି ନେତା ପୄଥ୍ୱୀରାଜ ହରିଚନ୍ଦନ।



ଜିଏସଟି କ୍ଷତିପୂରଣ ବାବଦରେ ବିଭିନ୍ନ ରାଜ୍ଯକୁ ବିକଳ୍ପ ଭାବେ ଋଣ ନେବାକୁ କେନ୍ଦ୍ର ପ୍ରସ୍ତାବ ଦେଇଥିବା ବେଳେ କୌଣସି ରାଜ୍ଯ ଏହାକୁ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି । ବିକଳ୍ପ ସମ୍ପର୍କରେ ମତ ଦେବାକୁ ରାଜ୍ଯଗୁଡିକୁ ସାତ ଦିନ ସମୟ ଦିଆଯାଇଥିଲେ ମଧ୍ଯ ଏ ଯାଏଁ କିଛି ସ୍ପଷ୍ଟ ଚିତ୍ର ମିଳିନାହିଁ । ଏଭଳି ସ୍ଥିତିରେ ଗୁରୁବାର କେନ୍ଦ୍ର ସରକାର ଏହା ଉପରେ କିଭଳି ନିଷ୍ପତ୍ତି ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି ।
Published by:Anand Shankar Thankur Das
First published: