News18 Odia Digital
ଭୁବନେଶ୍ବର: ମାଗଣା ଚାଉଳକୁ ନେଇ ଥମୁନି ରାଜନୀତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ। ଜାନୁଆରୀ ୧ ତାରିଖରୁ ମାଗଣା ଚାଉଳ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ପୂର୍ବରୁ କେଜି ପିଛା ୧ ଟଙ୍କା ଦେବାକୁ ପଡୁଥିବା ବେଳେ ସମ୍ପୂର୍ଣ୍ଣ ମାଗଣା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ।
ପରିବାରର ପ୍ରତି ସଦସ୍ୟଙ୍କୁ ୫ କେଜି ଲେଖାଏଁ ଚାଉଳ ମିଳିଥିବା ବେଳେ ସମ୍ପୂର୍ଣ୍ଣ ମାଗଣା ଯୋଗାଇଦିଆଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଯୋଗାଇବେ କେନ୍ଦ୍ର ସରକାର।
ସେପଟେ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ୩ ତାରିଖରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବି ପ୍ରାୟ ୯ ଲକ୍ଷ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ଯୋଗାଇବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ନିର୍ବାଚନ ପୂର୍ବରୁ ମାଗଣା ଚାଉଳକୁ ନେଇ ଜୋର ଧରିଛି ରାଜନୀତି। ବୁଧବାର ବିଜେପି-ବିଜେଡି କଥା କଟାକଟି ହୋଇଥିବା ବେଳେ ଗୁରୁବାର ଚାଉଳ ହିସାବ ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୫ କେଜି ସେବା ଲୋକାର୍ପଣ ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର ୯୦ ରୁ ୯୫ ଭାଗ ଦେଉଥିଲେ କେନ୍ଦ୍ର ସରକାର। ଅବଶିଷ୍ଟ ରାଜ୍ୟ ସରକାର ଦେଉଥିଲେ। କିନ୍ତୁ ବିତରଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପାଖରେ ଥିଲା। ଓଡ଼ିଶାରେ ୩ କୋଟି ୨୫ ଲକ୍ଷ ଲୋକ ସୁବିଧା ପାଉଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ ଚାଉଳ ଦେଉଛନ୍ତି। ବର୍ତ୍ତମାନ କେଜି ପିଛା ୩୭ ଟଙ୍କା ୮୮ ପଇସା ଖର୍ଚ୍ଚ ହେଉଛି। ଏଥିପାଇଁ ମାସିକ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷକୁ ୮୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ସରକାର। ରାଜ୍ୟ ସରକାର ଠିକ୍ ଭବେ ବିତରଣ କରନ୍ତୁ। କମ୍ପ୍ୟୁଟର, ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ସହଯୋଗ କରିଛନ୍ତି। ରାଜ୍ୟ ସରକାର ୯ ଲକ୍ଷ ହିତାଧିକାରୀଙ୍କ କଥା କହୁଛନ୍ତି ହୁଏତ ସେତିକି ବି ଦେଉନାହାଁନ୍ତି। ମୋଦି ସରକାର ଦେଉଥିବା ଚାଉଳକୁ ଗଡବଡ ନ କରି ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚାନ୍ତୁ। ୮୪୦୦ କୋଟି ତୁଳନାରେ ୧୮୫ କୋଟି ଓଡ଼ିଶାବାସୀ ବିଚାର କରିବେ।’’
ବୁଧବାର ବିଜେପି ଏହାକୁ ନେଇ ସମାଲୋଚନା କରିଥିବା ବେଳେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ସକୋଭିଡ଼ ସମୟରେ ମଧ୍ୟ ମାଗଣା ଚାଉଳ ଦିଆଯାଇଥିଲା। ବର୍ତ୍ତମାନ ସମୟର ଆବଶ୍ୟକତା ଦେଖି ମୁଖ୍ୟମନ୍ତ୍ରୀ ପୁଣି ଥରେ ଘୋଷଣା କରିଛନ୍ତି। ବର୍ଷ ତମାମ ସେଥିପାଇଁ ୧୮୫ କୋଟି ଟଙ୍କା ମଧ୍ୟ ବ୍ୟୟ ହେବ। ଏଥିପାଇଁ ମଙ୍ଗଳବାର ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି। ନବୀନ ସରକାର କେବେ ନିର୍ବାଚନକୁ ଦେଖି କିଛି କରନ୍ତି ନାହିଁ। ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରାଯାଇଛି। ରାଜ୍ୟରେ ପ୍ରତେକ ଦିନ ବିକାଶ କାର୍ଯ୍ୟ ହେଉଛି। ପଦ୍ମପୁର ଉପନିର୍ବାଚନକୁ ନେଇ ଆଲୋଚନା ହେଉଥିଲା। ସେଠି ନିର୍ବାଚନ ସରିଲା ପରେ ମଧ୍ୟ କାମ ଚାଲିଛି। ନବୀନ ସରକାରରେ ବିକାଶର ଧାରା ଏକ ନିୟମିତ ପ୍ରକ୍ରିୟା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।