ବାଲେଶ୍ବରରେ ମେମୁ ଟ୍ରେନ ଚଳାଚଳକୁ ନେଇ ବର୍ତ୍ତମାନ ରାଜନୀତି ମହଲରେ ଆଲୋଚନା

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ଗସ୍ତ ସମୟରେ କହିଥିଲେ, ‘‘ବାଲେଶ୍ୱରରେ ମୁଁ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିବା ସମୟରେ ସମସ୍ତଙ୍କୁ ଜାଣିଛି ଓ ମିଶିଛି। ଏଠିକାର ସମସ୍ୟା ସମ୍ପର୍କରେ ମୁଁ ମଧ୍ୟ ଅବଗତ। ଜଣେ ମନ୍ତ୍ରୀ କିମ୍ବା ସାର୍ ନୁଁହେ ଆପଣଙ୍କର ଭାଇ ବା ପୁଅ ଭାବରେ ବାଲେଶ୍ୱର ବିକାଶରେ ନିଜକୁ ଯୋଡ଼ିବି।"

ବାଲେଶ୍ବରରେ ମେମୁ ଟ୍ରେନ ଚଳାଚଳକୁ ନେଇ ବର୍ତ୍ତମାନ ରାଜନୀତି ମହଲରେ ଆଲୋଚନା

ବାଲେଶ୍ବରରେ ମେମୁ ଟ୍ରେନ ଚଳାଚଳକୁ ନେଇ ବର୍ତ୍ତମାନ ରାଜନୀତି ମହଲରେ ଆଲୋଚନା

  • Share this:
News18 Odia Digital

ବାଲେଶ୍ବର: ଗତ ୭ ତାରିଖ ରେଲ ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟପରେ ଏହା ଭୋଟ ଉପରେ ପ୍ରଭାବ ପକାଇବା ନେଇ ଚର୍ଚ୍ଚା ହୋଇଥିଲା । ମୁଖ୍ୟତଃ ବାଲେଶ୍ୱରରୁ ଭୁବନେଶ୍ୱର ମେମୁ ଟ୍ରେନ ଶୁଭାରମ୍ଭ ଓ ନୀଳଗିରିକୁ ନୂଆ କରି ପ୍ୟାସେଞ୍ଜର ଟ୍ରେନ ଚଳାଚଳ ନେଇ ଶିଳାନ୍ୟାଶ ପରେ ରାଜନୀତି ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏହି ଗରମ ଚର୍ଚ୍ଚାରେ ବିଜେପି ସହିତ ବିରୋଧୀ ମଧ୍ୟ ରୁଟି ସେକିବା ଆରମ୍ଭ କରି ଦେଇଛନ୍ତି।

ଉତ୍ତର ଓଡ଼ିଶାର ରେଲଭିତ୍ତି ଭୂମିର ବିକାଶ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ଅର୍ଥନୈତିକ କେନ୍ଦ୍ର ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ଓ ନୀଳଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ରେଳ ଲାଇନ୍ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ଚିଠି ଲେଖି ବିଳମ୍ବରେ ହେଲେ ମଧ୍ୟ ବାଲେଶ୍ୱର-ନୀଳଗିରି ରେଳ ଲାଇନ୍ ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବାରୁ ନବଜ୍ୟୋତି ତାହାକୁ ସ୍ୱାଗତ କରିଛନ୍ତି । ବାଲେଶ୍ୱର-ନୀଳଗିରି ରେଳପଥକୁ ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଉତ୍ତର ଓଡ଼ିଶାର ଖଣି ଅଞ୍ଚଳକୁ ସମ୍ପ୍ରସାରଣ କରାଗଲେ ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ସମ୍ଭବ ହୋଇ ପାରିବ ବୋଲି ସେ ଉଲ୍ଲେଖ କରିଛନ୍ତିl

ସେ ଚିଠିରେ କହିଛନ୍ତି, ‘‘କଂଗ୍ରେସ ସରକାରଙ୍କ ସମୟରେ ବାଲେଶ୍ୱରରେ ଏକାଧିକ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଗତ ୨୦ ବର୍ଷ ମଧ୍ୟରେ ଏଠାରେ ଗୋଟିଏ ଶିଳ୍ପ ପ୍ରତିଷ୍ଠା କରାଯାଇ ନଥିବାବେଳେ ପୂର୍ବରୁ ଥିବା ଶିଳ୍ପଗୁଡିକ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି । ଯାହା ଦ୍ବାରା ଏହି ଅଞ୍ଚଳରେ ବେକାରୀ ସମସ୍ୟା ବୃଦ୍ଧି ସହିତ ଜନସାଧାରଣଙ୍କ ଦୁର୍ଦ୍ଦଶା ବୃଦ୍ଧିପାଇବାରେ ଲାଗିଛି । ବୈଷ୍ଣବ ବାଲେଶ୍ୱର ଜିଲ୍ଲାପାଳ ଭାବରେ ପୂର୍ବରୁ କାର୍ଯ୍ୟ କରିଥିବାରୁ ସେ ଏସମ୍ପର୍କରେ ଅବଗତ ଥିବେ। କୋଭିଡ ମହାମାରୀ ଜନିତ କଟକଣା ଏଠାକାର ଅର୍ଥନୀତିକୁ ଅଧିକ ଖରାପ କରିଦେଇଛି । ସେ ଦୈନନ୍ଦିନ ଭିତ୍ତିରେ ବାଲେଶ୍ୱରବାସୀଙ୍କ ସହିତ ଭାବ ଆଦାନ ପ୍ରଦାନ କରୁଥିବାରୁ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କେତେକ ଉପାଦେୟ ପରାମର୍ଶ ଦେବାକୁ ଉଚିତ ମନେ କରିଛି ।’’

ନଵଜ୍ୟୋତି ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବାଲେଶ୍ୱର ଓ ସମୁଦାୟ ଉତ୍ତର ଓଡ଼ିଶାର ଅର୍ଥନୈତିକ ବିକାଶ ନିମନ୍ତେ ବୃହତ୍ତର ଯୋଜନା ପ୍ରସ୍ତୁତ କରିବା ସମୟରେ ଏଠାରେ ରେଳ ଭିତ୍ତିଭୂମିର ବିକାଶକୁ ଏକ ଅଂଶ ଭାବରେ ସାମିଲ କରାଯିବା ଉଚିତ୍। ବାଲେଶ୍ୱରରେ ରେଳ ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ଖଡଗପୁର ଡିଭିଜନ ଅଧୀନରେ ରହିଛି ଓ ଏହି କାରଣରୁ ରେଳ ମନ୍ତ୍ରଣାଳୟର ନୀତି ଓ ନିବେଶ ସମ୍ପର୍କିତ ନିଷ୍ପତ୍ତିରେ ବାଲେଶ୍ୱର ଓ ଉତ୍ତର ଓଡ଼ିଶାର ସ୍ୱାର୍ଥ ସ୍ଥାନ ପାଉନାହିଁ । ବାଲେଶ୍ୱର ଓ ଉତ୍ତର ଓଡ଼ିଶା ପ୍ରତି ରେଳବାଇର ଅବହେଳା କେବଳ ମାନସିକତା ମଧ୍ୟରେ ସୀମିତ ରହିନାହିଁ, ସେହି କାରଣରୁ ଏଠାରେ ରେଳ ଭିତ୍ତିଭୂମିର ବିକାଶ ମଧ୍ୟ ମନ୍ଥର ଗତିରେ ଚାଲିଛି। ସେଥିପାଇଁ ବାଲେଶ୍ୱରରେ ଏକ ରେଳ ଡିଭିଜନ ଯଥା ଶୀଘ୍ର ପ୍ରତିଷ୍ଠା କରାଗଲେ ତାହା ଅଞ୍ଚଳବାସୀଙ୍କର ନାର୍ଯ୍ୟ ଆଶା ଆକାଂକ୍ଷା ପୂରଣ ଦିଗରେ ବିଶେଷ ସହାୟକ ହେବା ସହିତ ଏହି ଅଞ୍ଚଳର ଦ୍ରୁତ ଅର୍ଥନୈତିକ ବିକାଶ ଘଟିବ, ଯାହା ଗତ ଦୁଇ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ରହିଛି। ବାଲେଶ୍ୱର ମୃତ ଶିଳ୍ପଗୁଡିକର ସହର ଭାବରେ ପରିଚିତ ହେବାକୁ ଯାଉଥିବାବେଳେ ସେଥିରେ ଯଥା ଶୀଘ୍ର ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି।

ସେପଟେ ବିଜେଡ଼ି ବିଧାୟକ ସ୍ୱରୂପ ଦାସ ମଧ୍ୟ କହିଥିଲେ, ‘‘ନୀଳଗିରିକୁ ପ୍ୟାସେଞ୍ଜର ଟ୍ରେନ ଗଡ଼ିବା ସ୍ୱାଗତ ବିଷୟ। ବାଲେଶ୍ୱରରୁ ଭୁବନେଶ୍ୱର ମେମୁ ଟ୍ରେନ ଚଳାଚଳ ବାଲେଶ୍ୱରବାସୀଙ୍କ ଦୀର୍ଘ ଦିନର ଦାବି ଥିଲା। ଏହି ଟ୍ରେନ ଚଳାଚଳ ଦ୍ୱାରା ସବୁ ବର୍ଗର ଲୋକ ଉପକୃତ ହୋଇପାରିବେ। ତେବେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ନିଧିପଣ୍ଡା ନିକଟରେ ରେଳ ବ୍ରିଜ ତଳେ ଲୋକଙ୍କ ଗମନାଗମନ ପାଇଁ ଯେଉଁ ଅସୁବିଧା ହେଉଛି ମାନ୍ୟବର ମନ୍ତ୍ରୀ ତାହାକୁ ଧ୍ୟାନ ଦିଅନ୍ତୁ।"

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ଗସ୍ତ ସମୟରେ କହିଥିଲେ, ‘‘ବାଲେଶ୍ୱରରେ ମୁଁ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିବା ସମୟରେ ସମସ୍ତଙ୍କୁ ଜାଣିଛି ଓ ମିଶିଛି। ଏଠିକାର ସମସ୍ୟା ସମ୍ପର୍କରେ ମୁଁ ମଧ୍ୟ ଅବଗତ। ଜଣେ ମନ୍ତ୍ରୀ କିମ୍ବା ସାର୍ ନୁଁହେ ଆପଣଙ୍କର ଭାଇ ବା ପୁଅ ଭାବରେ ବାଲେଶ୍ୱର ବିକାଶରେ ନିଜକୁ ଯୋଡ଼ିବି ।"
Published by:Lipina Das
First published:
)}