News18 Odia Digital
ଭୁବନେଶ୍ୱର: କୃଷି ଆଇନକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାହାର ଅନ୍ତ ହୋଇଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଆଇନକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। ପ୍ରଧାନ ମନ୍ତ୍ରୀଙ୍କ ଘୋଷଣା ପରେ ଅନେକ ରାଜନୈତିକ ନେତା ଏହାକୁ ନେଇ ନିଜର ମତ ରଖିଛନ୍ତି।
ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ ପ୍ରଧାନ ମନ୍ତ୍ରୀ। ପ୍ରାୟ ବର୍ଷେ ଧରି ଏହି ବିବାଦୀୟ ଆଇନକୁ ନେଇ ପ୍ରତିବାଦ କରିଥିଲେ ବଡ଼ ବଡ଼ ଚାଷୀ ସଙ୍ଗଠନ। ଆଇନ ପ୍ରତ୍ୟାହାର ଘୋଷଣା ପରେ ନ୍ୟାୟ ପୂର୍ଣ ଲଢ଼େଇ ସାର୍ଥକ ହୋଇଛି ବୋଲି କହିଛି ନବ ନିର୍ମାଣ କୃଷକ ସଙ୍ଗଠନ।
ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ସଂଯୋଜଳ ଶେଷଦେଵ ନନ୍ଦ କହିଛନ୍ତି,"ନୂଆ ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଆଶ୍ୱସନା ଦେଇଥିବାରୁ ଆମେ ଖୁସି। ଦେଶରେ ଆନନ୍ଦର ଲହର ଖେଳିଛି। ୧୧ ମାସ ଧରି ସରକାରଙ୍କ ସହ ଅଘୋଷିତ ଲଢ଼େଇ ଜାରି ରହିଥିଲା। ୭୦୦ ଚାଷୀ ପ୍ରାଣ ହରାଇଲେ। ବିଳମ୍ବରେ ହେଲେ ବି କେନ୍ଦ୍ର ସରକାରଙ୍କର ଜ୍ଞାନ ଉଦୟ ହୋଇଛି। କୃଷି ପ୍ରଧାନ ଦେଶରେ ଚାଷୀଙ୍କ ସହ ଲଢେ଼ଇ କରି ରାଜନୀତି କରି ହେବନି। ହିମାଞ୍ଚଳ ଓ ଉତର ପ୍ରଦେଶ ପଞ୍ଚୟତ ରେ ଚୋଟ ଲାଗିବାରୁ ସରକାର ଅନୁଭବ କଲେ କି ଆଗାମୀ ଉତ୍ତର ପ୍ରଦେଶ ନିର୍ବାଚନ ତାଙ୍କ ପାଇଁ ସହଜ ହେବନି। ସେଥିପାଇଁ ବଡ଼ ବଡ଼ କଥା କହୁଥିବା ସରକାର ନରମିଳେ। କେନ୍ଦ୍ର ସରକାର ନଇଁଛନ୍ତି। ନ୍ୟାୟ ପୂର୍ଣ୍ଣ ଲଢ଼େଇ ସାର୍ଥକ ହୋଇଛି। ପ୍ରତିଶ୍ରୁତି ପରେ ଅଶ୍ୱସ୍ତ ହେଉଛୁ କିନ୍ତୁ ସଂସଦରେ ଅନୁଷ୍ଠାନିକ ଭାବେ ରଦ୍ଦ ଘୋଷଣାକୁ ଅପେକ୍ଷା କରିଛୁ। ବିଳମ୍ବରେ ହେଲେ ବି ପ୍ରତିଶୃତି ଦେଇ ଥିବାରୁ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛୁ। ଯେ ପର୍ଯ୍ୟନ୍ତ ସଂସଦରେ ପ୍ରତ୍ୟାହାର ନହୋଇଛି ସେ ପର୍ଯ୍ୟନ୍ତ ବସି ରହିବୁ।’’
କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶ ଓ କୃଷକଙ୍କ ହିତରେ ପ୍ରଧାନ ମନ୍ତ୍ରୀ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସବୁବେଳେ ଚାଷୀଙ୍କ ସହ ଅଛି ବୋଲି ଟ୍ୱିଟ କରି କହିଛନ୍ତି ନବୀନ।

କୃଷି ଆଇନ ପ୍ରତ୍ୟାହାରକୁ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟ
ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି,"କେନ୍ଦ୍ର ସରକାର ପ୍ରବର୍ତ୍ତନ କରିଥିବା ତିନୋଟି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ନିଜର ଦାବିକୁ ଉପସ୍ଥାପନ କରି ଶାନ୍ତିପୂର୍ଣ୍ଣ ଭାବେ ଲକ୍ଷ ଲକ୍ଷ ଚାଷୀଭାଇମାନେ ଯେଉଁ ଆନ୍ଦୋଳନକୁ ନେଇ ପ୍ରାୟ ଏକ ବର୍ଷ ହେବ ରାଜରାସ୍ତାକୁ ଓଲ୍ହାଇଥିଲେ ତାହା ସାକାର ହୋଇଛି। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଷୀଭାଇମାନେ ସରକାର ସବୁବେଳେ ଚାଷୀ ଭାଇଙ୍କ ସମର୍ଥନରେ ଛିଡ଼ା ହୋଇଛି ଓ ଆଗକୁ ଛିଡ଼ା ହୋଇଥିବ।’’
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି,"ଦେଶର ଚାଷୀଙ୍କ ଗୋଟିଏ ବର୍ଗର ଦୁଃଖକୁ ଧ୍ୟାନରେ ରହି ପ୍ରତ୍ୟାହାର ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ। ପ୍ରଧାନ ମନ୍ତ୍ରୀ ଅନ୍ନଦାତାଙ୍କ ସମୃଦ୍ଧି ଓ ବିକାଶ ପାଇଁ ପ୍ରତିଶ୍ରୁତି ବଦ୍ଧ।’’ ଆଗାମୀ ଦିନରେ ଏମଏସପିକୁ ସ୍ୱଚ୍ଛ ଓ ପ୍ରଭାବୀ କରିବା ଓ ଚାଷୀଙ୍କ ଭବିଷ୍ୟତ ସହ ଜଡ଼ିତ ବିଷୟ ନିର୍ଣ୍ଣୟ ଲାଗି ରାଜ୍ୟ ସରକାର ଓ କୃଷକଙ୍କୁ ନେଇ ଏକ କମିଟି ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ
ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେବା ଅବସରରେ ଚାଷୀଙ୍କ ପାଇଁ କେନ୍ଦ୍ରର ଅବଦାନ ଓ କୃଷି ଆଇନ ପ୍ରତ୍ୟାହାର ନେଇ ବି ମତ ରଖିଛନ୍ତି। କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି,"କୃଷକଙ୍କର ବିଜୟ ହୋଇଛି।’’ କଂଗ୍ରେସ ଏହାକୁ କଳା ଆଇନ କହି ରାହୁଲ ଗାନ୍ଧି କୃଷକମାନଙ୍କୁ ସମର୍ଥନ କରୁଥିବାରୁ ଏହା କଂଗ୍ରେସର ବିଜୟ ବୋଲି କହିଛନ୍ତି ଚେଲ୍ଲା କୁମାର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।