ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ: ବିରୋଧୀ ହେଲେଣି ସଜବାଜ; ଶାସକ ଦଳ ଦେଖାଉଛି ଜିତିବାର ଦମ୍ଭ

ବାଲେଶ୍ବର ସଦର ପାଇଁ ପୂର୍ବତନ ସାଂସଦ ତଥା ବିଜେପି ନେତା ଐର ଖାରବେଳ ସ୍ୱାଇଁ ଆଗ୍ରହୀ ଅଛନ୍ତି । କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତିଙ୍କ ପୁଅ ପ୍ରାର୍ଥୀ ହୋଇପାରନ୍ତି । ତିର୍ତୋଲରେ ବିଜେଡି ପ୍ରାର୍ଥୀ ପାଇଁ ପୂର୍ବ ବିଧାୟକ ବିଷ୍ଣୁ ଦାସଙ୍କ ପୁଅଙ୍କ ନାମ ଆଗରେ ଅଛି ।

ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ: ବିରୋଧୀ ହେଲେଣି ସଜବାଜ; ଶାସକ ଦଳ ଦେଖାଉଛି ଜିତିବାର ଦମ୍ଭ
ଐର ଖାରବେଳ ସ୍ୱାଇଁ (ଫାଇଲ୍ ଫଟୋ)
  • News18 Odia
  • Last Updated: August 18, 2020, 10:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏ ଯାଏଁ ରାଜ୍ୟରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି, ହେଲେ ନିର୍ବାଚନୀ ତାତି ଅନୁଭୁତ ହେଲାଣି । ତିର୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଏହି ରାଜନୈତିକ ତାତି ଅନୁଭୁତ ହୋଇଛି। ନିର୍ବାଚନ ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ନିଜ ପ୍ରସ୍ତୁତିକୁ ଜୋରଦାର କଲେଣି ।

କଂଗ୍ରେସ ପକ୍ଷରୁ ତିର୍ତୋଲରେ ସମୀକ୍ଷା କରାଯାଇ ପାଞ୍ଚ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ପର୍ଯ୍ୟାୟକୁ ନିଆଯାଇଛି । ବାଲେଶ୍ବର ସଦରରେ କଂଗ୍ରେସ ରାଜ୍ୟ ସଭାପତିଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି । ବିଜେପି ପକ୍ଷରୁ ବାଲେଶ୍ବର ସଦର ପାଇଁ ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତାଙ୍କ ସହ ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ନାମ ମଧ୍ୟ ଚର୍ଚ୍ଚାରେ ସର୍ବାଗ୍ରେ ରହିଛି ।

ତିର୍ତୋଲ ପାଇଁ ବିଜେପି ପକ୍ଷରୁ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କ ନାମ ଉପରେ ଚର୍ଚ୍ଚା ହେଉଛି । ବିଜେଡି କିନ୍ତୁ ଉଭୟ ଆସନକୁ ଦଖଲ କରିବାର ଦମ୍ଭ ଦେଖାଇଛି । ଆସନ୍ନ ତିର୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଜୋରଦାର ରାଜନୈତିକ କସରତ ଆରମ୍ଭ ହୋଇଯାଇଛି ।

ତିର୍ତୋଲ ଆସନ ପାଇଁ କଂଗ୍ରେସର ପ୍ରାର୍ଥୀତ୍ୱ ପାଇଁ ତିର୍ତୋଲରେ ଏକ ଗୁରୁତ୍ବପୂର୍ଣ ବୈଠକ ବସିଥିଲା । ଏଥିରେ ପର୍ଯ୍ୟବେକ୍ଷକ ସୁରେଶ ରାଉତରାୟ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ ଓ ସ୍ଥାନୀୟ ପ୍ରମୁଖ ନେତାମାନେ ଯୋଗ ଦେଇ ବିଚାର ବିମର୍ଶ କରିଥିଲେ । ଏଥିରେ ପାଞ୍ଚ ଜଣ ପ୍ରାର୍ଥୀ ଆବେଦନ କରିଥିବା କୁହାଯାଇଛି । ପୂର୍ବତନ ମନ୍ତ୍ରୀ ଲକ୍ଷ୍ଣଣ ମଲ୍ଲିକଙ୍କ ପୁଅ ଦେବୀ ପ୍ରସାଦ ମଲ୍ଲିକ ଓ ପ୍ରତିମା ମଲ୍ଲିକଙ୍କ ନାମ ରହିଛି । ଏଥି ସହିତ ଜଣେ ସଫ୍ଟୱେୟାର ଇଞ୍ଜିନିୟର ମଧ୍ୟ ପ୍ରାର୍ଥୀତ୍ବ ପାଇଁ ଆବେଦନ କରିଥିବା କୁହାଯାଉଛି ।

ବିଜେପି ପକ୍ଷରୁ ତିର୍ତୋଲରେ ପ୍ରାର୍ଥୀତ୍ବ ପାଇଁ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇଙ୍କ ନାମ ଚର୍ଚ୍ଚାରେ ରହିଛି । ବିଜେଡି ପ୍ରାର୍ଥୀ ପାଇଁ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସଙ୍କ ନାମ ଆଗରେ ରହିଛି । ଗତ ସାଧାରଣ ନିର୍ବାଚନରେ କଂଗ୍ରେସରୁ ଦେବୀ ପ୍ରସାଦ ମଲ୍ଲିକ ପ୍ରାର୍ଥୀ ହୋଇ ହାରିଥିବା ବେଳେ ପ୍ରତିମା ମଲ୍ଲିକ ଜଗତସିଂହପୁର ଲୋକସଭା କ୍ଷେତ୍ରରୁ ପରାସ୍ତ ହୋଇଥିଲେ । ବିଭୁ ତରାଇ ବିଜେପି ପକ୍ଷରୁ ଜଗତସିଂହପୁର ଲୋକସଭା କ୍ଷେତ୍ରରୁ ଲଢି ପରାସ୍ତ ହୋଇଥିବା ବେଳେ ତିର୍ତୋଲ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ଭାବେ ତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି ।

ଖୁବ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି କଂଗ୍ରେସ କହିଛି । ବିଜେପି କହିଛି ଆସନ୍ତା ଅକ୍ଟୋବର ବା ନଭେମ୍ବରରେ ଉପନିର୍ବାଚନ ହେବାର ସମ୍ଭାବନା ଥିବାରୁ ଉଭୟ ଆସନ ବିଜେପି ହାତକୁ ଆସିବ । ଠିକ ସମୟରେ ଦଳ ପ୍ରାର୍ଥୀ ଘୋଷଣା କରିବ । ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

ବାଲେଶ୍ବର ସଦରରେ ଏଥର ରୋଚକ ଲଢେଇ ହେବାର ସମ୍ଭାବନା ରହିଛି । ପୂର୍ବ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକସଭା କ୍ଷେତ୍ରରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିବା ବେଳେ ଏଥର ବାଲେଶ୍ୱର ସଦର ଉପନିର୍ବାଚନରେ ହେଭିୱେଟ ଲଢେଇ ଆଶା କରାଯାଉଛି । ଏଥିରେ କଂଗ୍ରେସରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନାମ ଦଳ ପକ୍ଷରୁ ସୁପାରିଶ କରାଯାଇଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ବାଲେଶ୍ୱର ସଦରର ସ୍ୱର୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।  ବିଜେଡି ପକ୍ଷରୁ ପ୍ରାର୍ଥୀତ୍ବ ନେଇ ସ୍ପଷ୍ଟ କରାଯାଇ ନ ଥିବାବେଳେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି ।

ଉପନିର୍ବାଚନରେ ଲଢିବାକୁ ଓ ଜିତିବାକୁ ହେଲେ ନବୀନଙ୍କ ସହ ଲଢିବାର ସାମର୍ଥ୍ୟ ରଖୁଥିବା ପ୍ରାର୍ଥୀ ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ବାଲେଶ୍ୱରର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ଉପନିର୍ବାଚନରେ ସାଧାରଣତଃ ବିରୋଧୀ ଦଳର ପ୍ରାର୍ଥୀ ଜିତିବା କଷ୍ଟ ବୋଲି ସ୍ୱୀକାର କରି ସେ କହିଛନ୍ତି ଯେ ଦଳ ଯଦି ତାଙ୍କୁ ପ୍ରାର୍ଥୀ କରେ ସେ ଲଢ଼ିବେ ।

‘‘ଉପନିର୍ବାଚନରେ ଶାସକ ଦଳର ସବୁ ନେତା ଓ ମନ୍ତ୍ରୀ ଗାଁ ଗାଁ ଯାଇ ଡେରା ପକାଇଥାନ୍ତି । ବ୍ୟାପକ ଅର୍ଥ କାରବାର ହୋଇଥାଏ । ଉପନିର୍ବାଚନରେ ନବୀନ ହିଁ ଏକ ମାତ୍ର ପ୍ରାର୍ଥୀ ଥାଆନ୍ତି, ଆଉ ଛିଡ଼ା ହୋଇଥିବା ପ୍ରାର୍ଥୀ ଡମି ହୋଇଥାଆନ୍ତି । ତେଣୁ ନବୀନଙ୍କ ସହିତ ଲଢିବାର ଯାହାର କ୍ଷମତା ରହିବ ସେ ଜିତିପାରିବ । ମୁଁ ନବୀନଙ୍କ ସହିତ ଲଢେଇ କରିଆସୁଛି । ଏପରିକି ଅତୀତରେ ତାଙ୍କ ଦଳର କର୍ମୀଙ୍କ ଠୁ ମାଡ଼ ବି ଖାଇଛି... ମୁଁ ଆଜି ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ଲଢ଼ିଆସୁଛି, କେବେ ବିଧାନ ସଭା ପାଇଁ ଲଢି ନାହିଁ । ଦଳ ଯଦି କହିବ ଲଢିବି,’’ କହିଛନ୍ତି ସ୍ୱାଇଁ ।

ଏହା ବି ପଢ଼ନ୍ତୁ | SBIର ୪୪ କୋଟି ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର; ଏହି ସବୁ ଚାର୍ଜ ଆଉ ଲାଗିବ ନାହିଁ

ଏହା ବି ପଢ଼ନ୍ତୁ | ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀର ଜଳ ସ୍ତର ବଢ଼ି ଚାଲିଛି; ଅନେକ ଗାଁରେ ବନ୍ୟା ଆଶଙ୍କା

ଉପନିର୍ବାଚନରେ ସଫଳତାର ସହ ଲଢିବ ଓ ଜିତିବ ବୋଲି ବିଜେଡି କହିଛି । ‘‘ତିର୍ତୋଲ ବିଜେଡି ହାତରେ ଥିଲା । ବାଲେଶ୍ବର ସଦରରେ ଦଳ ଏଥର ଅତି ଭଲ ପ୍ରଦର୍ଶନ କରିବ । ଲୋକେ ନିର୍ବାଚିତ ସରକାର ଓ ତା’ର କାର୍ଯ୍ୟକଳାପକୁ ଦେଖି ଭୋଟ ଦେବେ । ଉପନିର୍ବାଚନର ରେକର୍ଡ଼ ଦେଖିଲେ ବିଜେଡି ହିଁ ଭଲ ପ୍ରଦର୍ଶନ କରିଆସିଛି,’’ କହିଛନ୍ତି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ।



ଗତ କିଛି ବର୍ଷରେ ହୋଇଥିବା ଉପନିର୍ବାଚନଗୁଡିକ ବିଜେଡି ବହୁ ଭୋଟ ବ୍ଯବଧାନରେ ଜିତିଛି । ଆସନ୍ତା ଦୁଇଟି ଉପର୍ବାଚନରେ ବି ଶାସକ ଦଳ ଅତି ଭଲ ପ୍ରଦର୍ଶନ କରିବ ବୋଲି ନେଇ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ବିରୋଧୀଙ୍କ ଆଗୁଆ ସଜବାଜ ସେମାନଙ୍କୁ କେତେ ଫାଇଦା ଦେବ ତା’ ଉପରେ ସମସ୍ତଙ୍କର ନଜର ରହିଛି ।
Published by: Anand Shankar Thankur Das
First published: August 18, 2020, 10:24 PM IST
corona virus btn
corona virus btn
Loading