News 18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା 'ବିଶ୍ୱାସ' ଯୋଜନା । ଏହି ଯୋଜନାରେ ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟବସ୍ଥା ଓ ଜୀବନଶୈଳୀକୁ ଗୁରୁତ୍ୱ ଦିଆଯିବ । ବିଶେଷ କରି କମିଶନରେଟ ପୋଲିସ ଅଧୀନରେ ବସବାସ କରୁଥିବା ବରିଷ୍ଠ ନାଗରିକ ମାନଙ୍କୁ କିଭଳି ସମସ୍ତ ସହଯୋଗ ଯୋଗାଇ ଦିଆଯିବ ସେନେଇ ଏହି ଯୋଜନା ଆରମ୍ଭ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି "ଭୁବନେଶ୍ବର ସହର ମଧ୍ୟରେ ବାସ କରୁଥିବା ସମସ୍ତ ବରିଷ୍ଠ ନାଗରିକ ଆମ ସମାଜ ପାଇଁ ମୁଖ୍ୟ ଅଟନ୍ତି । ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଠନରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ସେମାନଙ୍କୁ ଅଣଦେଖା କିମ୍ବା ହତାଦର କରାଯିବା ଉଚିତ୍ ନୁହଁ । ସହରରେ ରହୁଥିବା ବରିଷ୍ଠ ନାଗରିକଙ୍କ ଜୀବନଶୈଳୀକୁ ସୁଗମ କରିବା ପାଇଁ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ସର୍ବଦା ପ୍ରଚେଷ୍ଟା ଜାରି ରହିଛି ।"
ଗତ କରୋନା ଭଳି ମହାମାରୀ ସମୟରେ ଯେତେବେଳେ ଲକଡାଉନ୍ କାରଣରୁ କେହି ବାହାରକୁ ଆସିପାରୁ ନଥିଲେ , ସେହି ସମୟରେ ମଧ୍ୟ କମିଶନରେଟ ପୋଲିସ ତାଙ୍କ ପାଖରେ ଛିଡ଼ା ହୋଇଥିଲା । କରୋନା ଟୀକା ଓ ଔଷଧଠାରୁ ଆରମ୍ଭ କରି ନିୟମିତ ଦରକାରୀ ସାମଗ୍ରୀ ସବୁକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଦାୟିତ୍ଵ କମିଶନରେଟ ପୋଲିସ ବହନ କରିଥିଲା । ସେମାନଙ୍କ ସୁରକ୍ଷା ଓ ସୁସ୍ଥ ଜୀବନକୁ ଦୃଷ୍ଟିରେ ରଖ୍ କମିଶରେଟ୍ ପୋଲିସ " ବିଶ୍ବାସ " ଯୋଜନାକୁ ହାତକୁ ନେଇଛି ।
ଏହି ଯୋଜନା କ୍ରମରେ ଆଜି ଭୁବନେଶ୍ବର ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ଯୋଗ- ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଅତିରିକ୍ତ କମିଶନର ଉମାଶଙ୍କର ଦାଶ ଏବଂ ଭୁବନେଶ୍ବର ଡିସିପି ଶ୍ରୀ ପ୍ରତୀକ୍ ସିଂହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗଦେଇ ଥିଲେ । ଏହି ଶିବିରକୁ ପତଞ୍ଜଳୀ ୟୋଗା ଓଡ଼ିଶାର ଯୋଗ ଗୁରୁ ଶ୍ରୀ ସୁଧାଂଶୁ ଅଧିକାରୀ ପରିଚାଳନା କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।