ଅଭିଯୋଗକାରୀଙ୍କୁ ସ୍ୱାଗତ କରିବ 'ସ୍ୱାଗତ' ସେବା; ପୋଲିସ କହିବେ 'ମେ ଆଇ ହେଲ୍ପ ୟୁ'

ରବିବାର କ୍ୟାପିଟାଲ ଥାନା ପରିସରରୁ ଏହି ସେବା ଆରମ୍ଭ ହୋଇଛି। ଫାଲକନ ଓ ସିସେସ କମ୍ପାନୀ ଯୋଗେ ଆରମ୍ଭ ହୋଇଥିବା ଏହିସେବାକୁ ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ଶୁଭାରମ୍ଭ କରିଛନ୍ତି।

ଅଭିଯୋଗକାରୀଙ୍କୁ ସ୍ୱାଗତ କରିବ 'ସ୍ୱାଗତ' ସେବା

ଅଭିଯୋଗକାରୀଙ୍କୁ ସ୍ୱାଗତ କରିବ 'ସ୍ୱାଗତ' ସେବା

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଏଣିକି ଥାନାମାନଙ୍କରେ ଅଭିଯୋଗକାରୀଙ୍କୁ ମିଳିବ ଉତ୍ତମ ସେବା। ଅଭିଯୋଗ କରିବା ପାଇଁ ଏଣେ ତେଣେ ଘୁରି ବୁଲିବେ ନାହିଁ କେହି। କି ବଡ଼ ବାବୁଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ସ୍ୱାଗତ ସେବା' ଯୋଜନା।

ରବିବାର କ୍ୟାପିଟାଲ ଥାନା ପରିସରରୁ ଏହି ସେବା ଆରମ୍ଭ ହୋଇଛି। ଫାଲକନ ଓ ସିସେସ କମ୍ପାନୀ ଯୋଗେ ଆରମ୍ଭ ହୋଇଥିବା ଏହିସେବାକୁ ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ଶୁଭାରମ୍ଭ କରିଛନ୍ତି।

ପୋଲିସର ସୂଚନା ଅନୁସାରେ, ଏଣିକି ଥାନାରେ ଅଭିଯୋଗକାରୀକୁ ତୁରନ୍ତ ସେବା ମିଳିବ। ଅର୍ଥାତ ଅଭିଯୋଗକାରୀଟିଏ ଆସିଲେ ଶୀତତାପ ନିୟନ୍ତ୍ରିତ ଅଭିଯୋଗ ପ୍ରକୋଷ୍ଠରେ ହେବ ସ୍ବାଗତ। ଉପସ୍ଥିତ ପୋଲିସ କର୍ମଚାରୀ ନିଜଆଡୁ ‘ମେ ଆଇ ହେଲ୍ପ ୟୁ’ ଢାଞ୍ଚାରେ କରିବେ ସ୍ବାଗତ। ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ, ପ୍ରଥମେ ଅଭିଯୋଗକାରୀର ଅଭିଯୋଗ ଶୁଣିବେ। ପରେ ଅଭିଯୋଗର ଗୁରୁତ୍ୱକୁ ବୁଝି କମ୍ପ୍ୟୁଟରରେ ଷ୍ଟେସନ ଡାଏରୀରେ ରେକର୍ଡ କରିବେ।

କମ୍ପ୍ୟୁଟରରେ ଷ୍ଟେସନ ଡାଏରୀ ହେବା ମାତ୍ରେ ଅଭିଯୋଗକାରୀଙ୍କ ମୋବାଇଲକୁ କନଫରମେସନ ମେସେଜ ଆସିବ। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସଫ୍ଟୱେର ସ୍ବାଗତ ଡିଜାଇନ କରାଯାଇଛି। ଯେଉଁଥିରେ ଅଭିଯୋଗକାରୀଙ୍କ ଅଭିଯୋଗକୁ ତୁରନ୍ତ ରେକର୍ଡ କରାଯିବ।

"ଲୋକାଭିମୁଖୀ ହୋଇ କାମ କରିବାରେ ପୋଲିସ ଆଉ ପାଦେ ଆଗକୁ ବଢ଼ିଛି। ଏହି ସେବା ଓଡ଼ିଶା ପୋଲିସ ଇତିହାସରେ ପ୍ରଥମ। ଏହି ସେବା ଦ୍ୱାରା ତୁରନ୍ତ ହେବ ଅଭିଯୋଗ ରେଜିଷ୍ଟ୍ରେସନ। ତ୍ୱରିତ ସେବା ପାଇବେ ଅଭିଯୋଗକାରୀ। ଥାନାରେ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବେନି ଅଭିଯୋଗକାରୀ। ନିଜ ଅଭିଯୋଗର ଷ୍ଟାଟ୍ସ କଣ ଗୋଟିଏ କ୍ଲିକରେ ଜାଣିବେ ଅଭିଯୋଗକାରୀ। ବିଶେଷ କରି ଅଭିଯୋଗକାରୀ ଥାନା ଆଗରେ ଆଉ ଲମ୍ବା ଲାଇନ ଲଗାଇବାକୁ ପଡ଼ିବନି, କି ବଡ଼ବାବୁଙ୍କୁ ଅପେକ୍ଷା କରିଵାକୁ ପଡ଼ିବନି। ପ୍ରଥମ ଥର ଲାଗି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏହାର ଆରମ୍ଭ ହୋଇଥିବାବେଳେ ପରେ ଶହୀଦନଗର ଥାନା ସମେତ ସବୁ ଥାନାରେ କାର୍ଯ୍ୟକାରୀ ହେବାର ଲକ୍ଷ ରଖାଯାଇଛି,’’ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଏହି ଯୋଜନାରେ ସବୁଠୁ ସ୍ୱତନ୍ତ୍ର ହେଲା, ଶିଶୁ କୋଠରୀ। ଯେଉଁଠି ଥାନା ଭିତରେ ଥିବା ଏକ ଘର ଭିତରେ କରାଯାଇଛି ଏକ ପାର୍କ। ଛୋଟ ପିଲାମାନେ ସେଇ କୋଠରୀ ଭିତରେ ପାଠ ପଢ଼ିବା ସହ ଖେଳ କୁଦ କରିପାରିବେ। ଚାଇଲ୍ଡ ଫ୍ରେଣ୍ଡଲି ପୋଲିସ ସେବା ପାଇଁ ଏହା ବେଶ ସହାୟକ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ସେହିପରି ବାହାଘର ହେଉ ବା ମୃତ କ୍ରିୟା କର୍ମ ପାଇଁ ଲାଇସେନ୍ସ ପାଇଁ ଗୋଟିଏ କ୍ୟୁଆର କୋର୍ଡ ସ୍କାନରେ ମିଳିଯିବ ସେବା‌। ଏଥିସହ ଏହି ସ୍ବାଗତ ସେଣ୍ଟରରେ ମହିଳା ଓ ଶିଶୁ ପ୍ରକୋଷ୍ଠକୁ ନୂଆ ଢାଞ୍ଚାରେ ଡିଜାଇନ କରାଯାଇଛି। ଯାହାଦ୍ବାରା ଅଭିଯୋଗକାରୀ ନିଜକୁ ସ୍ବାଭାବିକ ଭାବେ ସମସ୍ତ ସେବାର ଲାଭ ଉଠାଇ ପାରିବେ।

ସୂଚନାଯୋଗ୍ୟ, ପୂର୍ବରୁ ଥାନାକୁ ଆସୁଥିବା ଅଭିଯୋଗକାରୀ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କେଉଁଠି ଅଭିଯୋଗ ଲେଖିବେ, ଅଭିଯୋଗ କାହାକୁ କରିବେ, ପୋଲିସ ସେମାନଙ୍କ ଅଭିଯୋଗ ରଖିବ କି ନାହିଁ, ସେନେଇ ଦ୍ଵନ୍ଦରେ ରୁହନ୍ତି ଅଭିଯୋଗକାରୀ। ହେଲେ ଏବେ ନୂଆ ଉପାୟ ଅପଣେଇଛି ପୋଲିସ। ଅପେକ୍ଷା ଲୋକଙ୍କୁ ଥାନାରେ କିଭଳି ସେବା ଯୋଗାଇବ ଏହି ନୂଆ ଯୋଜନା।
Published by:Lipina Das
First published: