କଟକ ବେଲେଶ୍ୱର ଦମ୍ପତି ହତ୍ୟା ମାମଲାରେ CFSLର ସହାୟତା ନେଲା ପୋଲିସ; ଜେରା ଚ଼ାଲିଛି
CFSLର ଏହି ବିଶେଷଜ୍ଞମାନଙ୍କୁ ଏମିତି ଅପରାଧର ତଦନ୍ତରେ ବ୍ୟବହାର କରିବାରେ କଟକ କମିଶନରେଟ ପୋଲିସ ରାଜ୍ୟରେ ପ୍ରଥମ । ପୂର୍ବରୁ କ୍ରାଇମ୍ ବ୍ରାଞ୍ଚ ଗୋଟିଏ ଦୁଇଟି ଜଟିଳ ମାମଲାରେ ଏହି ବିଶେଷଜ୍ଞଙ୍କ ସହାୟତା ନେଇ ସଫଳତା ପାଇଥିଲା ।

ମୃତ ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲ
- News18 Odia
- Last Updated: February 21, 2020, 12:15 AM IST
କଟକ: ବହୁଚ଼ର୍ଚ୍ଚିତ କଟକ ବେଲେଶ୍ୱର ଦମ୍ପତି ହତ୍ୟା ମାମଲାରେ ସି.ବି.ଆଇ. (CBI) ଦ୍ଵାରା ପରିଚାଳିତ ସେଣ୍ଟ୍ରାଲ ଫରେନ୍ସସିକ ସାଇନ୍ସ ଲାବୋରେଟରୀ (CFSL)ର ସହାୟତା ନେଲା କଟକ କମିଶନରେଟ ପୋଲିସ । CFSL ପୋଲିଗ୍ରାଫିକ ବିଭାଗର ଦୁଇଜଣିଆ ବିଶେଷଜ୍ଞ ଦଳ ଗତ କାଲି ଠାରୁ କଟକରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଏହି ଟିମରେ ଥିବା ଦୁଇ ଜଣ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ ଏଲ୍.ବି.ଏ. (loyal voice analyst) ବିଭାଗର ହୋଇଥିବା ବେଳେ ଅନ୍ୟ ଜଣେ ମନସ୍ତତ୍ତ୍ୱ ବିଭାଗର ଅଛନ୍ତି । ଏହି ବହୁଚ଼ର୍ଚ୍ଚିତ ହତ୍ୟାକାଣ୍ଡରେ ପୋଲିସର ସନ୍ଦେହ ଘେରରେ ଥିବା ଲୋକଙ୍କୁ ପଚ଼ରାଉଚ଼ରା ପାଇଁ ଜଣ ଜଣକୁ ଡକା ଯାଇଛି ଓ ପୋଲିସ ସହ ମିଶି ସନ୍ଦିଗ୍ଧମାନଙ୍କୁ ପଚ଼ରାଉଚ଼ରା କରୁଛନ୍ତି ଦୁଇ ବିଶେଷଜ୍ଞ।
ସାଧାରଣତଃ ମିଛ କହିବା ସମୟରେ ଜଣେ ଲୋକର ଚ଼େହେରା, ହାବଭାବ ଓ କଥାବାର୍ତ୍ତାରେ କିଛିଟା ଅସ୍ଵାଭାବିକ ପରିବର୍ତ୍ତନ ଆସିଥାଏ । ସେହି ଅସ୍ଵାଭାବିକ ଭାବକୁ ଏହି ଟିମର ସଦସ୍ୟମାନେ ଲକ୍ଷ କରୁଛନ୍ତି । ନିଜେ ମଧ୍ୟ ସନ୍ଦିଗ୍ଧମାନଙ୍କୁ କିଛି ପ୍ରଶ୍ନ କରୁଛନ୍ତି।
ଏହି ମାମଲାରେ CFSLର ସହଯୋଗ ନେବା ପାଇଁ କଟକ ଡିସିପିଙ୍କ ପକ୍ଷରୁ ପୋଲିସ କମିଶନରଙ୍କ ଜରିଆରେ ଏକ ପତ୍ର ଲେଖାଯାଇଥିଲା । ପରେ ପୋଲିସ କମିଶନର ସେହି ପତ୍ରକୁ CFSLକୁ ପଠାଇଥିବା ଜଣା ପଡ଼ିଛି।
CFSLର ଏହି ବିଶେଷଜ୍ଞମାନଙ୍କୁ ଏହି ଭଳି ଅପରାଧର ଅନୁସନ୍ଧାନରେ ବ୍ୟବହାର କରିବାରେ କଟକ କମିଶନରେଟ ପୋଲିସ ହେଉଛି ରାଜ୍ୟରେ ପ୍ରଥମ । ପୂର୍ବରୁ କ୍ରାଇମ୍ ବ୍ରାଞ୍ଚ ଗୋଟିଏ ଦୁଇଟି ଜଟିଳ ମାମଲାରେ ଏହି ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଥିଲା ଓ ସେଥିରେ କ୍ରାଇମ୍ ବ୍ରାଞ୍ଚକୁ ସଫଳତା ମଧ୍ୟ ମିଳିଥିଲା।
‘‘ଏହି ହତ୍ୟା ମାମଲାରେ ମୋଟ ନଅ ଜଣଙ୍କ ଉପରେ ଆମର ସନ୍ଦେହ ରହିଛି । ପ୍ରଥମ ଦିନରେ ବିଶେଷଜ୍ଞ ଟିମ୍ ସାମନାରେ ତିନି ଜଣ ବ୍ୟକ୍ତିଙ୍କୁ ଜେରା କରା ଯାଇଛି । ଅନ୍ୟମାନଙ୍କୁ ବାକି ଦୁଇ ଦିନ ମଧ୍ୟରେ ଜେରା କରାଯିବ,’’ କହିଛନ୍ତି ସାମିଲ ଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ।
ସନ୍ଦିଗ୍ଧମାନଙ୍କୁ ଜେରା ସମୟରେ ସେମାନଙ୍କ ଚ଼େହେରା ଓ କଥାବାର୍ତ୍ତାକୁ ଅତି ସତର୍କତାର ସହ ଅନୁଧ୍ୟାନ କରି ନୋଟ ମଧ୍ୟ କରୁଛନ୍ତି ଏହି ଦୁଇ ବିଶେଷଜ୍ଞ। ଚ଼ାରି ଦିନ ଧରି ଜେରା କରିବା ପରେ ଏହି ଟିମ ଏକ ରିପୋର୍ଟ ପ୍ରସ୍ତତ କରି ପୋଲିସକୁ ପ୍ରଦାନ କରିବ ।
ଗତ ଡିସେମ୍ବର ମାସ ୧୨ ତାରିଖ ରାତିରେ କଟକ ବେଲେଶ୍ବର ଠାରେ ନିଜ ଘରେ ଏକାକୀ ରହୁଥିବା ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲଙ୍କୁ ହତ୍ୟା କରାଯାଇଥିଲା । ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ବୃଦ୍ଧ ସ୍ବାମୀସ୍ତ୍ରୀଙ୍କୁ ମରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ହତ୍ୟା କରିଥିଲେ ।