• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପୁରୀ: ମେଡିସିନ ବିତରଣ ନାଁରେ ଚାଲିଥିଲା ନିଶା କାରବାର; ଗାଡି ଯାଞ୍ଚ ସମୟରେ ପୋଲିସକୁ ମିଳିଲା ୨୦ ବସ୍ତା କୋରେକ୍ସ

ପୁରୀ: ମେଡିସିନ ବିତରଣ ନାଁରେ ଚାଲିଥିଲା ନିଶା କାରବାର; ଗାଡି ଯାଞ୍ଚ ସମୟରେ ପୋଲିସକୁ ମିଳିଲା ୨୦ ବସ୍ତା କୋରେକ୍ସ

ସମୁଦାୟ ୮,୫୦୦ଟି ବୋତଲ କୋଡ଼ାଇନ ଫସପେଟ ଯୁକ୍ତ କଫ ସିରପ ଜବତ ହୋଇଥିଲା । ଦୁଇଟି କାରରେ କୋରେକ୍ସ ନେଇ ଯାଉଥିବା ବେପାରୀଙ୍କୁ ଥାନାକୁ ନିଆଯାଇଥିଲା ।

ପୋଲିସ ଜବତ କରିଥିବା ୨୦ ବସ୍ତା କୋରେକ୍ସ ଓ ଗିରଫ ହୋଇଥିବା ବେପାରୀ

ପୋଲିସ ଜବତ କରିଥିବା ୨୦ ବସ୍ତା କୋରେକ୍ସ ଓ ଗିରଫ ହୋଇଥିବା ବେପାରୀ

  • Share this:
News18 Odia Digital
ପୁରୀ: ଗତ କିଛି ଦିନ ହେବ ମେଡିସିନ୍ ଡ଼ିଷ୍ଟ୍ରିବ୍ୟୁଟର ଏସେନ୍ସିଆଲ୍ ସର୍ଭିସ୍ ନାଁରେ କାରରେ ଷ୍ଟିକର ମାରି ନିଶା କାରବାର ହେଉଥିବା ଅଭିଯୋଗ ଆସୁଥିଲା । ଏହାକୁ ଭିତ୍ତିକରି ପୁରୀ ପୋଲିସ ଅଗଷ୍ଟ ୧୭ ତାରିଖରେ ମଙ୍ଗଳାଘାଟ ବାଇପାସ ରେ ଏପରି ଦୁଇଟି କାରକୁ ଅଟକାଇ ଯାଞ୍ଚ କରିବା ସହ ୨୦ ବସ୍ତା କୋରେକ୍ସ ଜବତ କରିଛି । ଏହି କାରବାର ନେଇ ପୁରୀ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ, ଖଣ୍ଡଗିରି ଓ ନୟାଗଡ଼ରେ ଅନେକ ମେଡ଼ିସିନ ଏଜେନ୍ସି ଉପରେ ଚଢ଼ାଉ ଜାରୀ ରଖିଛି । ପୁରୀରେ କେଉଁମାନେ ଏହି କାରବାରରେ ସମ୍ପୃକ୍ତି ସେ ନେଇ ବାସେଳିସାହି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୁଚନା ଅନୁସାରେ, ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୭ ପୂର୍ବାହ୍ନ ୯ଟା ୪୫ରେ ବାସେଳୀସାହି ଥାନା ଅଧୀନ ମଙ୍ଗଳାଘାଟ ଠାରେ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଉଥିଲା । ସେହି ସମୟରେ ଭୁବନେଶ୍ୱର ଆଡ଼ ପୁରୀକୁ ଆସୁଥିବା ଦୁଇଟି ସୁଜୁକି ଡିଜାୟର କାରକୁ ମଧ୍ୟ ଯାଞ୍ଚ କରାଯାଇଥିଲା । ଗୋଟିଏ କଳା ଓ ଅନ୍ୟଟି ଧଳା ରଙ୍ଗର କାର ଯାହାର ନମ୍ବର ହେଉଛି OD-୦୨-U-୭୦୦୬ ଓ OD-୦୨-AG-୧୦୯୪ । ଏହି କାରରେ ସମ୍ମୁଖରେ ମଧ୍ୟ ମେଡ଼ିସିନ୍ ଡିଷ୍ଟ୍ରିବ୍ୟୁଟର ଏସେନ୍ସିଆଲ୍ ସର୍ଭିସ୍ ବୋଲି ଲେଖାଥିଲା । ଯାହାକୁ ଅତ୍ୟାବଶ୍ୟକ ମେଡ଼ିସିନ୍ ବିତରକ ବୋଲି ସମସ୍ତେ ଭାବୁଥିଲେ। କିନ୍ତୁ ଏହି ୨ଟି କାର ଅଟକାଇବା ପରେ ପୋଲିସ ଯାଞ୍ଚ କରିଥିଲା ।

ଗୋଟିଏ ଲେଖାଏଁ କାରରୁ ବାହାରିଥିଲା ୧୦ ବସ୍ତା ଲେଖାଏଁ କୋରେକ୍ସ । ସମୁଦାୟ ୮,୫୦୦ଟି ବୋତଲ କୋଡ଼ାଇନ ଫସପେଟ ଯୁକ୍ତ କଫ ସିରପ ଜବତ ହୋଇଥିଲା । ଦୁଇଟି କାରରେ କୋରେକ୍ସ ନେଇ ଯାଉଥିବା ବେପାରୀଙ୍କୁ ନିକଟରେ ଥିବା ବାସେଳୀସାହି ଥାନାକୁ ନେଇଯାଇଥିଲା । ସେଠାରେ ଥାନା ଅଧିକାରୀ ତଥା ପୁରୀ ସ୍ପେଶାଲ ସ୍କ୍ୱାର୍ଡ ଟିମ ଲିଡର ଜୀବନାନନ୍ଦ ଜେନା ପଚରାଉଚୁରା କରିବା ପରେ ଏହି ରାକେଟର ପର୍ଦ୍ଧା ଫାସ ହୋଇଥିଲା ।

"ଆମେ କୋରେକ୍ସ ତଦନ୍ତ ଧରିବା ପରେ ଆରମ୍ଭ କରିଥିଲୁ । କୋଭିଡ଼ ଆଳରେ ଏଭଳି ମେଡ଼ିସିନ ଏଜେନ୍ସିମାନେ ନିଶା କାରବାର କରୁଛନ୍ତି । ଯାହା ଫଳରେ ବେଧଡ଼କ ଭାବେ ରାଜ୍ୟରେ ଚାଲିଛି ନିଶା କାରବାର । ଆମେ ଏଠି କୋରେକ୍ସ ଧରିବା ପରେ ତାହା କୁଆଡ଼େ ଯାଉଥିଲା କିଏ ଅର୍ଡ଼ର ଦେଇଥିଲା ତାହାର ତଦନ୍ତ ଆରମ୍ଭ ହୋଇଛି । କାର ଦୁଇଟିକୁ ଭୁବନେଶ୍ୱରର ଖଣ୍ଡଗିରି କୋଳଥିଆ ବଗିଚାର ୩୭ ବର୍ଷୀୟ ବେପାରୀ ମନୋଜ କୁମାର ଭୁୟାଁ ପଠାଇଥିଲେ । ତେଣୁ ସ୍ପେଶାଲ ସ୍କ୍ୱାର୍ଡ ମନୋଜଙ୍କ ମୀନୁ ଏଣ୍ଟର୍ ପ୍ରାଇଜର୍ସ ନାମରେ ଏକ ମେଡ଼ିସିନ୍ ଷ୍ଟୋରରେ ଚଢ଼ାଉ କରାଯାଇଥିଲା । ସେଠାରେ ମଧ୍ୟ ଆଉ ୧୦ ବସ୍ତା କୋରେକ୍ସ ଗଚ୍ଛିତ ରହିଥିଲା । ସେଥିରେ ୫ ହଜାର ବୋତଲ ରହିଥିଲା । ସେସବୁକୁ ଜବତ କରି ପୁଲିସ ଥାନାକୁ ଆଣିଥିଲେ । ଏହି ଘଟଣାରେ ଏସ୍ଆଇ ବିପ୍ଲବ ପ୍ରଧାନଙ୍କ ଏତଲାକ୍ରମେ ବାସେଳିସାହି ଥାନାରେ ୨୧୩/୨୦ରେ ମାମଲା ରୁଜୁ କରାଯାଇଛି । ଆଉ ଏହାର ତଦନ୍ତ ଏସ୍ଆଇ ସୁଶାନ୍ତ କୁମାର ବେହେରା ତଦନ୍ତ କରୁଛନ୍ତି,'' କହିଛନ୍ତି ସ୍ପେଶାଲ ସ୍କ୍ୱାର୍ଡ ଟିମ ଲିଡ଼ର ଜୀବନାନନ୍ଦ ଜେନା ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ସୁପ୍ରିମ କୋର୍ଟ କହିଲେ CBI ତଦନ୍ତ କରିବ; ମୁମ୍ବାଇ ପୋଲିସକୁ ସହଯୋଗ ପାଇଁ ଆଦେଶ

ଏହା ବି ପଢ଼ନ୍ତୁ | କେରଳର ୧୦୩ ବର୍ଷ ବୟସ୍କ ବ୍ୟକ୍ତି ଦେଲେ କରୋନାକୁ ମାତ୍ ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ବଡ଼ ସଫଳତା

"ମେଡିସିନ୍ ବିତରଣ ନାଁରେ ନିଶା କାରବାର କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ୩୦ବର୍ଷୀୟ ମୃତ୍ୟୁଂଜୟ ସାହୁ, ଭୁବନେଶ୍ୱର ଓଲ୍ଡ ଟାଉନ୍ ଗ୍ୟାରେଜ୍ ଛକର ୪୨ବର୍ଷୀୟ ଦେବାଶିଷ୍ ରାୟପିତ୍ତମ, ଖଣ୍ଡଗିରି କୋଳଥିଆ ବଗିଚାର ୩୭ ବର୍ଷୀୟ ମନୋଜ କୁମାର ଭୁୟାଁ ଓ ପିପିଲି ଲକ୍ଷ୍ନୀନାରାୟଣ ପୁରର ୪୩ ବର୍ଷୀୟ ଜ୍ୟୋତିଶ୍ କୁମାର କାନୁନଗୋଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ଜବତ ହୋଇଥିବା ୨୦ବସ୍ତାରେ ୮୫୦୦ଟି ଅର୍ଥାତ ୮୫୦ ଲିଟର କୋରେକ୍ସ ବୋତଲ ଜବତ କରାଯାଇଛି । ସେମାନେ ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ବେପାର କରୁଥିବା ସ୍ୱୀକାର କରିଛନ୍ତି । ସେମାନେ ପୁରୀରେ କୋରେକ୍ସ ପହଞ୍ଚାଇ ଅବଶିଷ୍ଟ ଖୋର୍ଦ୍ଧା ଓ ନୟାଗଡ଼ ନେଇ ଯାଇଥାନ୍ତେ ବୋଲି ଯୋଜନା କରିଥିଲେ," କହିଛନ୍ତି ପୁରୀ SP ଅଖିଳେଶ୍ୱର ସିଂ ।



ପୋଲିସ ଆହୁରି ମଧ୍ୟ ସୂଚନା ଦେଇଛି, ଦୀର୍ଘଦୀନ ହେବ ଏମାନେ କୋରେକ୍ସ କାରବାର କରୁଛନ୍ତି । ମେଡ଼ିସିନ ବିତରଣ କରୁଥିବା ପରିଚୟ ଦେଇ ନିଜକୁ ସୁରକ୍ଷିତ ରଖିବା ସହ କାରବାରକୁ ବୃଦ୍ଧି କରାଇବାରେ ଲାଗିପଡିଥିଲେ । ୩ଟି ଜିଲ୍ଲାରେ ଏମାନେ ପହଞ୍ଚାଇବା ପରେ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା କୋରେକ୍ସ । ତେଣୁ ଏହି ରାକେଟ୍ ରେ ଅନେକ ଛୋଟ ବେପାରୀମାନେ ସାମିଲ୍ ହୋଇ ହଜାର ହଜାର ଟଙ୍କା ରୋଜଗାର କରୁଥିଲେ । ରାକେଟ୍ ରେ ଅନ୍ୟମାନଙ୍କ ସମ୍ପୃକ୍ତି ରହିଥିବାରୁ ଗିରଫ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ।
Published by:Jagdish Barik
First published: