କଟକକୁ ଫେରିଲା ହେଲମେଟ୍ ଯାଞ୍ଚ; ଫଟୋ ଉଠୁଛି, ଆଉ ସଙ୍ଗେ ସଙ୍ଗେ ୧,୦୦୦ ଟଙ୍କାର ଫାଇନ୍ କଟୁଛି

ହେଲମେଟ ପିନ୍ଧି ନ ଥିବା ଓ ଟ୍ରିପଲ ରାଇଡିଂ କରୁଥିବା ଲୋକଙ୍କ ବାଇକର ଫଟୋ ଉଠାଇ ତାକୁ ହ୍ବାଟ୍ସଆପ ମାଧ୍ୟମରେ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ପଠାଇ ଦିଆଯାଉଛି । ସେମାନଙ୍କ ମୋବାଇଲ ଫୋନକୁ ୧,୦୦୦ ଟଙ୍କାର ଫାଇନ କଟିଥିବା ନେଇ SMS ଆସୁଛି ।

ହେଲମେଟ ପିନ୍ଧି ନ ଥିବା ଜଣେ ମହିଳାଙ୍କୁ ଅଟକାଉଛନ୍ତି ଜଣେ ପୋଲିସ କର୍ମୀ ।

ହେଲମେଟ ପିନ୍ଧି ନ ଥିବା ଜଣେ ମହିଳାଙ୍କୁ ଅଟକାଉଛନ୍ତି ଜଣେ ପୋଲିସ କର୍ମୀ ।

  • Share this:
News18 Odia Digital

କଟକ: ହେଲମେଟ ନ ପିନ୍ଧି କଟକ ସହରରେ ବାଇକ ଚଲାଉଥିବା ବ୍ୟକ୍ତି ସାବଧାନ । ଚାରି ମାସର ବ୍ୟବଧାନ ପରେ କଟକକୁ ପୁଣି ଫେରିଛି ହେଲମେଟ ଯାଞ୍ଚ । ପୂର୍ବ ଭଳି ଟ୍ରାଫିକ ପୋଲିସ କର୍ମୀମାନେ ଖିଲାପକାରୀଙ୍କୁ ଅଟକାଇ କେବଳ ସେହିଠାରେ ଫାଇନ ଆଦାୟ କରୁ ନାହାଁନ୍ତି, ବରଂ ଖିଲାପକାରୀ ବାଇକ ଚାଳକମାନଙ୍କ ବାଇକର ଫଟୋ ଉଠାଇ ତାକୁ ହ୍ବାଟ୍ସଆପ ମାଧ୍ୟମରେ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ପଠାଇ ଦେଉଛନ୍ତି ।

ଏହାର କିଛି ସମୟ ପରେ ଖିଲାପକାରୀଙ୍କ ମୋବାଇଲ ଫୋନକୁ ୧,୦୦୦ ଟଙ୍କାର ଫାଇନ କଟିଥିବା ନେଇ ଏସ.ଏମ.ଏସ. ପଠାଇ ଦିଆଯାଉଛି । ସହରରେ ବାଇକ ଧରି ଏଣେ ତେଣେ ବୁଲୁଥିବା ଓ ଟ୍ରାଫିକ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ଖିଲାପିକାରୀଙ୍କ ସଂଖ୍ୟା ଗତ କିଛି ଦିନ ହେଲା ବେଶ ବୃଦ୍ଧି ପାଇବା ପରେ ଏହି ପଦକ୍ଷେପ ଗ୍ରହଣ କରିଛି କମିଶନରେଟ ପୋଲିସ । ଫଳ ସ୍ବରୂପ ଗତ ୩ ଦିନ ମଧ୍ୟରେ ହେଲମେଟ ନ ପିନ୍ଧି ବାଇକ ଚଳାଉଥିବା ଓ ଟ୍ରିପଲ ରାଇଡିଂ କରୁଥିବା ୨୪୦ ଜଣ ବ୍ୟକ୍ତିଙ୍କ ଚାଲାଣ କଟାଯାଇ ସାରିଲାଣି ।

‘‘ମୁଁ ତରବର ହୋଇ ଘରୁ ବାହାରିଥିଲି ତ, ସେଥି ପାଇଁ ହେଲମେଟ ଆଣିବାକୁ ଭୁଲି ଯାଇଥିଲି । ହେଲେ ଏଠି ପହଞ୍ଚିବା ପରେ ମୋ’ ବାଇକର ଫଟୋ ଉଠାଇ ନେଲେ । ପଚାରିବା ପରେ ଚାଲାଣ କଟିବ ବୋଲି କହୁଛନ୍ତି । ହେଲେ ଆଗକୁ ଏ ଭୁଲ ହେବ ନାହିଁ,’’ କହିଛନ୍ତି ବାଦାମବାଡ଼ି ଚେକପୋଷ୍ଟରେ ଧରା ପଡିଥିବା ଜଣେ ଖିଲାପକାରୀ ଯୁବକ।

ଜଣେ ପୋଲିସ କର୍ମୀ ହେଲମେଟ ପିନ୍ଧି ନ ଥିବା ବାଇକ ଚାଳକଙ୍କ ବାଇକର ଫଟୋ ଉଠାଉଛନ୍ତି ।


ମାର୍ଚ୍ଚ ତୃତୀୟ ସପ୍ତାହରୁ ଲକଡାଉନ ଜାରି ହେବା ପରେ ସହରରେ ଯାନବାହନ ଚଳାଚଳ ଅନେକ ମାତ୍ରାରେ କମିଯାଇଥିଲା । ଏହା ସହ କୋଭିଡ ଗାଇଡଲାଇନ ଓ ଲକଡାଉନ ନିୟମକୁ କାର୍ଯ୍ୟକାରୀ କରିବା ଦିଗରେ ପୋଲିସ ଅଧିକ ଧ୍ୟାନ ଦେଉଥିବାରୁ ସହରରେ ମୋଟର ଭେଇକିଲ ଆଇନ ପାଳନ ମଧ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । କିନ୍ତୁ ଗତ କିଛି ଦିନ ହେଲା ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଚାଲିଥିବା ବେଳେ ସହର ମଧ୍ୟରେ ଯାନବାହନ ଚଳାଚଳ ହଠାତ ବୃଦ୍ଧି ପାଇଛି । ଫଳରେ ଲକଡାଉନରୁ ସେଭଳି ଲାଭ ମିଳିପାରୁ ନାହିଁ।  ଏହାକୁ ରୋକିବା ପାଇଁ କଟକ କମିଶନରେଟ ପୋଲିସ ଏହି ପଦକ୍ଷେପ ନେଉଥିବା କୁହାଯାଉଛି ।

କୋଭିଡ ନିୟମ ସହ ମୋଟର ଯାନ ଆଇନ ପାଳନ କରିବାକୁ ଲୋକଙ୍କୁ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।


‘‘କୋଭିଡ ସମୟରେ ଲକଡାଉନ ନିୟମ ସହିତ ମୋଟର ଭେଇକିଲ ଆଇନକୁ ମଧ୍ୟ ଲୋକେ ପାଳନ କରିବା ଦରକାର । ବିଶେଷ କରି ବାଇକ ଚଳାରଉଥିବା ସମୟରେ ହେଲମେଟ ପିନ୍ଧିବା ନିହାତି ଜରୁରୀ । ତେଣୁ ମୁଁ ସହରବାସୀଙ୍କୁ ନିବେଦନ କରୁଛି ସେମାନେ କୋଭିଡ ନିୟମ ସହ ମୋଟର ଯାନ ଆଇନକୁ ମଧ୍ୟ ପାଳନ କରନ୍ତୁ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ

ଏହା ବି ପଢ଼ନ୍ତୁ: କଳହର କରୁଣ ପରିଣତି: ପତ୍ନୀ ଓ ଶାଶୁ ମିଶି ଝାଡ଼ୁରେ ପିଟିଲେ, ତେଣୁ ସେ ଆତ୍ମହତ୍ୟା କଲେ

କଟକରେ କରେନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଉତ୍କଟ ରୂପ ଧାରଣ କରିବାରେ ଲାଗିଛି । ଆଜି ଜିଲ୍ଲାରୁ ୭୫ଟି ନୂଆ ମାମଲା ସାମନାକୁ ଆସିଛି । ସେମାନଙ୍କ ମଧ୍ୟରେ ୬୦ ଜଣ କେବଳ କଟକ ସହରର ବୋଲି ଜଣା ପଡ଼ିଛି ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by:Anand Shankar Thankur Das
First published: