News18OdiaDigital
ଭୁବନେଶ୍ୱର: ଯୁବ ସ୍ଵେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଚଳାଇଛି ରେଳବାଇ ପୋଲିସ (Aditya Dash death suicide or murder)। ବୁଧବାର ପୋଲିସ ଆଦିତ୍ୟଙ୍କ ମୃତ ଦେହ ମିଳିଥିବା ସ୍ଥାନ, ତ୍ରିଲୋଚନ ନଗରରେ ସେ ଚଳାଉଥିବା ଜରାଶ୍ରମ ଓ ସୁନ୍ଦରପଦାର ଏକାମ୍ର ନଗରରେରେ ସେ ରହୁଥିବା ଘରେ ପହଞ୍ଚି ଛାନ୍ ଭିନ୍ ଆରମ୍ବ କରିଛି ।
ଆଦିତ୍ୟଙ୍କ ପରିବାର ଲୋକ, ନିକଟ ସମ୍ପର୍କୀୟ ଓ ‘ପିପୁଲ୍ ଫର୍ ସେବା’ ସଙ୍ଗଠନର ସଦସ୍ୟମାନଙ୍କ ପଚରାଉଚୁରା କରିଛି ପୋଲିସ । ମୃତ ଦେହ ମିଳିଥିବା ସ୍ଥାନରେ ରେଳବାଇ ଏସ୍.ପି. ଅଶୋକ ବିଶ୍ବାଳ ପହଞ୍ଚି ଯାଞ୍ଚ ଚଳାଇଛନ୍ତି ।
‘‘ମୃତ ଦେହକୁ ଆମେ କାଲି ବ୍ୟବଚ୍ଛେଦ ପାଇଁ ପଠାଇଛୁ । ଏ ପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ । ତେଣୁ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଏବେ କହିହେଉ ନାହିଁ । ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡୁଛି ଏହା ଆତ୍ମହତ୍ୟାଜନିତ ମୃତ୍ୟୁ । କିନ୍ତୁ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି । ତାଙ୍କର କଲ୍ ରେକର୍ଡ ଯାଞ୍ଚ କରାଯାଉଛି । ଅନ୍ତେବାସୀଙ୍କ ସହ କଥା ହେଉଛୁ । ଯେହେତୁ ସେ (ଆଦିତ୍ୟ) ନିଶା ନିବାରଣ ସଙ୍ଗଠନ ବନେଇଥିଲେ, ସେଥି ପାଇଁ କିଛି ଧମକ ଚମକ ତାଙ୍କୁ ମିଳିଥିଲା କି ନାହିଁ ସେ ନେଇ ବି ତାଙ୍କ ସହକର୍ମୀମାନଙ୍କ ସହ କଥା ହେଉଛୁ,’’ କହିଛନ୍ତି ରେଳବାଇ ଏସ୍.ପି. ଅଶୋକ ବିଶ୍ବାଳ ।

ଆଦିତ୍ୟ ଚଳାଉଥିବା ଜରାଶ୍ରମର ଜଣେ ଅନ୍ତେବାସୀ ଭୋ ଭୋ ହୋଇ କାନ୍ଦୁଛନ୍ତି ।
ଜରାଶ୍ରମର ଅନ୍ତେବାସୀମାନେ ଆଦିତ୍ୟଙ୍କ ମୃତ୍ୟୁ ଖବର ଶୁଣିବା ପର ଠାରୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଜରାଶ୍ରମ ଏବେ କେମିତି ଚାଲିବ ବୋଲି ପଚାରିଛନ୍ତି ସେମାନେ । ଜରାଶ୍ରମରେ ରହୁଥିବା ବୃଦ୍ଧ ଓ ବୃଦ୍ଧାମାନେ କାନ୍ଦୁଛନ୍ତି । ଅନ୍ତେବାସୀମାନେ କହିଛନ୍ତି ଯେ ଆଦିତ୍ୟ ଆତ୍ମହତ୍ୟା କରିନାହାନ୍ତି । ଏକ ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ କହୁଛନ୍ତି ।
ଆଦିତ୍ୟ ଦାଶଙ୍କ ମୃତ ଦେହ ମଙ୍ଗଳବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଭୁବନେଶ୍ୱରରେ ଲିଙ୍ଗରାଜ ଷ୍ଟେଶନ ନିକଟରେ ରେଳ ଲାଇନ କଡ଼ରୁ ମିଳିଥିଲା । ରେଳବାଇ ପୋଲିସ ତାଙ୍କ ମୃତ ଦେହ ଉଦ୍ଧାର କରିଥିଲା । ଆଦିତ୍ୟ ମାତ୍ର ମାସକ ତଳେ ପ୍ରେମ ବିବାହ କରିଥିଲେ । ସର୍ବଦା ଖୁସ୍ ମିଜାଜରେ ରହୁଥିବା ଓ ଅନ୍ୟକୁ ପ୍ରେରଣା ଦେଇଚାଲିଥିବା ଆଦିତ୍ୟ ଯେ ସୁଇସାଇଡ୍ କରିଥିବେ ତାହା ତାଙ୍କ ପରିବାର ଓ ବନ୍ଧୁମାନେ ବିଶ୍ୱାସ କରିପାରୁ ନାହାନ୍ତି ।

ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ବିବାହ ମାସକ ତଳେ କଟକ ଖପୁରିଆରେ ହୋଇଥିଲା l
ଆଦିତ୍ୟଙ୍କ ସହଯୋଗୀ ଓ ସମ୍ପର୍କୀୟମାନେ କହିଛନ୍ତି ଯେ ସେ ବହୁତ ବଳିଷ୍ଠ ମନର ମଣିଷ ଥିଲେ ଓ ସେ କେବେ ବି ଆତ୍ମହତ୍ୟା କରି ନ ଥିବେ । ତାଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ସେମାନେ ଦାବି କହିଛନ୍ତି ।
ଆଦିତ୍ୟ ତ୍ରିଲୋଚନ ନଗରରେ ଏକ ବୃଦ୍ଧାଶ୍ରମ ଚଳାଉଥିଲେ l ସେ ମଦ ଓ ନିଶା ବିରୋଧୀ ଅଭିଯାନରେ ଏକ ପ୍ରମୁଖ ଯୋଦ୍ଧା ଥିଲେ । ସୋସିଆଲ ମିଡ଼ିଆରେ ମଦ ବିକ୍ରୀ ବିରୋଧରେ ସେ ଅନେକ ଶାଣିତ ଓ ବିପ୍ଳବାତ୍ମକ କଥା ଓ କବିତା ଶୁଣାଉଥିଲେ । ଅନେକ ପ୍ରେରଣାତ୍ମକ ଭିଡ଼ିଓ ସେ ଅପଲୋଡ଼ କରୁଥିଲେ l
ମୃତ ଦେହ ମିଳିବାର ମାତ୍ର କେଇ ଘଣ୍ଟା ପୂର୍ବରୁ ସୋମବାର ମଧ୍ୟାନ୍ନରେ ଆଦିତ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଆଦିତ୍ୟଙ୍କ
ଫେସବୁକ୍ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ଼ କରିଥିଲେ । ଆଦିଶ୍ରୀ ପ୍ରଡକ୍ସନ୍ସ ନାଁର ସେମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲର ଏହି ଭିଡିଓରେ ହସ ହସ ମୁହଁରେ ଉଭୟେ ଘରେ ପତି-ପତ୍ନୀ ଓ ବୟଫ୍ରେଣ୍ଡ-ଗର୍ଲଫ୍ରେଣ୍ଡଙ୍କ ମଧ୍ୟରେ ହେଉଥିବା ମନୋମାଳିନ୍ୟ ଓ କଳି-ଝଗଡ଼ା କମ୍ କରିବା ପାଇଁ ବିଭିନ୍ନ ଉପାୟ କହିଛନ୍ତି । ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ବିବାହ ଜୁନ୍ ୯ ତାରିଖରେ କଟକ ଖପୁରିଆରେ ହୋଇଥିଲା l
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।