News18 Odia Digital
ବାଲେଶ୍ୱର: ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ ନ କରିବା ଓ ଏକ ଜବତ କାରକୁ ମୁକୁଳାଇବା ପାଇଁ ଜଣେ ପୋଲିସ ଅଫିସର୍ ଟଙ୍କା ମାଗୁଥିବାର ସୂଚନା ଥିବା ଏକ ଅଡ଼ିଓ କ୍ଲିପ ଭାଇରଲ ହେବା ପରେ ବାଲେଶ୍ୱର ଜିଲ୍ଲାରେ ପୋଲିସ ଓ ମାଫିଆଙ୍କ ମଧ୍ୟରେ ଥିବା ଭିତରି ସମ୍ପର୍କ ଉଜାଗର ହୋଇଛି ଓ ଅଭିଯୁକ୍ତ ପୋଲିସ ଅଫିସରଙ୍କୁ ନିଲମ୍ବିତ କରାଯାଇଛି ।
ଭାଇରାଲ କ୍ଲିପରୁ ଜଳେଶ୍ବର ଥାନାର ଭାରପ୍ରାପ୍ତ ଅଧିକାରୀ ଧନେଶ୍ୱର ସାହୁ ଟଙ୍କା ମାଗିଥିବା ଓ ସମ୍ଭବତଃ ଗ୍ରହଣ କରିଥିବାର ସୂଚନା ମିଳିବା ପରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ଏହି ମାମଲାର ତଦନ୍ତ ହୋଇଥିଲା । ସାହୁଙ୍କୁ ନିଲମ୍ବିତ କରାଯାଇଛି ବୋଲି ଆଜି ଡିଜିପି ଅଭୟ ଏକ ଟ୍ୱିଟ୍ କରି ଜଣେଇଛନ୍ତି ।
ଏହି ଭାଇରାଲ୍ ଅଡ଼ିଓଟି ସାମନାକୁ ଆସିବା ପରେ ଗତ କାଲି ଅଭିଯୋଗ ହୋଇଥିଲା ଯେ କଥାବାର୍ତ୍ତା କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଜଳେଶ୍ବର ଥାନାର ଆଇଆଇସି ଧନେଶ୍ୱର ସାହୁ । ସେ ଜଣେ କଥିତ ବ୍ରାଉନ ସୁଗାର ମାଫିଆ ଠାରୁ ଏକ କେଶ ରଫା ଦଫା କରିବା ପାଇଁ ଟଙ୍କା ମାଗିଥିବା ନେଇ ଏକ ବାର୍ତ୍ତାଳପ ଭାଇରଲ ହେବା ପରେ ସେହି ଅଡିଓ ମାମଲାକୁ ଗୁରୁତ୍ୱର ସହ ନେଇଥିଲା ବାଲେଶ୍ୱର ପୋଲିସର ଉଚ୍ଚ ଅଧିକାରୀମାନେ ।

ଡିଜିପି ଅଭୟ
ଅଡିଓରେ କଥିତ ବ୍ରାଉନ ସୁଗାର ବ୍ୟବସାୟୀ ଦୁଇ ଲକ୍ଷ ଟଙ୍କା ସାହୁଙ୍କୁ ଦେଇଥିବା କଥା କହୁଥିବା ଶୁଣାଯାଇଥିଲା । ସେ ତାଙ୍କୁ ଜବତ ଗାଡ଼ି ଫେରାଇବା ପାଇଁ ବି କହିଥିଲା । ଏହି ମାମଲାକୁ ନେଇ ଏସ୍.ପି.ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆଇଜି ଦିପ୍ତେଶ ପଟ୍ଟନାୟକ ।
ବାଲେଶ୍ୱର ଜିଲ୍ଲା ଗତ କିଛି ମାସ ଧରି ବ୍ରାଉନ ସୁଗାରର ପେଣ୍ଠସ୍ଥଳୀ ପାଲଟିଛି । ଗୋଟିଏ ପଟେ ଏହି ଧଳା ଜହର କାରବାର ବଢ଼ୁଥିବା ବେଳେ ଏହା ସହିତ କିଛି ପୋଲିସ କର୍ମଚାରୀ ଲିଙ୍କ ନେଇ ପୂର୍ବରୁ ବାରମ୍ବାର ଆଉିଯୋଗ ହୋଇଛି । କିଛି ମାସ ତଳେ ଭୁବନେଶ୍ୱରରେ STF ଶେ ରାଜା ନାମକ ଜଣେ କୁଖ୍ୟାତ ବ୍ରାଉନ ସୁଗାର ବ୍ୟବସାୟୀକୁ ଧରିବା ପରେ ପୋଲିସ ସହିତ ଏହି ସ୍ମଗଲରମାନଙ୍କ ଲିଙ୍କ ସମ୍ନାକୁ ଆସିଥିଲା । ସେତେବେଳେ STF ଦୁଇ ପୋଲିସ କର୍ମଚାରୀଙ୍କୁ ଗିରଫ ମଧ୍ୟ କରିଥିଲା । ସେହି ଦୁଇ ପୋଲିସ କର୍ମଚାରୀ ରାଜାକୁ ଖବର ଦେଉଥିବା ଅଭିଯୋଗ ହୋଇଥିଲା ।

ଡିଜିପି ଅଭୟଙ୍କ ଟ୍ୱିଟ୍
ଏବେ ଜଣେ ପୋଲିସ ଇନ୍ପେକ୍ଟର ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ଥିବା ଲିଙ୍କ ସାମନାକୁ ଆସିବା ପରେ ଏହି ପ୍ରକରଣର ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ବାଲେଶ୍ୱର ସହରର ବୁଦ୍ଧିଜୀବୀ ଓ ଆଇନଜୀବୀମାନେ । ଏହି ଲିଙ୍କର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ କରିବାକୁ ସେମାନେ ଦାବି କରିଛନ୍ତି ।
ଏହା ବି ପଢ଼ନ୍ତୁ | Independence Day Speech: କରୋନା ଟିକାକୁ ନେଇ ପ୍ରଧାନ ମନ୍ତ୍ରୀ ମୋଦୀ ଲାଲ କିଲ୍ଲାର ପ୍ରାଚୀରରୁ ଏକ ବଡ଼ ଘୋଷଣା କଲେଏହା ବି ପଢ଼ନ୍ତୁ | ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ଆସିଲା; ସୁଶାନ୍ତଙ୍କ ମୃତ୍ୟୁର ଦିନକ ଆଗରୁ ଓ ଦିନକ ପରେ ଏକ ରହସ୍ୟମୟ ନମ୍ବରକୁ କଲ୍ କରିଥିଲେ ସେ‘‘ଅଡ଼ିଓ କ୍ଲିପ ଆଧାରରେ ନିରପେକ୍ଷ ଯାଞ୍ଚ ପାଇଁ ଥାନା ଅଧିକାରୀ ଧନେଶ୍ୱର ସାହୁଙ୍କୁ ହଟାଯିବାର ଆବଶ୍ୟକତା ଥିଲା । ଗତ କାଲି ଏ ନେଇ ଅତିରିକ୍ତ ଏସ୍.ପି. ଜଳେଶ୍ବର ଥାନାକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ପରେ କିଛି ସୁରାକ ମିଳିଛି । ତଥ୍ୟ ଓ ପ୍ରମାଣ ଆଧାରରେ ଆଇଆଇସିଙ୍କୁ ନିଲମ୍ବିତ କରାଯାଇଛି । ବ୍ରାଉନ ସୁଗାର ମାଫିଆ ଓ ଜଣେ ଓକିଲ ମଧ୍ୟ ଏହି ଅଡ଼ିଓରେ ଥିବା ବେଳେ ସେମାନଙ୍କ ଭୂମିକା ନେଇ ତଦନ୍ତ ହେଉଛି,’’ କହିଛନ୍ତି ବାଲେଶ୍ୱର ଏସ୍.ପି. ସୁଧାଂଶୁ ଶେଖର ମିଶ୍ର ।
ଆଇନଜୀବୀ ବିଜୟ ପାଣିଗ୍ରାହୀ କହିଛନ୍ତି, ‘‘ବାଲେଶ୍ୱର ଜିଲ୍ଲାରେ ଧନେଶ୍ୱର ସାହୁ ହେଉଛନ୍ତି ଜଣେ ବରିଷ୍ଠ ଓ ପୁରୁଣା ଅଫିସର । ହେଲେ ଏଭଳି ଅଭିଯୋଗ ଆସିବା ପରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଛି । ପ୍ରକୃତରେ ଆଇଆଇସିଙ୍କ ସମେତ ଆଉ କେଉଁମାନେ ଏହି ମାମଲାରେ ସଂଲିପ୍ତ ଅଛନ୍ତି ସେ ନେଇ ପୋଲିସ ତୁରନ୍ତ ତଦନ୍ତ କରି ସ୍ପଷ୍ଟ କରିବା ଦରକାର । ଖାଲି ନିଲମ୍ବନ ନୁହେଁ, ପ୍ରତ୍ୟେକ ସମ୍ପୃକ୍ତ ଲୋକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକ ରହିଛି ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।