ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ନକଲି ଡାକ୍ତରଙ୍କୁ ଧରିଲା ପୋଲିସ

ଏମକେସିଜି ମେଡ଼ିକାଲରୁ ନକଲି ଡ଼ାକ୍ତରଙ୍କୁ ଧରିଲା ପୋଲିସ । ନକଲି ଡ଼ାକ୍ତରଙ୍କ ପ୍ରମାଣପତ୍ର କରିଥିବା ଦୋକାନ ମାଲିକ ଓ କର୍ମଚାରୀ ଅଟକ । ରୋଗୀଙ୍କ ସେବା କରିବା ନିମନ୍ତେ ନକଲି ଡ଼ାକ୍ତର ବନିଥିବା କହିଲେ ଅଟକ ନକଲି ଡ଼ାକ୍ତର ।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ନକଲି ଡାକ୍ତରଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ନକଲି ଡାକ୍ତରଙ୍କୁ ଧରିଲା ପୋଲିସ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ଏମକେସିଜି ମେଡ଼ିକାଲରୁ ଧରାହେଲେ ପୁଣି ଜଣେ ଦଲାଲ । ଦଲାଲି କରୁଥିବା ଯୁବକ ଜଣକ ନିଜକୁ ଡ଼ାକ୍ତରଙ୍କ ପରିଚୟ ଦର୍ଶାଇ ଏକ ପରିଚୟ ପତ୍ର ବେକରେ ପକାଇ ମେଡ଼ିକାଲର ଓ୍ୱାର୍ଡ଼ରୁ ଓ୍ୱାର୍ଡ଼ ବୁଲୁଥିଲେ । ମେଡ଼ିକାଲର କର୍ମଚାରୀଙ୍କ ସହ କୌଣସି କାରଣରୁ ଯୁକ୍ତିତର୍କ ହେବା ପରେ ମେଡ଼ିକାଲ ଫାଣ୍ଡି ପୋଲିସ ଯୁବକକୁ ଫାଣ୍ଡିରେ ଅଟକ ରଖିଥିଲା । ଯୁବକ ଜଣକ ହେଲେ ଦୀପକ କୁମାର ନାହାକ । ଦୀପକ ଜଣେ ଡ଼ିପ୍ଲୋମା ଛାତ୍ର ହୋଇଥିବା ବେଳେ ସେ ଏଭଳି କାହିଁକି କରୁଥିଲେ ସେ ନେଇ ଅଧିକ ତଦନ୍ତ ଜାରୀ ରଖିଛି ପୋଲିସ । ନକଲି ପରିଚୟ ପତ୍ର ପ୍ରସ୍ତୁତ କରିଥିବା ଦୋକାନର ମାଲିକ ଓ କର୍ମଚାରୀଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚୁରା କରୁଛି । ସେପଟେ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ସହିତ ନକଲି ଡ଼ାକ୍ତର ପଛରେ କିଏ କାମ କରୁଥିଲେ ସେ ନେଇ ମଧ୍ୟ ଖୋଳାତାଡ଼ କରାଯିବା ନେଇ ଦାବି କରିଛନ୍ତି ସହରବାସୀ ।

‘‘ଏମକେସିଜି ମଡ଼ିକାଲରେ ଗତକାଲି ଅପରାହ୍ନ ସମୟରେ ଜଣେ ରୋଗୀଙ୍କୁ ନେଇ ଅସ୍ଥିଶଲ୍ୟ ଅନ୍ତଃଚିକିତ୍ସା ବିଭାଗକୁ ନେଇ ଯାଉଥିଲେ ଜଣେ ଯୁବକ । ନକଲି ଡାକ୍ତର ଜଣଙ୍କ ବେକରେ ମେଡ଼ିକାଲର ଡ଼ାକ୍ତର ବୋଲି ପରିଚୟପତ୍ର ପକାଇଥିଲେ । ପରିଚୟ ପତ୍ରରେ ଯୁବକ ଜଣଙ୍କ ନାମ ଡ଼ାକ୍ତର ଦୀପକ କୁମାର ନାହାକ ବୋଲି ଲେଖାଯାଇଥିବା ବେଳେ ପଦବୀ ରହିଥିଲା ଓପିଡ଼ି ସୁପର ଭାଇଜର । ଏହାକୁ ଦେଖିବା ସହିତ ଅନ୍ୟ କୌଣସି ବିଷୟକୁ ନେଇ ଜଣେ ମେଡ଼ିକାଲ କର୍ମଚାରୀଙ୍କ ମଧ୍ୟରେ ଦୀପକଙ୍କ ପାଟିତୁଣ୍ଡ ହୋଇଥିଲା । ଏନେଇ ଅଭିଯୋଗ ଆସିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ମେଡ଼ିକାଲ ଫାଣ୍ଡି ପୋଲିସ । ଫାଣ୍ଡି ପୋଲିସ ଦୀପକକୁ ଅଟକ ରଖି ପଚରାଉଚୁରା କରିବା ସହିତ ସେ ଜଣେ ଡ଼ିପ୍ଲୋମା ଛାତ୍ର ହୋଇଥିବା ବେଳେ ଏଭଳି ଦଲାଲଗିରି କରୁଥିବା ନେଇ ପୋଲିସ ସମ୍ମୁଖରେ ସବୁ ସତ କଥା କହିଥିଲା । ଏହାପରେ ନକଲି ପରିଚୟପତ୍ର କରିଥିବା ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରାଯାଉଥିବା ନେଇ ସୂଚନା ଦେଇଛନ୍ତି,‘‘ ବ୍ରହ୍ମପୁର ଏସପି ଡ଼. ଶ୍ରବଣା ବିବେକ ଏମ । ସେପଟେ ଗିରଫ ହୋଇଥିବା ଦୀପକଙ୍କ ନିଜ ଘର ସାନଖେମୁଣ୍ଡି ବୋଲି ଜଣା ପଡିଛି । ସେ ଏବେ ବ୍ରହ୍ମପୁରରେ ରହି ଡ଼ିପ୍ଲୋମା ପାଠ ପଢ଼ୁଛନ୍ତି ।

‘‘ଗତକାଲି ସହରର କୋର୍ଟପେଟା ଛକରେ ରହିଥିବା ଏକ ଦୋକାନରୁ ସେ ନକଲି ଡ଼ାକ୍ତରଙ୍କ ପରିଚୟ ପତ୍ର ପ୍ରସ୍ତୁତ କରିଥିଲେ । ଉକ୍ତ ନକଲି ପରିଚୟ ପତ୍ରକୁ ସେ ୮୦ ଟଙ୍କା ଦେଇ କରିଥିଲେ । ଦଲାଲି କରିବା ପାଇଁ ନୁହେଁ ବରଂ ଗରିବ ଲୋକଙ୍କ ସେବା କରିବା ନିମନ୍ତେ ଏଭଳି ନକଲି ଡ଼ାକ୍ତରଙ୍କ ପରିଚୟ ପତ୍ର କରିଥିବା କଥା ସେ କହିଛନ୍ତି । ମାତ୍ର ୧୦ରୁ ୧୫ ମିନିଟ୍‌ ରୋଗୀଙ୍କ ସେବା କରିବା ନିମନ୍ତେ ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଧରି ନେଇଥିବା ନେଇ କହିଛନ୍ତି,‘‘ ନକଲି ଡ଼ାକ୍ତର ଦୀପକ କୁମାର ନାହାକ ।

‘‘ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ମେଡ଼ିକାଲ ହୋଇଥିବା ଯୋଗୁଁ ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଆନ୍ଧ୍ରରୁ ମଧ୍ୟ ରୋଗୀମାନେ ଏଠାକୁ ଉନ୍ନତ ମାନର ଚିକିତ୍ସା ସେବା ପାଇବା ବିଶ୍ୱାସରେ ଆସିଥାନ୍ତି । ଯଦି ଗ୍ରାମାଞ୍ଚଳରୁ ଆସୁଥିବା ରୋଗୀମାନଙ୍କୁ ଦଲାଲମାନେ ଏମକେସିଜି ମେଡ଼ିକାଲରୁ ଘରୋଇ ମେଡ଼ିକାଲକୁ ନେଇ ଯିବେ ତେବେ ଏମକେସିଜି ମେଡ଼ିକାଲ ପ୍ରତି ରହିଥିବା ବିଶ୍ୱାସ ଭାଙ୍ଗିଯିବ । କିଛି ଦଲାଲ ମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଅନେକ ଦଲାଲ ମେଡ଼ିକାଲରେ ଖୁଲମଖୁଲା ବୁଲୁଛନ୍ତି । ତେଣୁ ପୋଲିସ ପକ୍ଷରୁ ନିୟମିତ ଭାବେ ଚଢ଼ାଉ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି,‘‘ବ୍ରହ୍ମପୁର ବାସିନ୍ଦା ନିର୍ମଳ ସାହୁ ।

‘‘ ଏହି ଦଲାଲମାନଙ୍କୁ ଗିରଫ କରି ଜେଲ ପଠାଇଦେଲେ ହେବ ନାହିଁ ବରଂ ଏମାନଙ୍କ ପଛରେ କିଏ ସବୁ କାମ କରୁଛି ସେମାନଙ୍କୁ ମଧ୍ୟ ପୋଲିସ ଗିରଫ କରିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଏକ ଦଲାଲ ମୁକ୍ତ ମେଡ଼ିକାଲ ଗଠନ କରିବା ଦିଗରେ ସହାୟକ ହୋଇପାରିବ । ଏହାଛଡ଼ା ମେଡ଼ିକାଲ କର୍ତ୍ତୃପକ୍ଷ ଏକ ନୋଡ଼ାଲ ଅଫିସରଙ୍କୁ କେବଳ ଦଲାଲ ମାନଙ୍କ ଉପରେ ନଜର ରଖିବା ନିମନ୍ତେ ଯଦି ନିୟୋଜିତ କରିଥାନ୍ତେ ତେବେ ଆହୁରି ସୁଫଳ ମିଳିଥାନ୍ତା ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ମୋନଜ ପଟ୍ଟନାୟକ ।

ଗତ ସପ୍ତାହରେ ପୋଲିସର ୧୫ ଜଣିଆ ଟିମ ରୋଗୀ ଓ ସମ୍ପର୍କୀୟ ବେଶ ଧରି ଏମକେସିଜି ମେଡ଼ିକାଲର ବିଭିନ୍ନ ଓ୍ବାର୍ଡ଼ରେ ଚିକିତ୍ସିତ ହେଉଥିବା ବେଳେ ୬ ଜଣ ଦଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ପୋଲିସର ଏଭଳି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ବିଭିନ୍ନ ମହଲରେ ମଧ୍ୟ ପୋଲିସକୁ ମିଳିଥିଲା ପ୍ରଶଂସାର ସୁଅ ।
Published by:Soubhagya Mishra
First published: