କିଏ ମାରିଲା ବେଲେଶ୍ବରର ବୃଦ୍ଧ ଦମ୍ପତିଙ୍କୁ? ମାସେ ପରେ ବି ଉତ୍ତର ଖୋଜି ପାଉନାହିଁ ପୋଲିସ!

ଆଜି ବି ରହସ୍ୟ ଘେରରେ ରହିଛି କଟକର ତିନେଟି ବହୁଚର୍ଚ୍ଚିତ ହତ୍ୟା କାଣ୍ଡ । ଏଯାଏଁ ଚ଼ିହ୍ନଟ ହୋଇପାରି ନାହାଁନ୍ତି ଅଭିଯୁକ୍ତମାନେ । ପୋଲିସର କାର୍ଯ୍ୟ ଶୈଳୀ ଓ କର୍ତବ୍ୟନିଷ୍ଠା ଉପରେ ପୁଣି ଲାଗିଛି ବଡ଼ ପ୍ରଶ୍ନ ଚ଼ିହ୍ନ ।

କିଏ ମାରିଲା ବେଲେଶ୍ବରର ବୃଦ୍ଧ ଦମ୍ପତିଙ୍କୁ? ମାସେ ପରେ ବି ଉତ୍ତର ଖୋଜି ପାଉନାହିଁ ପୋଲିସ!
ନରାଜ ବ୍ୟାରେଜ୍‌ରୁ ମିଳିଥିବା ମୃତ ଦେହ
  • News18 Odia
  • Last Updated: January 12, 2020, 9:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କିଏ ମାରିଲା ବେଲେଶ୍ବରର ବୃଦ୍ଧ ଦମ୍ପତିଙ୍କୁ ? ହତ୍ୟା କାଣ୍ଡ ପଛର କାରଣ କଣ? ହାତ୍ୟାକାରୀ ଜଣେ ନା ଏକାଧିକ? ଘଟଣାର ମାସେ ପରେ ବି ଏହି ପ୍ରଶ୍ନ ଗୁଡିକର ଉତ୍ତର ଖୋଜି ପାଉନାହିଁ କମିଶନରେଟ ପୋଲିସ ।

ଆଜିକୁ ଠିକ୍ ମାସକର ତଳେ, ଅର୍ଥାତ୍‌ ଡିସେମ୍ବର ୧୨ ତାରିଖ ରାତିରେ, କଟକ ବେଲେଶ୍ବର ଠାରେ ନିଜ ଘରେ ଏକାକି ରହୁଥିବା ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲଙ୍କୁ ହତ୍ୟା କରାଯାଇଥିଲା । ଦୁର୍ବୃତ୍ତମାନେ ଅତି ନିର୍ମମଭାବେ ସ୍ବାମୀ ସ୍ତ୍ରୀ ଦୁଇ ଜଣଙ୍କୁ ମରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ହତ୍ୟା କରିଥିଲେ ।

ଏହି ଘଟଣାର ତଦନ୍ତ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ କଟକ କମିଶନରେଟର ବଛାବଛା ଚ଼ାରି ଜଣ ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ମଧ୍ୟ ଗଠିତ ହୋଇଥିଲା । କେହି ପରିଚିତ ଲୋକଙ୍କ ସମ୍ପୃକ୍ତି ଥିବା ଆଶଙ୍କା କରି ଅନେକ ଲୋକଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା କଲା । ଶହେରୁ ଉର୍ଦ୍ଧ ଲୋକଙ୍କ ଫୋନ କଲ ମଧ୍ୟ ଯାଞ୍ଚ ହେଲା । କିନ୍ତୁ ମାସକ ପରେ ମଧ୍ୟ ତଦନ୍ତ ଯେଉଁଠି ଥିବା ଆଜି ବି ସେଇଠି ରହିଛି । ନା ଜଣା ପଡିଲା ହତ୍ୟାକାଣ୍ଡର ପଛର କାରଣ, ନା ମିଳି ପାରିଲା ଦୁର୍ବୃତ୍ତଙ୍କ ବାବଦରେ ସାମାନ୍ୟତମ ସୁରାକ ।

‘‘ତଦନ୍ତରୁ ଆମେ ଗୁଡାଏ ଜିନିଷ ପାଇଛୁ । ସେଗୁଡିକୁ ଜାଞ୍ଚ କଲା ପରେ ହିଁ ଆମେ କିଛି କହିପାରିବୁ । ଏହି ମାମଲାରେ ଆମେ ଅନେକ ଲୋକଙ୍କୁ ପଚରାପଚରି କରିଛୁ କିନ୍ତୁ କାହାରିକୁ ଗରିଫ କରିନାହୁଁ । ଖୁବ ଶିଘ୍ର ଅଭିଯୁକ୍ତମାନେ ଧରା ପଡିବେ,’’ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ମୃତ ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲ


କେବଳ ଏହି ଗୋଟିଏ ମାମଲା ନୁହେଁ, ବରଂ ଗତ ତିନି ବର୍ଷ ମଧ୍ୟରେ ଏମିତି ଆଉ ଦୁଇଟି ବହୁଚର୍ଚ୍ଚିତ ହତ୍ୟା ଘଟଣା ପଛର ରହସ୍ୟ ଆଜି ବି ରହସ୍ୟ ହୋଇ ରହିଛି ।

ଗତ ବର୍ଷ ଜୁଲାଇ ମାସ ୨୧ ତାରିଖ ରାତିରେ ରାଣୀହାଟ କେନାଲ ରୋଡରେ ଜଣେ ସ୍ଥାନୀୟ ଯୁବକଙ୍କ ମୁଣ୍ଡକୁ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସେହି ଘଟଣାରେ ମଧ୍ୟ ହତ୍ୟାକାରୀଙ୍କ ପାଖରେ ଆଜି ପର୍ଯ୍ୟନ୍ତ ପହଁଚି ପାରି ନାହିଁ ପୋଲିସ ।

ତତ୍କାଳୀନ ପୋଲିସ କମିଶନର ସତ୍ୟଜିତ ମହାନ୍ତି ରାଣିହାଟ ହତ୍ୟା ସ୍ଥଳରେ ତଦନ୍ତ ବିଷୟରେ ବୁଝୁଛନ୍ତି (ଫାଇଲ୍‌ ଫଟୋ)


ଠିକ୍‌ ସେମିତି ୨୦୧୬ ମସିହା ନଭେମ୍ବର ମାସ ୨୪ ତାରିଖ ଦିନ ନରାଜ ବ୍ୟାରେଜ୍ ନିକଟରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର କରାଯାଇଥିଲା । ସେହି ଘଟଣାକୁ ତିନି ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କ ସନ୍ଧାନ ପାଇବା ତ ଦୁରର କଥା, ଆଜି ପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ମଧ୍ୟ ପୋଲିସକୁ ମଳିପାରିଲା ନାହିଁ ।

‘‘ଯଦି ଅପରାଧୀ ଚିହ୍ନଟ ହୋଇ ନ ଥାଏ କିମ୍ବା ଫେରାର ଥାଏ, ସେହି କ୍ଷେତ୍ରରେ ଚାର୍ଜସିଟ୍ କେବେ ଦିଆଯିବ ତାର କିଛି ସମୟ ସୀମା ନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ପୋଲିସ ବର୍ଷ ବର୍ଷ ଧରି ତଦନ୍ତ ଜାରି ରଖିବ,’’ କହିଛନ୍ତି ଆଇନଜୀବି ଦେବସ୍ନାନ ଦାସ ।
First published: January 12, 2020, 9:24 PM IST