ଆଜି ସିଏମସି ନିର୍ବାଚନ: ପୋଲିସ ପକ୍ଷରୁ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଛି। ଏଥିପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହ ୨୦୦ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି।

ଆଜି ସିଏମସି ନିର୍ବାଚନ

ଆଜି ସିଏମସି ନିର୍ବାଚନ

  • Share this:
News18 Odia Digital

କଟକ:  ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ପୌର ନିର୍ବାଚନ ପାଇଁ ମତଦାନ। ସିଏମସି ନିର୍ବାଚନର ଭୋଟ ଦାନ କାର୍ଯ୍ୟକୁ ନିରପେକ୍ଷା ଓ ଶୃଙ୍ଖଳିତ କରିବା ପାଇଁ ବନ୍ଦୋବସ୍ତ କରିଛି ପ୍ରଶସାନ। ୫୯ଟି ୱାର୍ଡ଼ ବିଶିଷ୍ଟ ସିଏମସିରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୫ ଲକ୍ଷ ୫୦ ହାଜର ୭୫୯। ନିର୍ବାଚନ ପାଇଁ ସହର ମଧ୍ୟରେ ୪୪୯ଟି ବୁଥ କରାଯାଇଛି। ସେଥିମଧ୍ୟରୁ ୫ଟି ଆଦର୍ଶ ବୁଥ ହୋଇଥିବା ବେଳେ ୬ଟି ପିଙ୍କ ବୁଥ ରହିଛି। ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ।

ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଛି। ଏଥିପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହ ୨୦୦ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଏହା ବ୍ୟତିତ ୫ ଜଣ ଅତିରିକ୍ତ ଡିସିପିଙ୍କୁ ସୁରକ୍ଷା ବ୍ୟବସ୍ଥାର ନିରିକ୍ଷଣ ଦାୟିତ୍ବ ଦିଆଯାଇଛି । ମୋଟ ୪୪୯ଟି ବୁଥ ମଧ୍ୟରୁ ୧୦୧ଟି ସମ୍ବେଦନଶିଳ ବୁଥ ଥିବାରୁ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି।

ଏହା ବ୍ୟତୀତ ପ୍ରତି ଥାନାକୁ ଗୋଟିଏ ଗୋଟିଏ ଜୋନରେ ବିଭକ୍ତ କରାଯାଇଥିବା ବେଳେ ନିୟମିତ କର୍ମଚାରୀଙ୍କ ବ୍ୟତୀତ ପ୍ରତି ଥାନାକୁ ଗୋଟିଏ ଗୋଟିଏ ଷ୍ଟ୍ରାଇକିଂ ଫୋର୍ସ ଯୋଗାଇ ଦିଆଯାଇଥିବା କହିଛନ୍ତି କଟକ ଡିସିପି।

"ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ପାଇଁ ବ୍ୟାପକ ସ୍ତରରେ ବ୍ୟବସ୍ଥା କରାଯାଇଛି। ସମ୍ବେଦନଶୀଳ ବୁଥ ଗୁଡ଼ିକରେ ୱେବ କାଷ୍ଟିଂର ବ୍ୟବସ୍ଥା କରାଯିବା ସହ ସେହି ବୁଥ ଗୁଡ଼ିକ ଉପରେ ସତର୍କ ନଜର ରଖାଯାଇଛି। ବୁଥର ଶହେ ମିଟର ଦୂରତା ମଧ୍ୟରେ ଯେମିତି କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କ ପୋଷ୍ଟର କିମ୍ବା ନିର୍ବାଚନକୁ ପ୍ରଭାବିତ କରିବା ଭଳି କୌଣସି ସାମଗ୍ରୀ ଯେମିତି ନ ରହିବ ସେଥିମଧ୍ୟ ମଧ୍ୟ ଦୃଷ୍ଟି ଦିଆଯାଉଛି," କହିଛନ୍ତି କଟକ ଡିସିପି ପ୍ରତିକ ସିଂ।

"ଅବାଧ ତଥା ନିରପେକ୍ଷ ନିର୍ବାଚନ କରାଇବା ଉପରେ ଆମେ ଗୁରୁତ୍ବ ଦେଉଛୁ। ନିର୍ବାଚନରେ ଭାଗ ନେଉଥିବା ପୋଲିଂ କର୍ମଚାରୀମାନେ ବେଶ ଅଭିଜ୍ଞ। ସେମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ସୁରୁଖୁରୁରେ ଭୋଟ ଗ୍ରହଣ କାର୍ଯ୍ୟ ଶେଷ ହେବ ବୋଲି ଆମରବିଶ୍ବାସ ରହିଛି," କହିଛନ୍ତି ସିଏମସିର ନିର୍ବାଚନ ଅଧିକାରୀ ବିଜୟ କୁମାର ଖଣ୍ଡାୟତରାୟ।

ତେବେ ଭୋଟ ଦାନ କାର୍ଯ୍ୟ ଶେଷ ହେବାରେ ଇଭିଏମ ଗୁଡ଼ିକ ମତଦାନ କେନ୍ଦ୍ରରୁ ଷ୍ଟ୍ରଙ୍ଗ ରୁମକୁ ଫେରିବା ପ୍ରକ୍ରିୟା କାର୍ଯ୍ୟ ମଧ୍ୟ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟ କରାଯିବ ବୋଲି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସିଏମସି ନିର୍ବାଚନରେ ବ୍ୟବହୃତ ହେଉଥିବା ଇଭିଏମକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବୋଷ ଇଞ୍ଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିଲା। ଷ୍ଟ୍ରଙ୍ଗ ରୁମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା। ସଶସ୍ତ୍ର ପୋଲିସ କର୍ମଚାରୀଙ୍କ ୨୪ଘଣ୍ଟିଆ ପହରା ମଧ୍ୟରେ ରହିଥିବା ଷ୍ଟ୍ରଙ୍ଗ ରୁମ ଓ ଏହାର ଆଖପାଖ ଅଞ୍ଚଳକୁ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଥିଲା। ଷ୍ଟ୍ରଙ୍ଗ ରୁମ ପ୍ରବେଶ ପଥରେ ଦୁଇଟି କରି ତିନି ହଳ ତାଲା ମଧ୍ୟ ପକାଯାଇଥିଲା। ଷ୍ଟ୍ରଙ୍ଗ ରୁମ ନିକଟକୁ ଯିବା ପାଇଁ ଅନୁମତି ପାଇଥିବା କେବଳ ହାତ ଗଣତି କିଛି ଅଧିକାରୀଙ୍କୁ ବାଦ ଦେଲେ ସେହି ଅଞ୍ଚଳକୁ ନୋ ମ୍ୟାନ୍ସ ଜୋନ ଭାବେ ବିବେଚନା କରାଯାଇଥିଲା।
Published by:Lipina Das
First published: