News18 Odia Digital
ଢେଙ୍କାନାଳ: ମହଙ୍ଗା ପଡିଲା ସ୍ତ୍ରୀକୁ ଗ୍ରହଣ ନକରିବା। ଶେଷରେ ବନ୍ଧା ହେଲେ ସ୍ୱାମୀ ମହେନ୍ଦ୍ର ସାହୁ। ଏନେଇ ଆନ୍ତର୍ଜାତୀୟ ମାନବାଧିକାର କମିଶନ ପରିଷଦ ପକ୍ଷରୁ ଆପୋଷ ବୁଝାମଣା ପ୍ରୟାସ କରିଥିଲେ।
ଗତ ରବିବାର ସନ୍ଧ୍ୟାରେ ନିଜ ଅଧିକାର ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିଲେ ୪୫ ବର୍ଷୀୟ ମାଧବୀ ସୁନା। ଢେଙ୍କାନାଳରେ ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଢେଙ୍କାନାଳ ମହ୍ଲାରସାହି ନିକଟରେ ଦୀର୍ଘ ଦୁଇଘଣ୍ଟା କାଳ ଧାରଣାରେ ବସିବା ପରେ ଟାଉନଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ମାଧବୀ ସୁନା ନାମକ (୪୫) ବର୍ଷୀୟ ଏହି ମହିଳା ଢେଙ୍କାନାଳ ସହରର ମହେନ୍ଦ୍ର ସାହୁଙ୍କୁ ୧୯୯୫ ମସିହାରେ ବିବାହ କରିଥିଲେ। ସେ ଭୁବନେଶ୍ୱରର ଆମଫୋଇ ନାମକ ଏକ ବିବାହ ପଞ୍ଜିକରଣ ସଂସ୍ଥା ମାଧ୍ୟମରେ ବିବାହ କରିଥିଲେ। ବିବାହର ପର ବର୍ଷ ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା। ସ୍ୱାମୀ ମହେନ୍ଦ୍ର ଓ ଶଶୁର ଘର ଲୋକ ମାଧବୀଙ୍କୁ ବାଡିଆପିଟା କରିବାରୁ ସେ ଦୁଇବର୍ଷ ପରେ ଘରୁ ପଳାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେ ଶାଶୁଘରେ ପ୍ରବେଶ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱାମୀଙ୍କ ଅନୁପସ୍ଥିତି ହେତୁ ମାଧବୀଙ୍କ ଶଶୁର ଓ ଦୁଇଜଣ ନଣନ୍ଦ , ଦିଅର ତାଙ୍କୁ ଅକଥନୀୟ ଅତ୍ୟାଚାର ଦେବାରୁ ସେ ପୁନର୍ବାର ଘର ଲୋକଙ୍କୁ ଡକାଇ ବଲାଙ୍ଗୀର ସ୍ଥିତ ବାପଘରକୁ ପଳାଇଥିଲେ।
ମାଧବୀ ବଲାଙ୍ଗିରରେ ବାପଘରେ ରହୁଥିବା ସମୟରେ ମହେନ୍ଦ୍ର ନିଜ ପତ୍ନୀ ଓ ପୁଅ ସହ ଫୋନ ଯୋଗେ କଥାବାର୍ତ୍ତା ହେଉଥିଲେ। ମାସେ ଦୁଇମାସ ବ୍ୟବଧାନରେ ମହେନ୍ଦ୍ର ନିଜେ ବଲାଙ୍ଗୀର ଯାଇ ମାଧବଙ୍କ ସହ ରହିବା ସହ ତାଙ୍କର ଭଲମନ୍ଦ ମଧ୍ୟ ବୁଝୁଥିଲେ। ଯେହେତୁ ମାଧବୀଙ୍କୁ ତାଙ୍କ ଘର ଲୋକ ସହଯୋଗ କରୁନଥିଲେ ତେଣୁ ମହେନ୍ଦ୍ରଙ୍କ ବାପାଙ୍କ ଦେହାନ୍ତ ପରେ ସେ ତାଙ୍କୁ ଘରକୁ ନେଇ ଆସିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ।
କିନ୍ତୁ ମହେନ୍ଦ୍ର ଦେଇଥିବା କଥା ମୁତାବକ ତାଙ୍କ ବାପା ଗତ ଅକ୍ଟୋବର ମାସରୁ ଦେହାନ୍ତ ହେବାପରେ ମଧ୍ୟ ମାଧବୀଙ୍କୁ ଘରକୁ ନଆଣିବାରୁ ଶେଷରେ ପୁଅ ପ୍ରଦୀପ ସାହୁଙ୍କୁ ଧରି ସେ ବଲାଙ୍ଗୀରରୁ ଢେଙ୍କାନାଳ ଆସି ତାଙ୍କ ଘର ଆଗରେ ନ୍ୟାୟ ଆଶାରେ ଧାରଣାରେ ବସିଥିଲେ ବୋଲି କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।