ନକଲି କମ୍ପାନୀ କରି ଲୋକଙ୍କଠୁ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା; ଗିରଫ କଲା ପୋଲିସ

ଅଧିକ ରିଟର୍ଣ୍ଣ ଦେବା ଲୋଭ ଦେଖାଇ ନିଜ କମ୍ପାନୀରେ ପୁଞ୍ଜି ଲଗାଇବା ବାହାନାରେ ପ୍ରତିଷ୍ଠିତ ଲୋକଙ୍କୁ ଚୂନ ଲଗାଇଥିବା ହାଇପ୍ରୋଫାଇଲ୍ ଠକ ପ୍ରଭାକର ଜେନାକୁ ପୁଣିଥରେ ପୋଲିସ ଗିରଫ କରିଛି । ସେ ଜଣେ ଆକାଉଣ୍ଟାଣ୍ଟଙ୍କୁ ୧୯ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ଅଭିଯୋଗହୋଇଛି ।

ଠକ ପ୍ରଭାକର ଜେନାକୁ ଗିରଫ କରିଛି ପୋଲିସ (ପ୍ରତୀକାତ୍ମକ ଛବି)

ଠକ ପ୍ରଭାକର ଜେନାକୁ ଗିରଫ କରିଛି ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଅଧିକ ରିଟର୍ଣ୍ଣ ଦେବା ଲୋଭ ଦେଖାଇ ନିଜ କମ୍ପାନିରେ ପୁଞ୍ଜି ଲଗାଇବା ବାହାନାରେ ପ୍ରତିଷ୍ଠିତ ଲୋକଙ୍କୁ ଚୂନ ଲଗାଇଥିବା ହାଇପ୍ରୋଫାଇଲ୍ ଠକ ପ୍ରଭାକର ଜେନାକୁ ପୁଣିଥରେ ପୁଲିସ ଗିରଫ କରିଛି । ଏଥର ସେ ଜଣେ ଆକାଉଣ୍ଟାଣ୍ଟଙ୍କୁ ୧୯ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ହାତରେ ଗିରଫ ହୋଇଛି । ଏହା ପୂର୍ବରୁ ତାକୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଥିଲା । କିନ୍ତୁ କୋଭିଡ୍ ଆକ୍ରାନ୍ତ ହୋଇଥିବାରୁ ପୁଲିସ ତାକୁ ନୋଟିସ୍ ଦେଇ ଘରକୁ ଛାଡ଼ିଥିଲା।

"ପ୍ରଭାକର ଚିରାଚରିତ ଭାବେ ନିଜକୁ ଜଣେ ବ୍ୟବସାୟୀ ବୋଲି ପରିଚୟ ଦେଇ ତା ’ ସଂସ୍ଥାର ଜିଏସ୍‌ଟି ଓ ଟାକ୍ସ କାମ ପାଇଁ କରିବା ପାଇଁ ଅରୁଣଙ୍କୁ କହିଥିଲା। ଏଥିରୁ ସେମାନଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା । ଅରୁଣଙ୍କ ମନରେ ବିଶ୍ବାସ ଜନ୍ମାଇବା ପରେ ସେ ତାଙ୍କୁ ତା ’ ସଂସ୍ଥାର ପରାମର୍ଶଦାତା ରହିବାକୁ ଅନୁରୋଧ କରିଥିଲା । ଏଥିସହିତ ତା' ସଂସ୍ଥାରେ ପୁଞ୍ଜି ନିବେଶ କଲେ , ତାଙ୍କୁ ଦୁଇ ଗୁଣା ରିଟର୍ଣ୍ଣ ଦେବାର ଲୋଭ ଦେଖାଇଥିଲା ।  ଅରୁଣ ନିଜ ପତ୍ନୀଙ୍କ ଆକାଉଣ୍ଟରୁ ୬ଟି କିସ୍ତିରେ  ୧୯ଲକ୍ଷ ଟଙ୍କା ଦେଇଥିଲେ" କହିଛନ୍ତି ଠକେଇର ଶିକାର ହୋଇଥିବା ଅରୁଣ ମହାନ୍ତି ।

୨୦୨୧ ଅଗଷ୍ଟରେ ଅରୁଣ ଜାଣିବାକୁ ପାଇଲେ ଯେ ଧୂର୍ତ୍ତ ପ୍ରଭାକରର ସେଭଳି କିଛି ବ୍ୟବସାୟିକ ସଂସ୍ଥା ନାହିଁ । ତେଣୁ ସେ ତାଙ୍କ ୧୯ ଲକ୍ଷ ଟଙ୍କା ଫେରାଇବା ପାଇଁ କହିଥିଲେ । ଧୂର୍ତ୍ତ ପ୍ରଭାକର ତାଙ୍କୁ ଏକ ଚେକ୍ ଦେଇଥିଲା । ଗତ ୫ ତାରିଖରେ ଉକ୍ତ ଚେକ୍ ବାଉନ୍ସ ହୋଇଯାଇଥିଲା । ତେଣୁ ପ୍ରଭାକର ଏକ ବଡ଼ ଠକ ବୋଲି ନିଶ୍ଚିତ ହେବା ପରେ ଅରୁଣ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

"ଅଭିଯୁକ୍ତ ପ୍ରଭାକର ପୂର୍ବରୁ ମଞ୍ଚେଶ୍ୱର ପୋଲିସ ଦ୍ୱାରା ଗିରଫ ହୋଇଥିଲା । ସେଠୁ ଏକାଧିକ ବ୍ୟକ୍ତିଙ୍କ ଠାରୁ ୫ କୋଟି ଟଙ୍କା ନେଇ ଚମ୍ପଟ ହୋଇଯାଇଥିଲା । ଗିରଫ ପରେ କୋଭିଡ ପାଇଁ ତାକୁ ନୋଟିସ ଦିଆଯାଇଥିଲା । ପରେ ପୁଣି ଅଭିଯୋଗ ଆସିବା ପରେ ଆମେ ତାକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ତାକୁ ରିମାଣ୍ଡରେ ଆଣି ଜେରା କରାଯିବ," କହିଛନ୍ତି ଭୁବନେଶ୍ୱର ଜୋନ -୬ ଏସିପି ରମେଶ ବିଶୋଇ ।
Published by:Soumya Das
First published: