ମାନସ ସ୍ୱାଇଁ ହତ୍ୟା ମାମଲା: ବନ୍ଧା ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ

ନିରଞ୍ଜନ ଭୁବନେଶ୍ୱରରେ ଥାଇ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରିବା ଷଡ଼ଯନ୍ତ୍ରରେ ସାମିଲ ଥିଲେ । ମାନସଙ୍କୁ ନୟାଗଡ଼ ଅଞ୍ଚଳର ଏକ ଜଙ୍ଗଲରେ ପୋତିବା ପଛରେ ତାଙ୍କର ଇଙ୍ଗିତ ଥିଲା ।

ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଗିରଫ କଲା ପୋଲିସ (ପ୍ରତୀକାତ୍ମକ ଛବି)

ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଗିରଫ କଲା ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଷଡ଼ଯନ୍ତ୍ର ସଂପୃକ୍ତ ଥିବା ଅଭିଯୋଗରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଷଡ଼ଯନ୍ତ୍ରରେ ସଂପୃକ୍ତ ଅଛନ୍ତି ନିରଞ୍ଜନ ସେଠୀ । ଗତ ଫେବ୍ରୁଆରୀ ୨୮ ତାରିଖରେ ସେ ଚାକିରିରୁ ଅବସର ନେଇଛନ୍ତି । ନିରଞ୍ଜନ ସେଠୀଙ୍କ ସହ ଅନ୍ୟତମ ଫେରାର ଅଭିଯୁକ୍ତ ରାଜ୍ ଓରଫ ରଞ୍ଜନ ନାୟକଙ୍କୁ ପୁଲିସ ଗିରଫ କରିଛି ।

ମାନସ ହତ୍ୟାକାଣ୍ଡ ଘଟଣା ବେଳେ ନିରଞ୍ଜନ ସେଠୀ ଚାକିରିରେ ଥିଲେ । ଉଚ୍ଚ ପଦବୀରେ ଥାଇ ସେ ଏଭଳି ଜଘନ୍ୟ ଅପରାଧରେ କେମିତି ଓ କାହିଁକି ସାମିଲ ହେଲେ ତାକୁ ଚର୍ଚ୍ଚା ଜୋର ଧରିଛି । ତେବେ ମାନସକୁ ଅପହରଣ କରିବା ଠାରୁ ଆରମ୍ଭ କରି ହତ୍ୟାକରିବା ଓ ମୃତଦେହକୁ ପୋତିବା ପର୍ଯ୍ୟନ୍ତ ସବୁଠି ସେ ଉପସ୍ଥିତ ଥିଲେ ବୋଲି ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି ।

"ପୂର୍ବରୁ ଏହି ଘଟଣାରେ ଆମେ ୩ ଜଣକୁ ଗିରଫ କରିଥିଲୁ । ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ, ଆମେ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ । ନିରଞ୍ଜନ ଭୁବନେଶ୍ୱରରେ ଥାଇ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରିବା ଷଡ଼ଯନ୍ତ୍ରରେ ସାମିଲ ଥିଲେ । ଭୁବନେଶ୍ୱରର ଦୟାଲ୍ ଆଶ୍ରମରେ ମାନସଙ୍କୁ ମାଡ଼ ମାରିବା ବେଳେ ସେ ଉପସ୍ଥିତ ଥିଲେ । ମାନସଙ୍କୁ ନୟାଗଡ଼ ଅଞ୍ଚଳର ଏକ ଜଙ୍ଗଲରେ ପୋତିବା ପଛରେ ତାଙ୍କର ଇଙ୍ଗିତ ଥିଲା । ମୋଟାମୋଟି ଭାବେ ମାନସଙ୍କ ଅପହରଣ ଓ ହତ୍ୟା ଷଡ଼ଯନ୍ତ୍ରରେ ନିରଞ୍ଜନ ସେଠୀ ପୂରାପୂରି ସାମିଲ ଥିଲେ," କହିଛନ୍ତି ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ।

ସାମ୍ବାଦିକ ସମ୍ମିଳନୀରେ ପୋଲିସ କହିଛି, ମାନସଙ୍କ ପାଖରେ ଥିବା ଏକ ମେମୋରି ଚିପ୍ ହିଁ ହତ୍ୟାର ମୂଳ କାରଣ ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି । ତାଙ୍କ ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶର୍ମିଷ୍ଠା ରାଉତ ବୋଲି ମଧ୍ୟ ସ୍ପଷ୍ଟ । ଏବେ ଜଣାପଡ଼ିଲା, ଶର୍ମିଷ୍ଠାଙ୍କ ସହ ନିରଞ୍ଜନ ସେଠୀ ମଧ୍ୟ ଏଥିରେ ସାମିଲ । ଶର୍ମିଷ୍ଠାଙ୍କ କାର୍ଯ୍ୟ ହାସଲରେ ସେ ତାଙ୍କୁ ଭରପୁର ସହଯୋଗ ଦେଇଛନ୍ତି । ତେବେ ତଦନ୍ତ ଜାରି ରହିଥିବା ଓ  ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶର୍ମିଷ୍ଠା ରାଉତ ଧରା ପଡ଼ି ନ ଥିବାରୁ ପୁଲିସ ଅପରାଧର ପୃଷ୍ଠଭୂମି ସମ୍ପର୍କରେ ବିସ୍ତୃତ ସୂଚନା ଦେଇନାହିଁ ।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ଭୁବନେଶ୍ୱରର ସୁନ୍ଦରପଦାସ୍ଥିତ ଦୟାଲ୍ ବୃଦ୍ଧାଶ୍ରମରେ ତାଙ୍କୁ ହତ୍ୟା କରାଯାଇ ନୟାଗଡ଼ ଅଞ୍ଚଳର ଏକ ପାହାଡ଼ ତଳେ ଶବକୁ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଜଘନ୍ୟ ଅପରାଧର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ଶର୍ମିଷ୍ଠା ରାଉତ।
Published by:Soumya Das
First published: