କମିଶନରେଟ ପୋଲିସର ଅପରେସନ 'ହଟ ପର୍ସ୍ୟୁଡ଼'; ଗିରଫ ହେଲେ ୭ ଦୁର୍ଦ୍ଦାନ୍ତ ଅପରାଧୀ

ଏନକାଉଣ୍ଟର ଶିକାର ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧି ଚକରା ବାରିକ ଗ୍ୟାଙ୍ଗ ପାଇଁ କାମ କରୁଥିବା ସାତ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗହଣା ଦୋକାନୀଙ୍କୁ ଅଟକାଇ ତାଙ୍କ ଠାରୁ ଲୁଟ କରୁଥିଲା ଏହି ଗ୍ୟାଙ୍ଗ ।

୭ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା କମିଶନରଟେ ପୋଲିସ (ପ୍ରତୀକାତ୍ମକ ଛବି)

୭ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା କମିଶନରଟେ ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ଼ ।

ଗିରଫ ଅଭିଯୁକ୍ତମାନେ ପୂର୍ବରୁ ପୋଲିସ ଦ୍ୱାରା ଏନକାଉଣ୍ଟର ଶିକାର ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧି ଚକରା ବାରିକ ଗ୍ୟାଙ୍ଗ ପାଇଁ କାମ କରୁଥିଲେ।। ଗତ କିଛିଦିନ ହେବ ରାଜଧାନୀରେ ମାରଣାସ୍ତ୍ର ଦେଖାଇ  ସୁନା ଦୋକାନିଙ୍କୁ ଲୁଟ ଘଟଣାରେ ଏହି ଗ୍ୟାଙ୍ଗର ହାତ ରହିଛି। ବିଶେଷ କରି ଏମାନେ ମହିଳାଙ୍କୁ ଢାଲ କରି ଅପରାଧ ଘଟାଉଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ ।

ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ହେଲେ, କ୍ୟାପିଟାଲ ଥାନା ପିଚୁ ବସ୍ତିର ଜଗନ ଶତପଥୀ(୨୨), ଗଞ୍ଜାମର ପପୁ ମାଝୀ(୨୭), ଖୋର୍ଦ୍ଧା ବାଣପୁର ର ଭରତ ଖୁଣ୍ଟିଆ(୨୩), ଅମୀର ଭୋଇ(୨୭) , ସନ୍ତୋଷ ପରିଡା(୨୯) ଓ ପିଚୁ ବସ୍ତିର ଜ୍ୟୋସ୍ନାରାଣୀ ମହାପାତ୍ର(୪୦) । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ। ସେମାନଙ୍କ ପାଖରୁ ୧୪ ଟି ସୁନା ଚେନ, ୧୬ଟି ସୁନା ମୁଦି,  ୨୩୦୦ ଗ୍ରାମ ରୁପା, ଦୁଇଟି ଖଣ୍ଡା ଓ ଦୁଇଟି ବାଇକ ଜବତ ହୋଇଛି।

ଜବତ ହୋଇଥିବା ଗହଣା


"ଏହି ଗ୍ୟାଙ୍ଗ ଦୀର୍ଘଦିନ ହେବ ରାଜଧାନୀ ସମେତ ଖୋର୍ଦ୍ଧା ଓ ନୟାଗଡ଼ରେ ଅପରାଧ ଘଟାଇ ଚାଲିଥିଲା । ବିଶେଷ କରି ଗହଣା ଦୋକାନୀଙ୍କୁ ଏମାନେ ଟାର୍ଗେଟ କରନ୍ତି । ଯେଉଁ ଗହଣା ଦୋକାନୀମାନେ ଦୋକାନ ବନ୍ଦ କରି ଘରକୁ ଫେରୁଥାନ୍ତି ସେମାନଙ୍କ ଉପରେ ଏହି ଗ୍ୟାଙ୍ଗ ହମଲା କରନ୍ତି । ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଆମେ ଆରମ୍ଭ କାରିଥିଲୁ ଅପରେସନ 'ହଟ ପର୍ସ୍ୟୁଡ଼' । ଅର୍ଥାତ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଧର । ଆମେ ଏଥିରେ କିଛି ମାତ୍ରାରେ ସଫଳ ହୋଇଛୁ। ଏହି ଗ୍ୟାଙ୍ଗର ଆଉ କିଛି ସଦସ୍ୟ ଫେରାର ଅଛନ୍ତି," କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସୂଚନାଯୋଗ୍ୟ, ସମସ୍ତେ ଦୁର୍ଦ୍ଦାନ୍ତ ଅପରାଧି ରବି ରାଓ ପାଇଁ କାମ କରୁଥିଲେ । ୨୦୧୯ ମସିହାରେ ରବିକୁ ପୋଲିସ ଏନକାଉଣ୍ଟର କରି ଜେଲ ପଠାଇବା ପରେ ଏମାନେ ନୂଆ ଗ୍ୟାଙ୍ଗ ତିଆରି କରିଥିଲେ । ଯାହାର ନେତୃତ୍ୱ ନେଇଥିଲେ ଚକରା ବାରିକ, ପ୍ରକାଶ ନାୟକ, ଜଗନ, ସଞ୍ଜୟ ମହାପାତ୍ର । ସମସ୍ତେ ଜେଲ ଫେରନ୍ତା ଜଣେ ଜଣେ ପେଷାଦାର ଅପରାଧି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Published by:Soumya Das
First published: