ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗଞ୍ଜେଇ ବେପାରୀକୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କଲା ପୋଲିସ; STFର ନେଲା ସହାୟତା

ଗଞ୍ଜେଇ ବେପାରୀକୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କଲା ପୋଲିସ; STFର ନେଲା ସହାୟତା

ଗଞ୍ଜାମ ଜିଲ୍ଲା ଖଜାପଲ୍ଳୀରୁ ନିଶା ବେପାରୀଙ୍କଠାରୁ ଟଙ୍କା ଓ ସୁନାଗହଣା ଜବତ ଘଟଣାରେ ପୋଲିସର ତଦନ୍ତ ଜୋରସୋରରେ ଚାଲିଛି । ଗିରଫ ହୋଇଥିବା ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକକୁ ପୋଲିସ ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲା ।

ଗଞ୍ଜେଇ ବେପାରୀକୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କଲା ପୋଲିସ; STFର ନେଲା ସହାୟତା
ଗଞ୍ଜେଇ ବେପାରୀକୁ ରିମାଣ୍ଡରେ ଆଣିବାକୁ ପୋଲିସ କୋର୍ଟରେ ଆବେଦନ କଲା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 24, 2021, 5:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖଜାପଲ୍ଳୀରୁ ନିଶା ବେପାରୀଙ୍କଠାରୁ ପୁଳାପୁଳା ଟଙ୍କା ଓ ସୁନାଗହଣା ଜବତ ଘଟଣାରେ ପୋଲିସର ତଦନ୍ତ ଜୋରସୋରରେ ଚାଲିଛି । ଗିରଫ ହୋଇଥିବା ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକକୁ ପୋଲିସ ଗୁରୁବାର  ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲା ।

ଏହାପରେ ଶୁକ୍ରବାର କୋର୍ଟରେ ରଜନୀକାନ୍ତଙ୍କୁ ଚାରିଦିନିଆ ରିମାଣ୍ଡରେ ଆଣିବା ନିମନ୍ତେ ଆବେଦନ କରିଛି ପୋଲିସ । ଏହା ସହିତ ତଦନ୍ତକୁ ଆଗକୁ ବଢ଼ାଇବା ନିମନ୍ତେ ଗଞ୍ଜାମ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି । ସେହିପରି ତଦନ୍ତରେ ସହାୟତା ପାଇଁ ଏସଟିଏଫ୍‌ର ମଧ୍ୟ ସହଯୋଗ ଲୋଡ଼ିଛି ପୋଲିସ । ଅଭିଯୁକ୍ତ ରଜନୀକାନ୍ତଙ୍କ ପୁଅକୁ ପଚରାଉଚୁରା କରିବା ସହ କିଛି ସହଯୋଗୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ରଜନୀକାନ୍ତଙ୍କ ସହଯୋଗୀଙ୍କୁ ଗିରଫ କରାଯିବା ସହ ଗଞ୍ଜେଇ ଚାଲାଣର ଚେର କେତେଦୂର ପର୍ଯ୍ୟନ୍ତ ଲମ୍ବିଛି ତାହା ଜଣାପଡ଼ିବ  ବୋଲି କହିଛନ୍ତି ଗଞ୍ଜାମ ଏସପି ।

ରଜନୀକାନ୍ତଙ୍କ ଘରୁ ବହୁ ପରିମାଣର ସୁନା ଓ ଟଙ୍କା ଜବତ କରିଛି ପୋଲିସ (ପ୍ରତୀକାତ୍ମକ ଛବି)


କୋଟିପତି ଗଞ୍ଜେଇ ବେପାରୀ ଗିରଫ ହେବା ପରେ ଏବେ ଅଧିକ ଖୋଳତାଡ଼ କରୁଛି ପୋଲିସ । ଗଞ୍ଜେଇ ବେପାରୀଙ୍କ ଘରୁ ପୁଳାପୁଳା ସୁନା ଓ ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ କରିବା ପରେ ପୋଲିସର ଆଖି ଜଳକା ହୋଇଯାଇଛି । ଅଧିକ ତଦନ୍ତ ନିମନ୍ତେ ପୋଲିସ କସରତ ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଘଟଣାର ହେବ ପର୍ଦ୍ଧାଫାସ । ଗତକାଲି ଗଞ୍ଜାମ ପୋଲିସକୁ ମିଳିଥିବା ବଡ଼ ସଫଳତା ସମ୍ପର୍କରେ । ରଜନୀକାନ୍ତକୁ ଗିରଫ ପରେ ଏହାପରେ ତାଙ୍କ ଘରେ ଚଢ଼ାଉ କରି ୩୪ କେଜି ୯୪ ଗ୍ରାମର ଗଞ୍ଜେଇ, ୧୦ କେଜି ୧୦ ଗ୍ରାମର ଅଫିମ, ୭୫ ଲକ୍ଷ ୯ ହଜାର ଟଙ୍କା ସହ ୮ କେଜି ୫୯୬ ଗ୍ରାମର ସୁନା ଅଳଙ୍କାର ଜବତ କରିଥିଲା ପୋଲିସ ।

‘‘ଗତକାଲି ସନ୍ଧ୍ୟାରେ ରଜନୀକାନ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଛତ୍ରପୁର ଏସଡ଼ିପିଓ ଓ ତିନୋଟି ଥାନାଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି । ବିପୁଳ ପରିମାଣର ସୁନା ଓ ନଗଦ ଟଙ୍କା ରହିଥିବା ଯୋଗୁଁ ଏହାର ତଦନ୍ତ ନିମନ୍ତେ ଏସଟିଏଫର ମଧ୍ୟ ସହାୟତା ଲୋଡ଼ାଯାଇଛି,‘‘ କହିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ।

‘‘ଦୀର୍ଘ ଦିନର ବ୍ୟବଧାନ ପରେ ଗଞ୍ଜାମ ପୋଲିସକୁ ଏଭଳି ସଫଳତା ମିଳିଛି । କାରଣ ପୂର୍ବରୁ ଅନେକ ସମୟରେ ରାସ୍ତା ଦେଇ ଚାଲାଣ ହେଉଥିବା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଗଞ୍ଜେଇ ଜବତ କରୁଥିଲା ଅବକାରୀ ଓ ପୋଲିସ । କିନ୍ତୁ ଚଳିତ ଥର ପ୍ରଥମ ଥର ନିମନ୍ତେ ଜଣେ ଗଞ୍ଜେଇ ବେପାରୀଙ୍କ ଠାରୁ ଏତେ ସୁନା ଓ ନଗଦ ଟଙ୍କା ସହ ଗଞ୍ଜେଇ ଓ ଅଫିମ ଜବତ କରିବା ନିଶ୍ଚିତ ଭାବେ ପୋଲିସ ପାଇଁ ବଡ଼ ସଫଳତା । କିନ୍ତୁ ଦୀର୍ଘ ୪୦ ବର୍ଷ ଧରି ଗଞ୍ଜେଇ ବ୍ୟବସାୟ ରଜନୀକାନ୍ତ କରୁଥିବା ବେଳେ ଅବକାରୀ ବିଭାଗ କଣ କରୁଥିଲା ବୋଲି ଏବେ ପ୍ରଶ୍ନ ଉଠିଛି । ଅବକାରୀ ବିଭାଗ ସବୁ ଜାଣି ଚୁପ୍‌ ବସିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି,‘‘ କହିଛନ୍ତି ବୁଦ୍ଧିଜୀବୀ ଶମ୍ଭୁ ପାଣିଗ୍ରାହୀ ।

ଗଞ୍ଜାମ ପୋଲିସକୁ ମିଳିିଛି ବଡ଼ ସଫଳତା (ପ୍ରତୀକାତ୍ମକ ଛବି)


‘‘ପୋଲିସ ଏତେ ବଡ଼ ଗଞ୍ଜେଇ ଚୋରାଚାଲାଣର ପଦ୍ଧାଫାସ କରିବାରେ ସଫଳ ହୋଇଥିବା ବେଳେ ଏତେ ପରିମାଣର ସୁନା ଗହଣ ଓ ଟଙ୍କା କେଉଁଠାରୁ ଆଣିଲେ ତାହାର ତଦନ୍ତ କରିବା ଏକ ବଡ଼ ଚ୍ୟାଲେଞ୍ଜ । ରଜନୀକାନ୍ତ ଏକାକୀ ଏତେ ସମ୍ପତ୍ତି ଠାବ କରିନଥିବେ । ତାଙ୍କର କିଛି ସହଯୋଗୀ ଥିବା ସହ ଗଞ୍ଜେଇ ବେପାର ଅନେକ ଦୂର ପର୍ଯ୍ୟନ୍ତ ଲମ୍ବି ରହିଥିବ। ତାହାକୁ ତଦନ୍ତ କରି କୋର୍ଟରେ ସତାସତ୍ୟ ତଥ୍ୟ ପ୍ରଦାନ କରିବା ପୋଲିସର ଏକ ବଡ଼ ଦାୟିତ୍ବ ରହିଛି । ରିମାଣ୍ଡରେ ଆଣି ରଜନୀକାନ୍ତଙ୍କଠାରୁ ଯଦି ସବୁକିଛି ସତ୍ୟାସତ୍ୟ ବାହାର କରିପାରିବ ତେବେ ପୋଲିସକୁ ଆହୁରି ଏହି ଗଞ୍ଜେଇ ମାମଲାରେ ବଡ଼ ସଫଳତା ମିଳିପାରିବ,‘‘ କହିଛନ୍ତି ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁ  ।

ପୋଲିସର ସ୍ବତନ୍ତ୍ର ଟିମ ସହ ଏସଟିଏଫ ଟିମ୍‌ ଦ୍ବାରା ତଦନ୍ତ ଆଗକୁ ବଢ଼ାଇଥିବା ବେଳେ କେତେ ଶୀଘ୍ର ରଜନୀକାନ୍ତଙ୍କ ସହଯୋଗୀଙ୍କୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାସ କରୁଛି ତାହା ଆଗକୁ ଜଣାପଡ଼ିବ ।
Published by: Soumya Das
First published: October 24, 2021, 5:31 PM IST