News18 Odia Digital
ଭୁବନେଶ୍ବର: ‘‘ମାନବପ୍ରେମୀ’’ ନାଁରେ ଜଣାଶୁଣା ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଜିଆରପି ପୋଲିସ ଏ ପର୍ଯ୍ୟନ୍ତ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜାଣିବାରେ ବିଫଳ ହୋଇଥିବା ବେଳେ ଏହି ମାମଲାରେ ତଦନ୍ତକାରୀ ପୋଲିସ ଟିମ୍ ହାତରେ ଲାଗିଛି ଜଣେ ଯୁବତୀ ଓ ଯୁବକଙ୍କ ବାର୍ତ୍ତାଳାପର ଭଏସ୍ ରେକର୍ଡ଼ିଂ । ଏହି ରେକର୍ଡ଼ିଂ ସହ ଆଦିତ୍ୟଙ୍କ ମୃତ୍ୟୁ ମାମଲା ଜଡ଼ିତ ଥିବା ସନ୍ଦେହ କରାଯାଉଛି ।
‘‘ମନ ଇଛା ମୋତେ ଟର୍ଚ୍ଚର କରୁଛନ୍ତି । ମରିଯିବି ମରିଯିବି ବୋଲି ସବୁବେଳେ କହୁଛନ୍ତି । ମୁଁ ରୁଷିଲେ ମୋତେ ମନାଉ ନାହାନ୍ତି । କଣ ପାଇଁ ଏପରି ହେଉଛ ବୋଲି ପଚାରିବାରୁ ସେ ଏତେ କଥା କହିଲେ ମୋ ମୁଣ୍ଡ କାମ କଲାନି । ଶେଷରେ ବାହାରକୁ ପଳାଇ ଆସିଲି । ଏବେ ସ୍କୁଟି ଧରି ବାହାରେ ବୁଲୁଛି । ତୁମେ କାହାକୁ କହିବନି । ତୁମେ ମୋର ନିଜର ବୋଲି ତୁମକୁ କହୁଛି,’’ ଜଣେ ଯୁବତୀ ଫୋନରେ ଏହା କହୁଥିବାର ଭଏସ୍ ରେକର୍ଡ଼ିଂରେ ଶୁଣିବାକୁ ମିଳିଛି ।
ଏହାର ଉତ୍ତରରେ ପୁରୁଷ ଜଣକ କହୁଛି, ‘‘ମୋ’ ରାଣ, ତୁମେ ଆମ ଘରକୁ ପଳାଅ । ମୁଁ କାହାକୁ କିଛି କହିବିନି । ବାହାରେ ରାତିରେ ବୁଲନି । ମୋ’ ରାଣ, ପ୍ରଥମେ ଆମ ଘରକୁ ଯାଅ । ମୁଁ ଯାଇ ପହଞ୍ଚୁଛି ।’’ ଏହି ଭଏସ୍ ରେକର୍ଡ଼ିଂ ଏବେ ଚର୍ଚ୍ଚାର ବିଷୟ ପାଲଟଛି ।

ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କର ଗଲା ଜୁନ୍ ୯ ତାରିଖରେ ବିବାହ ହୋଇଥିଲା ।
ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ରେଳବାଇ ପୋଲିସର ସୂତ୍ରଙ୍କ ଅନୁସାରେ ଏହି ଭଏସ୍ ରେକଡିଂ ପପୁ, ବିକାଶ, ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ଜବତ ହୋଇଥିବା କୌଣସି ଏକ ମୋବାଇଲ ଫୋନରୁ ମିଳିଛି । ଆଦିତ୍ୟଙ୍କ ମୃତ ଦେହ ମିଳିବା ପୂର୍ବ ଦିନ ରାତିର ଏହି କଥାବାର୍ତ୍ତା ବୋଲି କୁହାଯାଉଛି ।
ତେବେ କଥା ହେଉଥିବା ଉକ୍ତ ଯୁବକ ଓ ଯୁବତୀ କିଏ ତାକୁ ନେଇ ଏବେ ପୋଲିସ ତଦନ୍ତ ଚଳାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ କେହି କାହାର ସେହି ଭଏସ୍ ତାହା ଜାଣିବା ପାଇଁ ପୋଲିସ ପଚରାଉଚରା ଜାରି ରଖିଛି ।
ଉକ୍ତ ଯୁବତୀ ଜଣଙ୍କ ଯଦି ବିଦ୍ୟାଶ୍ରୀ ହୋଇଥାନ୍ତି ତେବେ ସେ କାହା ସହ କଥା ହେଉଥିଲେ ଓ ରାତିରେ କାହା ଘରକୁ ସେ ଯାଇଥିଲେ କି ନାହିଁ ପୋଲିସ ତାହା ଉପରେ ତଦନ୍ତ କରୁଛି । ତାଙ୍କର ଏହି ନିଜର ଲୋକ କିଏ ତାହା ଜାଣିବାକୁ ବି ତଦନ୍ତ ଜାରି ରହିଛି । ଯଦି ଏହି ଭଏସ୍ ରେକଡିଂରେ ବିଦ୍ୟାଶ୍ରୀ ଥା’ନ୍ତି, ତେବେ ଆଦିତ୍ୟଙ୍କ ମୃତ୍ୟୁର କାରଣ ପତି ଓ ପତ୍ନୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ବୋଲି ମନେକରାଯାଇ ତଦନ୍ତ ଆଗକୁ ବଢିପାରେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ଆଦିତ୍ୟ ମୃତ୍ୟୁ ଘଟଣାକୁ ଏକ ସପ୍ତାହରୁ ଅଧିକ ସମୟ ବିତିଲାଣି । ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ନିକଟ ସହଯୋଗୀମାନେ ବାରମ୍ବାର କହୁଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା । ହେଲେ ପୋଲିସ୍ ଏ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ, ଯୁକ୍ତିଯୁକ୍ତ ଓ ପ୍ରମାଣପୂର୍ଣ୍ଣ ନିଷ୍କର୍ଷରେ ପହଞ୍ଚି ପାରିନାହିଁ । ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ ।
ଏହା ବି ପଢ଼ନ୍ତୁ:
ଇଏ ଓଡ଼ିଆ ଝିଅ ଅପ୍ସରା ରାଣୀ; ରାମ ଗୋପାଳ ବର୍ମାଙ୍କ ନୂଆ ଫିଲ୍ମ ‘ଥ୍ରୀଲର୍’ରେ ସେ ହିରୋଇନ୍ଏହା ବି ପଢ଼ନ୍ତୁ:
ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରାପୋଲିସ ଆଦିତ୍ୟଙ୍କ ସହଯୋଗୀ ବିକାଶ, ପପୁ ଓ ତାଙ୍କ ଘର ମାଲିକଙ୍କୁ ଜେରା କରିସାରିଛି । ଖୁବ୍ ଶୀଘ୍ର ବିଦ୍ୟାଶ୍ରୀଙ୍କୁ ବି ପୋଲିସ ଜେରା କରିବ ବୋଲି ଜଣାପଡ଼ିଛି । ଏହି ଅଡ଼ିଓ ରେକର୍ଡ଼ିଂ ତଦନ୍ତ ଅଗ୍ରଗତିରେ ଏକ ପ୍ରମୁଖ ଭୂମିକା ନିଭାଇବ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।