News18 Odia Digital
କଟକ: କଟକରେ ପୋଲିସର ଏନକାଉଣ୍ଟର (Police Encounter)। କଟକ କମିଶନରେଟ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକ ଆହତ।
ଶଙ୍କରର ବାମଗୋଡ଼ରେ ବାଜିଛି ଗୁଳି। ଚିକିତ୍ସା ପାଇଁ ଶଙ୍କରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶଙ୍କର ପାଖରୁ ଗୋଟିଏ ପିସ୍ତଲ ମଧ୍ୟ ଜବତ ହୋଇଛି।
କଟକ ଡିସିପି କହିଛନ୍ତି ଯେ, ଚୋରା ବନ୍ଧୁକ କାରବାର କରୁଥିବା ଶଙ୍କର ମାରଣାସ୍ତ୍ର ଧରି ଆସୁଥିବା ନେଇ ସୂଚନା ମିଳିଥିଲା। ବିଡ଼ାନାସୀ-ଭୁଆଶୁଣୀ ଗଡ଼ାରେ ପୋଲିସ ତାକୁ ଅଟକାଇବାରୁ ସେ ପୋଲିସ ଉପରକୁ ଗୁଳି କରି ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାପରେ ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା।
ପୋଲିସର ଗୁଳିମାଡ଼ରେ ଶଙ୍କର ଆହତ ହୋଇଛି। ଡି-ବ୍ରଦର୍ସ ଗ୍ୟାଙ୍ଗର ସଦସ୍ୟ ଥିଲା ଦୀପକ। ଏହାସହ ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲାର ଅଭିଯୁକ୍ତ ଥିଲା ସେ। ଶଙ୍କର ନାଁରେ ହତ୍ୟା, ଡକାୟତି ସମେତ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି।
ରାଣୀହାଟ ଗୋପାଳସାହି ବାସିନ୍ଦା ଶଙ୍କର ହେଉଛି କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସଙ୍କ ଜଣେ ପ୍ରମୁଖ ସହଯୋଗୀ। ତା ନାଁରେ ହତ୍ୟା ଓ ଡକାୟତି ଭଳି ସଙ୍ଗୀନ ମାମଲା ରହିଛି।
ବିଶେଷ କରି ୨୦୧୪ ନଭେମ୍ବର ୧୨ ତାରିଖ ଦିନ କଟକ ମାଲଗୋଦାମରେ ଘଟିଥିବା ବ୍ୟବସାୟୀ ସେଖ୍ ଫାରୁକ ହତ୍ୟା ମାମାଲାରେ ସେ ସମ୍ପୃକ୍ତ ଥିଲା। ସେହି ମାମଲାରେ ଫେରାର ଥିବା ଶଙ୍କରକୁ ଦୀର୍ଘ ୮ ବର୍ଷ ପରେ ଗତ ବର୍ଷ ସେପଟେମ୍ବର ପହିଲାରେ ଗରିଫ କରି ଜେଲ ହାଜତକୁ ପଠାଇଥିଲା ପୋଲିସ। କିଛି ଦିନ ତଳେ ଶଙ୍କର ଜେଲରୁ ଫେରିଥିବା ବେଳେ କିଛି ଗୋଟେ ବଡ଼ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା କଥା ଜଣାପଡ଼ିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।