IPS ସ୍ତରରେ ବଡ଼ ଧରଣ ଅଦଳବଦଳ କରି ନିଜର ନୂଆ ଟିମ ଗଠନ କଲେ ପୋଲିସ ଡିଜି ସୁନୀଲ ବଶଂଲ
News18 Odia Digital
କଟକ: ନୂଆ ଡିଜି ଭାବେ ଦାୟୀତ୍ବ ଗ୍ରହଣ କରିବାର ୪ ମାସ ପରେ ନିଜର ନୂଆ ଟିମ ଗଠନ ଦିଗରେ ପ୍ରଥମ ପଦକ୍ଷେପ ଗ୍ରହଣ କଲେ ପୋଲିସ ଡିଜି ସୁନୀଲ ବଶଂଲ। ଡିଜିଙ୍କ ପରାମର୍ଶ କ୍ରମେ ରାଜ୍ୟ ଆଇପିଏସ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।
ତେବେ ବଦଳି ହୋଇଥିବା ୧୬ ଜଣ ଆଇପିଏସ ଅଧିକାରୀଙ୍କ ମଧ୍ୟରୁ ପ୍ରଥମ ପୋଲିସ ଅଧିକାରୀ ଭାବେ ନିଜ ନୂଆ ଦାୟୀତ୍ବ ଗ୍ରହଣ କରିଛନ୍ତି ୧୯୮୮ ମସିହା ବ୍ୟାଚର ଆଇପିଏସ ଅଧିକାରୀ ସନ୍ତୋଷ ଉପଧ୍ୟାୟ।
ଶନିବାର ମଧ୍ୟାନ୍ନରେ ସନ୍ତୋଷ ଉପଧ୍ୟାୟ କଟକ ସ୍ଥିତ ଅଗ୍ନିଶମ ନିର୍ଦ୍ଦେଶାଳୟରେ ପହଁଚିବା ପରେ ଅପେକ୍ଷାରତ ବିଭାଗର ଅନ୍ୟ କର୍ମଚାରୀମାନେ ତାଙ୍କୁ ପାଛୋଟି ନେଇଥିଲେ। ଏହା ପରେ ସେ ନିଜ ଚାମ୍ବରକୁ ଯାଇ ଅଗ୍ନିଶମ ଡିଜି ଭାବେ ଦାୟୀତ୍ବ ଗ୍ରହଣ କରିଥିଲେ। ତେବେ ରାଜ୍ୟ ଅଗ୍ନିଶମ ବିଭାଗର ଯେଉଁ ସୁନାମ ସମଗ୍ର ଦେଶରେ ରହିଛି ତାହାକୁ ଆହୁରି ବୃଦ୍ଧି କରିବା ସହିତ ସାମ୍ପ୍ରତିକ ପରିସ୍ଥିତିରେ ଯେଉଁ ନୂଆ ନୂଆ ଉପରକଣମାନ ନିଆଁ ଲିଭା କାର୍ଯ୍ୟରେ ବ୍ୟବହାର ହୋଉଛି ସେହି ଉପକରଣକୁ ବିଭାଗରେ ସାମିଲ କରାଯିବା ପାଇଁ ବିଚାର କରାଯିବ ବୋଲି କହିଛନ୍ତି ନୂଆ ଅଗ୍ନିଶମ ଡିଜି।
"ଅଗ୍ନିକାଣ୍ଡ ଅପେକ୍ଷା ଏହାକୁ ପ୍ରରୋଧ କରିବା ଅତି ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ବିଭିନ୍ନ ସ୍ଥାନରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ବିଶେଷ କରି ବହୁତଳ ଅଟ୍ଟାଳିକା ଗୁଡ଼ିକରେ ନିୟମିତ ଭାବେ ମଗ ଡ୍ରିଲ କରାଯିବ," କହିଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ।
ତେବେ ଆଇପିଏସ ସ୍ତରରେ ହୋଇଥିବା ଏହି ବଦଳି ମଧ୍ୟରେ ସବୁ ଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି କମିଶନରେଟ ପୋଲିସ। କାରଣ କୁହାଯାଉଛି କି କମିଶନରେଟ ପୋଲିସ ପୋଲିସକୁ ମଜଭୁତ କରିବା ପାଇଁ ଡିଜିପି ସୁନୀଲ ବଶଂଲ ତିନି ଜଣ ଆଇପିଏସ ଅଧିକାରୀ ଡକ୍ଟର ଉମାଶଙ୍କର ଦାଶ, ପ୍ରତିକ ସିଂ, ଓ ପିନାକ ମିଶ୍ରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଗତ କିଛି ଦିନ ହେଲା ଟୁଇନ ସିଟିରେ ବଢୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ଏହି ତିନି ଅଧିକାରୀଙ୍କ ପାଇଁ ଏକ ବଡ଼ ଚାଲେଞ୍ଚ ହେବ। ବିଶେଷ କରି ଭୁବନେଶ୍ବର ହଠାତ୍ ବଢ଼ିଯାଇଥିବା ହତ୍ୟା ଡକାୟତି ଓ ଚୋରି ଭଳି ଅପରାଧ ଉପରେ ଅଙ୍କୁଶ ଲଗାଇବା ମଧ୍ୟ ନୂଆ ଅତିରୀକ୍ତ ପୋଲିସ କମିଶନର ଡକ୍ଟର ଉମାଶଙ୍କର ଦାଶ ନୂଆ ଡିସିପି ପ୍ରତିକ ସିଂଙ୍କ ପାଇଁ ଆହ୍ବାନ ହେବ।
ବରିଷ୍ଠ ପୋଲିସ ଅଧିକାରୀଙ୍କ କ୍ଷେତ୍ରରେ ହୋଇଥିବା ବଦଳିରେ ସବୁ ଠାରୁ ଅଧିକ ଆଲୋଚନା କ୍ରାଇମ୍ ବ୍ରାଞ୍ଚର ନୂଆ ଏଡିଜି ଅରୁଣ ବୋଥରାଙ୍କୁ ନେଇଙ୍କୁ ନେଇ ହେଉଛି। ଜଟିଳ ଅପରାଧଗୁଡ଼ିକର ସଫଳ ତଦନ୍ତ କରିବାରେ ସିଦ୍ଧହସ୍ତ ଥିବା ୧୯୯୬ ମସିହା ବ୍ୟାଚର ଏହି ଆଇପିଏସ ଅଧିକାରୀଙ୍କ ପାଇଁ ଏହି ନୂଆ ପଦବୀରେ ମଧ୍ୟ ଅନେକ ଚାଲେଞ୍ଜ ରହିଛି। ବଦଳରୁଥିବା ପରିସ୍ଥିତିରେ ତଦନ୍ତର ପାରମ୍ପରିକ ପଦ୍ଧତିକୁ ଛାଡ଼ି ନୂଆ ପ୍ରକିୟାକୁ ଗ୍ରହଣ କରିବା ମଧ୍ୟ ଅରୁଣଙ୍କ ପାଇଁ ଏକ ଆହ୍ବାନ ଭଳି ହେବ। ସେହି ଭଳି ଜେଲ ବିଭାଗରେ ଥିବା ବିଭିନ୍ନ ସମସ୍ୟା ଓ ଭିତ୍ତିଭୂମିର ବିକାଶ ନୂଆ ଜେଲ ଡିଜି ଡକ୍ଟର ମନୋଜ ଛାବ୍ରାଙ୍କ ସାମାନାରେ ଚାଲେଞ୍ଜ ଭଳି ଛିଡ଼ା ହୋଇଥିବା ବେଳେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ ପଣ୍ଡାଙ୍କ ଆଗରେ ମାଓ ମୁକାବିଲା ଓ ରାଜ୍ୟର ଆନ୍ତରିକ ସୁରକ୍ଷା ସମ୍ପର୍କିତ ଗୁଇନ୍ଦା ତଥ୍ୟଗୁଡିକୁ ସଠିକ ଢଙ୍ଗରେ ପରିଚାଳନା କରିବା ମଧ୍ୟ ଆହ୍ବାନ ଭଳି ହେବ।
ବଦଳି ହୋଇଥିବା ସମସ୍ତ ଆଇପିଏସ ଅଧିକାରୀମାନେ ଆସନ୍ତା ସପ୍ତାହ ସୁଦ୍ଧା ନିଜ ନିଜର ନୂଆ କାର୍ଯ୍ୟାଳୟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Published by:Lipina Das
First published: