News18 Odia Digital
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିପାଟଣା ସିସିଲୋ ଗାଁର ଆଶିଷ ଓଝା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦଫାସ । ଆଶିଷଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ରାଜା ସମେତ ୩ ଜଣଙ୍କୁ ଗିରଫ କଲା ବାଲିପାଟଣା ଥାନା ପୋଲିସ । ଭଉଣୀର ଏକ ତରଫା ପ୍ରେମକୁ ବିରୋଧ କରିବାରୁ ଆଶିଷକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଗିରଫ ପରେ ତିନି ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।
ପୋଲିସ ସୂଚନା ଅନୁସାରେ, ସାଙ୍ଗ ସାଜିଲା ସଇତାନ। ଘରୁ ଡାକି ଆଣି ଅତି ବିଭତ୍ସ ଭାବେ ଆଶିଷକୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ବିୟର ବୋତଲ ଭୁସି ଗାମୁଛାରେ ତଣ୍ଟି ଚିପି ଶ୍ୱାସରୁଦ୍ଧ କଲେ । ଏତିକିରେ ରାଗ ଶାନ୍ତ ନ ହେବାରୁ ପାଣିରେ ମୁହଁ ମାଡି ତଣ୍ଟିରେ ଛିଡା ହୋଇଗଲେ। ପରେ ଘଟଣା ସ୍ଥଳରୁ ସମସ୍ତେ ନିଜ ନିଜ ବାଟରେ ଫେରାର ହୋଇଯାଇଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।
"ସିସିଲୋ ଗାଁର ଆଶିଷ ଓଝା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା ସମେତ ୩ ଜଣଙ୍କୁ ଗିରଫ କଲା ବାଲିପାଟଣା ଥାନା ପୋଲିସ । ଭଉଣୀର ଏକ ତରଫା ପ୍ରେମକୁ ବିରୋଧ କରିବାରୁ ଆଶିଷକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଗତ ୬ ତାରିଖରେ ଆଶିଷକୁ ଘରୁ ଡାକିଆଣି ସାମସ୍ତେ ମଦ୍ୟପାନ କରିଥିଲେ । ପରେ ଆଶିଷକୁ ହତ୍ୟା କରିଥିଲେ । ଗିରଫ ତିନି ଅଭିଯୁକ୍ତ ହେଲେ ରାଜକିଶୋର ଦାସ ଓରଫ ରାଜା, ରାକେଶ ସେଠୀ ଓରଫ ରାକା ଓ ଦୁର୍ଯ୍ୟୋଧନ ବେହେରା ଓରଫ ସିପୁ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ," କହିଛନ୍ତି ଭୁବନେଶ୍ୱର ଜୋନ-୪ ଏସିପି ପରେଶ ରାଉତ।
ପୋଲିସ ସୂଚନା ଅନୁସାରେ, ଆଶିଷଙ୍କ ଭଉଣୀଙ୍କୁ ରାଜା ଏକତରଫା ଭଲ ପାଉଥିଲା । ଯାହାକୁ ପରିବାର ଲୋକେ ବିରୁଦ୍ଧ କରୁଥିଲେ । ଗତ ୮ ତାରିଖରେ ଆଶିଷଙ୍କ ଭଉଣୀ ବାହାଘର ଥିଲା। ତା ପୂର୍ଵରୁ ଭଉଣୀ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି କରୁଥିଲେ ଆଶିଷ । ଗତ ୬ ତାରିଖ ରାତିରେ ରାଜା ଓ ତାର ସହଯୋଗୀ ଆଶିଷକୁ ଫୋନ କରି ଡାକିଥିଲେ। ନଇବନ୍ଧ ତଳେ ସମସ୍ତେ ମଦ ପିଇଥିଲେ । ପରେ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ ବୋଲି ସତ ମାନିଛନ୍ତି ୩ ଅଭିଯୁକ୍ତ । ଏପରିକି ହତ୍ୟା ପରେ ଆଶିଷଙ୍କ ମୋବାଇଲକୁ ନଦୀ ଭିତରକୁ ଫିଙ୍ଗି ଦେଇଥିବା କହିଛନ୍ତି ତିନି ଅଭିଯୁକ୍ତ । ପରେ ତାଙ୍କ ମୋବାଇଲ ଫୋନକୁ ନଦୀକୁ ଫିଙ୍ଗିଦେଇଥିଲେ ଗିରଫ ଅଭିଯୁକ୍ତ।
ସୂଚନାଯୋଗ୍ୟ, ଗତ ୭ ତାରିଖ ସକାଳୁ ସିସିଲୋ ନଦୀ ମୁହାଣରୁ ଆଶିଷଙ୍କ ମୃତଦେହ ଜବତ କରାଯାଇଥିଲା। ପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ବାଲିପାଟଣା ଥାନା ପୋଲିସ । ଏବେ ଅଭିଯୁକ୍ତକୁ ରିମାଣ୍ଡରେ କ୍ରାଇମସିନ ରିକ୍ରିଏସନ କରିବା ସହ ଅଗ୍ନିଶମ ବିଭାଗ ସହାୟତାରେ ମୋବାଇଲକୁ ଖୋଜିବ ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।