News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଚୋରି ହୋଇଥିବା ମୋବାଇଲ ଫୋନକୁ ଫେରି ପାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି । ଯେଉଁମାନଙ୍କ ମୋବାଇଲ ହଜିଛି, କିମ୍ବା ଚୋରି ହୋଇଛି ସେମାନେ ନିଜ ମୋବାଇଲର 'ଇଏମଇଆଇ' ନମ୍ବରକୁ ହ୍ଵାଟ୍ସଆପ କରିଲେ ପୋଲିସ ସେମାନଙ୍କ ମୋବାଇଲକୁ ଫେରସ୍ତ କରିବ ।
ଚୋରି ମୋବାଇଲକୁ ଫେରେଇବା ନେଇ ସହିଦ ନଗର ଥାନାରେ ଏକ 'ମୋବାଇଲ ମେଳା' ଅନୁଷ୍ଠିତ ହୋଇଥିଲା । ଏଥିରେ ୩୨ଟି ଚୋରି ମୋବାଇଲକୁ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି । ଜୋନ -୫ ଏ.ସି.ପି. ସଞ୍ଜୀବ ଶତପଥୀ ଚୋରି ମୋବାଇଲକୁ ଲୋକଙ୍କୁ ଫେରସ୍ତ କରିଛନ୍ତି ।
"ଲୁଟେରାଙ୍କଠୁ ଅନେକ ଚୋରି ମୋବାଇଲ୍ ଜବତ ହେଉଛି । କିନ୍ତୁ ମୋବାଇଲ ଗୁଡ଼ିକର କୌଣସି ତଥ୍ୟ ଥାନା ମାନଙ୍କରେ ନଥିବାରୁ ଥାନାରେ ସେମିତି ପଡ଼ିରହିଛି । ଏବେ ଭୁବନେଶ୍ୱର ୟୁ.ପି.ଡ଼ି.ର ବିଭିନ୍ନ ଥାନାରେ ପାଖାପାଖି ୫୦୦ରୁ ଅଧିକ ମୋବାଇଲ ଜବତ ହୋଇ ରହିଛି । ଚୋରା ମୋବାଇଲର ପ୍ରକୃତ ମାଲିକଙ୍କୁ ଅନୁରୋଧ ପୋଲିସ୍ ସହ ଯୋଗାଯୋଗ କରନ୍ତୁ । ଷ୍ଟ୍ରିଟ୍ କ୍ରାଇମ୍ ରୋକିବାକୁ ପୂର୍ବରୁ ଜାରି ହୋଇଥିବା ୭୦୭୭୭୯୮୧୧୧ ନମ୍ବରରେ ହ୍ୱାଟସ୍ଅପ୍ କରନ୍ତୁ । ଏଥିରେ ଚୋରି ହୋଇଥିବା ମୋବାଇଲ୍ର ଇଏମ୍ଇଆଇ ନମ୍ବର, ମଡେଲ୍ ନାମ, ରୁଜୁ ହୋଇଥିବା ମାମଲା ସଂଖ୍ୟା ଓ ନାମ, ଠିକଣା ଦିଅନ୍ତୁ । ଆପଣଙ୍କୁ ପୋଲିସ୍ ନିଜ ଆଡୁ ଫୋନ୍ କରି ଚୋରି ହୋଇଥିବା ମୋବାଇଲ୍ ଫେରାଇବ," କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମାଶଙ୍କର ଦାଶ।

୩୨ ଜଣ ପାଇ ସାରିଲେଣି ନିଜ ଫୋନ୍
ଚଳିତ ବର୍ଷ ଆରମ୍ଭରୁ ଚୋରି ହୋଇଥିବା ମୋବାଇଲ୍ ଫେରାଇବାକୁ ଗୁରୁତ୍ୱ ଦିଆଯାଉଛି । ମୋବାଇଲ୍ ନମ୍ବର ଟ୍ରାକିଂରୁ ଅଧିକାଂଶ ମୋବାଇଲର ଲୋକସନ୍ ଜଣାପଡୁଛି । ପେସାଦାର ଲୁଟେରା, ଚୋରଙ୍କଠୁ କିମ୍ବା ସେମାନଙ୍କ ତଥ୍ୟରୁ ବଳକା ମୋବାଇଲ୍କୁ ଖୋଜା ଯାଉଛି । ଖାଲି ଓଡ଼ିଶା ନୁହେଁ, ରାଜ୍ୟ ବାହାରକୁ ଯାଇ ପୋଲିସ ଚୋରି ମୋବାଇଲକୁ ଠାବ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ବମିଖାଲ ଅଞ୍ଚଳର ହରମୋହନ କହିବା ଅନୁସାରେ, "ଅଗଷ୍ଟ ୧୫ ସନ୍ଧ୍ୟାରେ କ୍ୱାର୍ଟର୍ସକୁ ଫେରିବା ବେଳେ ହାପି ହାୱାର ସ୍କୁଲ ସାମ୍ନାରେ ଦୁଇ ଲୁଟେରା ତାଙ୍କ ମୋବାଇଲ୍ ଛଡ଼ାଇ ନେଇ ପଳାଇଥିଲେ। ମୋବାଇଲ୍ ଫେରିପାଇବେ ବୋଲି ଆଶା ନଥିଲା । କିନ୍ତୁ ଦୁଇ ଦିନ ତଳେ ଥାନାରୁ ଫୋନ୍ ଆସିଲା । ଆଜି ଥାନାକୁ ଡାକି ମୋବାଇଲ୍ ଫେରାଇଛନ୍ତି।’’
ସେହିପରି ରସୁଲଗଡ଼ ଶିଳ୍ପାଞ୍ଚଳରେ ରହୁଥିବା ନୀଳକଣ୍ଠ ସ୍ୱାଇଁଙ୍କ ଘରେ ଜୁଲାଇ ୨ ତାରିଖରେ ଚୋର ପଶିଥିଲେ । ଘରୁ ୩ ମୋବାଇଲ୍ ସହ ଅନ୍ୟ ସାମଗ୍ରୀ ଚୋରି କରିଥିଲେ । ୩ ରୁ ୨ଟି ମୋବାଇଲ୍ ଉଦ୍ଧାର କରି ପୋଲିସ ତାଙ୍କୁ ଫେରାଇଛି । ଏମିତି ୩୨ଜଣ ସେମାନଙ୍କ ଚୋରା ମୋବାଇଲ୍ ଫେରି ପାଇଛନ୍ତି । ସହିଦନଗର ଥାନାରେ ମୋବାଇଲ୍ ମେଳା ଯୋଗେ ଏସବୁ ମୋବାଇଲ୍ ଫେରା ଯାଇଛି ।
ସୂଚନା ଅନୁସାରେ, ପୂର୍ବରୁ କମିସନରେଟ ପୋଲିସ ପକ୍ଷରୁ ବାଇକ ମେଳା କରାଯାଇଥିଲା । ଯେଉଁଥିରେ ଚୋରି ବାଇକ ଗୁଡିକୁ ପ୍ରକୃତ ବାଇକ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି । ଏବେ ସମାନ ଢ଼ଙ୍ଗରେ ମୋବାଇଲ ଫୋନ ଗୁଡିକ ଫେରାଉଛି ପୋଲିସ । ଚଳିତ ବର୍ଷ ଭୁବନେଶ୍ୱର ୟୁ.ପି.ଡ଼ି.ରେ ପାଖାପାଖି ଦୁଇ ହଜାରରୁ ଅଧିକ ମୋବାଇଲ୍ ଲୋକଙ୍କୁ ଫେରେଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।