News18 Odia Digital
ପୁରୀ: ୧୦ ବର୍ଷ ତଳେ ବରିଷ୍ଠ ସେବାୟତ ଗୁନ ସିଂହାରୀକୁ ଯେଭଳି ଢଙ୍ଗରେ ହତ୍ୟା କରାଯାଇଥିବା ବେଳେ ଏବେ ସେହିଭଳି ହତ୍ୟା କରାଯାଇଛି ସେବାୟତ କାଳିଆ ପଢିଆରୀଙ୍କୁ । ଜମି ବେପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲିଛି ପୋଲିସ ସନ୍ଦେହ କରୁଛି।
ମୃତ କାଳିଆ ପଢିଆରୀଙ୍କ ଭାଇ ନୃସିଂହ ପଢିଆରୀଙ୍କ ଏତେଲା ଅନୁଯାୟୀ ,"ବୁଧବାର ଦିନ ୧୦ଟା ବେଳେ ତଳୁଛ ସାହିର କୁନମୁନୁ କାଳିଆ ପଢିଆରୀଙ୍କୁ ଫୋନ କରି ଡାକିଲେ । ବାରବାଟୀ ଜାଗାରେ କାଳିଆ ପଢିଆରୀ ପହଁଚିବା ପରେ ଏକ ଜାଗାର ପଟ୍ଟା ନେଇ ଆଲୋଚନା ହୋଇଥିଲା । ମୁଁ ବାରବାଟୀ ଯାଗା ନିକଟରେ ପହଞ୍ଚିବା ବେଳକୁ ଭାଇ ରକ୍ତ ଜୁଡୁବୁଡୁ ଓ କୁନୁମୁନୁ , ଟୁଟୁ , ହରି ପଣ୍ଡା ,ବାବା ମହାପାତ୍ର ସେଠାରେ ଦୌଡି ପଳାଉଥିବା ବେଳେ କହିଲେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦର ଶପଥ ପୁରଣ ହେଲା ବୋଲି କହିକି ପଳାଇଗଲେ । ସେପଟେ କାଳିଆ ପଢିଆରୀ ନିସ୍ତେଜ ହେବା ପୂର୍ବରୁ ଏମାନଙ୍କ ନାଁ କହିଥିଲେ"।
ବରିଷ୍ଠ ସେବାୟତ ଦାମୋଦର ମହାସୁଆରଙ୍କ କହିବା ଅନୁଯାୟୀ ,"ସେବାୟତ ଗୁନ ସିଂହାରୀଙ୍କୁ ଗୁଳିମାଡ କରି ହତ୍ୟା ଘଟଣାରେ ପୁଲିସର ପ୍ରମାଣ ଅଭାବରୁ ସମସ୍ତ ୬ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଲେ । ତେଣୁ ଅପରାଧୀମାନେ ଏହି ଘଟଣାକୁ ନେଇ ବେଶ ଉତ୍ସାହିତ ହୋଇପଡିଲେ । ଆଉ ସେହିଭଳି ଓ ସେହି ଢଙ୍ଗରେ ସୁଆର ମହାସୁଆର ନିଯୋଗ ସମ୍ପାଦକ ତଥା ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କାଳିଆ ପଢିଆରୀ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ବାରବାଟୀ ଯାଗା ପରିସରରେ ଜିରୋ ରେଂଜରୁ ଫାୟାରିଂ କରି ହତ୍ୟା କରିବା ଘଟଣା ବେଶ ଚିନ୍ତାଜନକ । ଗୋଟିଏ ପଟେ ଜମି ବେପାରକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ବେଳେ ପୂର୍ବଶତୃତା ମଧ୍ୟ ରହିଛି । ହେଲେ ପ୍ରଥମ ଘଟଣାରେ ପୁଲିସ ସଠିକ ପ୍ରମାଣ ଦେଇ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ହୋଇଥିଲେ ଆଉ କାଳିଆ ପଢିଆରୀଙ୍କୁ ହତ୍ୟା ଭଳି ଘଟଣା ଘଟିନଥାନ୍ତା । ତେଣୁ ପୁଲିସର ଅପାରଗତାକୁ ଦାୟି କରିଛନ୍ତି ସେବାୟତ "।
" କାଳିଆ ପଢିଆରୀଙ୍କ ହତ୍ୟା ଘଟଣାରେ ଜମିଜମା ବିବାଦ ସହ ଗନ ସିଂହାରୀ ହତ୍ୟା ଘଟଣା ରହିଛି,"ଆଶଙ୍କା କରିଛନ୍ତି ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀର ସଭାପତି କାଶୀନାଥ ଖୁଣ୍ଟିଆ।
"ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପଢିଆରୀଙ୍କୁ ଜିରୋ ରେଂଜରୁ ଫାୟାରିଂ କରି ହତ୍ୟା ଘଟଣାରେ ପୁରୀ ପୁଲିସ ପକ୍ଷରୁ କରାଯାଇଥିବା ୪ଟି ଟିମ ପୁରୀ ସମେତ ଭୁବନେଶ୍ୱର ଓ ଗଞ୍ଜାମ ଯାଇ ଚଢ଼ାଉ ଜାରୀ ରଖିଛନ୍ତି। ସେପଟେ ହତ୍ୟା ଘଟଣାରେ ମୃତ କାଳିଆ ପଢିଆରିଙ୍କ ପରିବାର ଲୋକଙ୍କ ଏତେଲା ଅନୁଯାୟୀ କୁନୁମୁନୁକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ସେପଟେ ହତ୍ୟା ସମୟରେ ବାରବାଟୀ ଜାଗା ପରିସରରେ ଥିବା କିଛି ସେବାୟତଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି । ତା ସହିତ ପୁରୀ ଆଉ ଭୁବନେଶ୍ୱରରେ ଚଢାଉ କରାଯାଉଛି। ଖୁବ ଶୀଘ୍ର ଅପରାଧି ମାନଙ୍କୁ ଧରାଯିବ," କହିଛନ୍ତି ପୁରୀ ଏସପି ଡକ୍ଟର କନୱର ବିଶାଳ ସିଂ " ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।