News18 Odia Digital
ଭୁବନେଶ୍ବର: ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଜାରି। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ମହାବିଦ୍ୟାଳୟରେ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା। ଆସନ୍ତା ଅଗଷ୍ଟ ୧୧ ତାରିଖରୁ ସାମସ ପୋର୍ଟାଲ ଜରିଆରେ ଅନଲାଇନରେ ଆରମ୍ଭ ହେବ ଆବେଦନ।
୧୧ ତାରିଖ ଦିନ ୧୧ଟାରୁ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କରିପାରିବେ ଆବେଦନ। ଅଗଷ୍ଟ ୩୧ ତାରିଖ ଦିନ ୧୧.୪୫ ମିନିଟରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ। ସେପ୍ଟେମ୍ବର ୨ ରୁ ୫ ତାରିଖ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା।
ଏହାପରେ ୧୧ ସେପ୍ଟେମ୍ବରରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ। ସେପ୍ଟେମ୍ବର୧୨ ରୁ ୧୪ ହେବ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା। ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ତାଲିକା ପ୍ରକାଶ କରିବ ଉଚ୍ଚଶିକ୍ଷା ବିଭାଗ।
ଅଗଷ୍ଟ ୧୬ ତାରିଖରେ ସାମସ ୱେବସାଇଟରେ ଉପଲବ୍ଧ ହେବ ବଳକା ସିଟ୍ ତାଲିକା। ବଳକା ସିଟ୍ରେ ସ୍ପଟ ଆଡ଼ମିଶନ ପାଇଁ ୧୯ ଅଗଷ୍ଟରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ।
ଯେଉଁ ଛାତ୍ରଛାତ୍ରୀମାନେ ୧୧ ତାରିଖରେ କାଫ ବା କମନ ଆପ୍ଲିକେସନ ଫର୍ମ ପୂରଣ କରିଥିବେ ସେହି ଛାତ୍ରୀଛାତ୍ରୀ ହିଁ ସ୍ପଟ ଆଡ଼ମିଶନରେ ଅଂଶ ଗ୍ରହଣ କରିପାରିବେ।
ଯଦି କୌଣସି ଆବେଦନକାରୀ ଏକାଧିକ ଚଏସ୍ ତଥା ଅପସନ୍ ପାଇଥିବେ ସ୍ପଟ୍ ନାମଲେଖା ସମୟରେ ସେଥିମଧ୍ୟରୁ ଗୋଟିଏକୁ ଚୟନ କରିବେ। ସେପ୍ଟେମ୍ବର ୨୬ରୁ ୨୮ ମଧ୍ୟରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ।
୨୯ ତାରିଖରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଶିକ୍ଷାନୁଷ୍ଠାନର ଇ-ସ୍ପେସ୍ରେ ଉପଲବ୍ଧ ହେବ। ୨୦୨୨-୨୩ ଶିକ୍ଷା ବର୍ଷ ଲାଗି ଇ-ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ଫି’ ଆଦାୟ କରିବେ।
ପ୍ରକାଶ ଥାଉକି ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଇ-ଆଡମିସନ ହେଲ୍ପଲାଇନ୍ ନମ୍ବର (୧୫୫୩୩୫/ ୧୮୦୦୩୪୫୬୭୭୦) ଜାରି ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।