ଅନଲାଇନ ୟୁଟ୍ଯୁବ କ୍ଲାସରେ ପାଠ ପଢ଼ିବେ ଯୁକ୍ତ ୨ ଛାତ୍ରଛାତ୍ରୀ; ଅଗଷ୍ଟ ୨୩ରୁ ହେବ କ୍ଲାସ

କରୋନା ସ୍ଥିତିକୁ ଆଖି ଆଗରେ ରଖି ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଯୋଜନା କରିଛି ଗଣଶିକ୍ଷା ବିଭାଗ । ଅଗଷ୍ଟ ୨୩ରୁ ପିଲାମାନଙ୍କୁ ଅନଲାଇନ ୟୁଟ୍ୟୁବ କ୍ଲାସ ଜରିଆରେ ଶିକ୍ଷାଦାନ କରାଯିବ ।

ଅନଲାଇନରେ ପାଠ ପଢ଼ିବେ ଯୁକ୍ତ ୨ ଛାତ୍ରଛାତ୍ରୀ (ପ୍ରତୀକାତ୍ମକ ଛବି)

ଅନଲାଇନରେ ପାଠ ପଢ଼ିବେ ଯୁକ୍ତ ୨ ଛାତ୍ରଛାତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଶିକ୍ଷା ବ୍ଯବସ୍ଥାକୁ ଉନ୍ନତ ଓ ସମୃଦ୍ଧି କରିବା ପାଇଁ ଦିନକୁ ଦିନ ନୂଆ ନୂଆ ଯୋଜନା ପ୍ରସ୍ତୁତି କରୁଛି ଗଣଶିକ୍ଷା ବିଭାଗ । ଏଣିକି ଦଶମ ଶ୍ରେଣୀ ଭଳି ଯୁକ୍ତ ୨ ଛାତ୍ରଛାତ୍ରୀ ମଧ୍ଯ ଅନଲାଇନ ଲାଇଭ କ୍ଲାସରେ ପାଠ ପଢ଼ିବେ । ଅଗଷ୍ଟ ୨୩ରୁ ୟୁଟ୍ୟୁବ ଜରିଆରେ ଅନଲାଇନ କ୍ଳାସ ଆରମ୍ଭ କରିବାକୁ ଯୋଜନା କରିଛି ଗଣଶିକ୍ଷା ବିଭାଗ।

ଏଥର ପିଲାଙ୍କ ପାଠପଢ଼ା ଓ କରୋନାକୁ ଆଖି ଆଗରେ ରଖି ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି । ଅନଲାଇନ କ୍ଲାସ ପାଇଁ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ଳାସ ସେଟ ଅପ ହୋଇସାରିଥିବାବେଳେ ପାଠ୍ୟ ଖସଡ଼ା ବି ପ୍ରସ୍ତୁତ ସରିଛି। ଫଳରେ ଆଗକୁ କଲେଜ ବନ୍ଦ ହେଲେ ମଧ୍ୟ ସମୟରେ ଯୁକ୍ତ୨ ପାଠପଢା ଶେଷ ହୋଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ସାମ୍ଭାବ୍ଯ ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ତେଣୁ ବିଦ୍ଯାଳୟ ଓ ମହାବିଦ୍ଯାଳୟ ଖୋଲିଲେ ମଧ୍ଯ ଅଭିଭାବକମାନେ ପିଲାମାନଙ୍କୁ ବାହାରକୁ ଛାଡ଼ିବାକୁ ଭୟ କରୁଛନ୍ତି । ଏଭଳି ସ୍ଥିତିରେ ସ୍କୁଲ କଲେଜ ଖୋଲୁଛି ହେଲେ ପିଲାଙ୍କ ଉପସ୍ଥାନ ବି କମୁଛି। ତେବେ ଶ୍ରେଣୀ ଗୃହ ପାଠ ପଢାର ବିକଳ୍ପ ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ। ଦଶମ ଶ୍ରେଣୀ ପରି ଯୁକ୍ତ୨ ପିଲାଙ୍କୁ ୟୁ ଟ୍ୟୁବ କ୍ଳାସ ମାଧ୍ୟମରେ ପାଠ ପଢ଼ାଇବାକୁ ଯୋଜନା କରାଯାଉଛି। ଆସନ୍ତା ୨୩ ଅଗଷ୍ଟରୁ ଏହି ୟୁଟ୍ୟୁବ ଅନଲାଇନ କ୍ଳାସ ଆରମ୍ଭ ହେବା ନେଇ ପାଠ୍ୟ ଖସଡ଼ା ପ୍ରସ୍ତୁତ କରୁଛି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ। ଏହା ଦ୍ବାରା ବିଦ୍ୟାଳୟ ବନ୍ଦ ହେଲେ ବି ପାଠପଢା ବନ୍ଦ ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

"ବର୍ତ୍ତମାନର ସ୍ଥିତି ଦେଖି ଆମେ ଯୁକ୍ତ ୨ ପିଲାଙ୍କ ପାଇଁ ଅନଲାଇନ ୟୁଟ୍ୟୁବ କ୍ଳାସ ଆରମ୍ଭ କରିବୁ। ଏନେଇ ବିଭାଗୀୟ ବୈଠକ ଶେଷ ହୋଇଛି। ଏବେ ବି ୩୦% ପିଲା ଆସୁନାହାଁନ୍ତି, ଏଣୁ ଏହି କ୍ଳାସ ତାଙ୍କୁ ସୁବିଧା ଦେବ,"କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସୋମବାରରୁ ଶୁକ୍ରବାର ସପ୍ତାହର ୫ଦିନ ଏହି ୟୁଟ୍ୟୁବ ଲାଇଭ କ୍ଳାସରେ ପାଠ ପଢ଼ାଯିବ। ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ଦିନ ୧.୩୦ ପର୍ଯ୍ୟନ୍ତ ଏହି କ୍ଲାସ ଚାଲିବ। ଦିନକୁ ୫ଟି ପିରିୟଡ଼ରେ ପିଲାମାନଙ୍କୁ ପାଠ ପଢ଼ାଯିବ। ସେହି ଆଧାରରେ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକୁ ବଣ୍ଟାଯାଇଛି। ଲାଇଭ କ୍ଳାସ ସମୟରେ ଛାତ୍ରଛାତ୍ରୀ ପାଠ ପଢ଼ିପାରିବେ ନଚେତ ଏହି କ୍ଳାସଗୁଡ଼ିକ ରେକର୍ଡ଼ କରି ପରବର୍ତ୍ତୀ ସମୟରେ ମଧ୍ୟ ପଢ଼ିପାରବେ ।

"ପ୍ରତି କଲେଜର ଷ୍ଟ୍ରିମକୁ ନେଇ ବିଷୟ ଭାଗ କରାଯାଇଛି। ପ୍ରତି ଦିନ ୫ଘଣ୍ଟା ୫ଟା କ୍ଳାସ କରାଯିବ। ସେହି କ୍ଳାସର ପାଠପଢ଼ା ରେକର୍ଡ ହୋଇ ରହିବ, ପିଲାମାନେ ଚାହିଁଲେ ପରେ ୟୁଟ୍ୟୁବରୁ ପରେ ପଢ଼ିପାରିବେ," କହିଛନ୍ତି ବିଜେପି କଲେଜ ଅଧ୍ଯକ୍ଷ ରଞ୍ଜନ କୁମାର ବଳ।
Published by:Soumya Das
First published: