ଏକ୍ସଟରନାଲ ନ ଥିବାରୁ ଆରମ୍ଭ ହୋଇପାରିଲା ନାହିଁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା; ନୂଆ ତାରିଖ ଜାନୁଆରୀ ୩୧

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ବାବଦରେ ନୋଟିସ୍ ହୋଇଥିବା ସତ୍ୱେ କିଛି କଲେଜରେ ପରୀକ୍ଷା ପରିଚ଼ାଳନା ଦାୟିତ୍ବରେ ଥିବା ଏକ୍ସଟରନାଲଙ୍କ ଲିଷ୍ଟ ଏ ପର୍ଯ୍ୟନ୍ତ ପହଞ୍ଚିପାରି ନ ଥିବା ଯୋଗୁଁ ଏ ଅବ୍ୟବସ୍ଥା ଉପୁଜିଥିଲା ।

ଏକ୍ସଟରନାଲ ନ ଥିବାରୁ ଆରମ୍ଭ ହୋଇପାରିଲା ନାହିଁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା; ନୂଆ ତାରିଖ ଜାନୁଆରୀ ୩୧
ରାଜଧାନୀ କଲେଜ ବାହାରେ ବୃଥା ଅପେକ୍ଷା କରିଥିବା କିଛି ଛାତ୍ରଛାତ୍ରୀ
  • News18 Odia
  • Last Updated: January 28, 2020, 12:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆଜି ଠାରୁ ଆରମ୍ଭ ହେବାର ଥିଲା, ହେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ଠାର ଅଭାବରୁ ହେଇ ପାରିଲାନି ପରୀକ୍ଷା । ପରୀକ୍ଷା ଦେବା ପାଇଁ କଲେଜମାନଙ୍କୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ନ ଦେଇ ଫେରିଯିବାକୁ ପଡ଼ିଲା ।

ଗୋଟିଏ କି ଦୁଇଟି ନୁହେଁ, ରାଜ୍ୟର ନମ୍ବର ୱାନ୍ ବିଜେବି ଜୁନିଅର କଲେଜ, ରାଜଧାନୀ କଲେଜ, ମହର୍ଷି କଲେଜ ଓ ରମାଦେବୀ କଲେଜ ଭଳି ମହତ୍ୱପୂର୍ଣ୍ଣ କଲେଜରେ ଆରମ୍ଭ ହୋଇପାରିଲାନି ପୂର୍ବନିର୍ଦ୍ଧାରିତ ପ୍ରାକ୍ଟିକାଲ ପରୀକ୍ଷା । ପରୀକ୍ଷା ଜାନୁଆରୀ ୨୭ ରେ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖରେ ଶେଷ ହେବାର ଥିଲା ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ବାବଦରେ ନୋଟିସ୍ ହୋଇଥିବା ସତ୍ୱେ କିଛି କଲେଜରେ ପରୀକ୍ଷା ପରିଚ଼ାଳନା ଦାୟିତ୍ବରେ ଥିବା ଏକ୍ସଟରନାଲଙ୍କ ଲିଷ୍ଟ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନଥିବା ଯୋଗୁଁ ଏ ଅବ୍ୟବସ୍ଥା ଉପୁଜିଥିଲା । କିଛି କଲେଜ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଲିଷ୍ଟ ପାଇଥିବାବେଳେ ଏକ୍ସଟରନାଲଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ । ପ୍ରଶ୍ନପତ୍ର ଓ ଉତ୍ତର ଖାତା ମଧ୍ୟ ସଠିକ୍ ସମୟରେ ପହଞ୍ଚିପାରି ନ ଥିଲା ବେଲି ଜଣାପଡ଼ିଛି ।

ଏହା ପରେ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୩୧ ତାରିଖରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ ନମ୍ବର ଓ୍ବାନ୍ କଲେଜ କାହିଁକି, ରାଜ୍ୟର ଅଧିକାଂଶ କଲେଜରେ ସମାନ ପ୍ରକାର ସ୍ଥିତି ଦେଖିବାକୁ ମିଳିଛି ।

‘‘ପୂର୍ବରୁ ଜାନୁଆରୀ ୨୭ରୁ ପରୀକ୍ଷା ହେବାକୁ ନୋଟିସ୍ ହୋଇଥିଲା । ହେଲେ କୈାଣସି କାରଣବସତଃ ଆସନ୍ତା ୩୧ରୁ ପରୀକ୍ଷା ଆରମ୍ଭ ହେବ ବୋଲି ନୋଟିସ୍ ଆସିଛି ବୋଲି ଆମକୁ କୁହାଗଲା,’’ କହିଛନ୍ତି ପ୍ରାକ୍ଟିକାଲ ପରୀକ୍ଷା ଦେବା ପାଇଁ କଲେଜକୁ ଆସିଥିବା ପରୀକ୍ଷାର୍ଥୀ ମୋହିତ ପରିଡ଼ା ।

ରାଜଧାନୀ କଲେଜର ଅଧ୍ୟକ୍ଷା ସସ୍ମିତା ଷଡ଼ଙ୍ଗୀ କହିଛନ୍ତି: ‘‘ଶନିବାର ବିଳମ୍ବିତ ରାତିରେ କାଉନସିଲ୍ ଏକ୍ଟରନାଲ ଲିଷ୍ଟ ଦେଇଛି । ଫଳରେ ଯୋଗାଯୋଗ କରିବା ସମ୍ଭବ ହୋଇନି । ତେଣୁ ପରୀକ୍ଷା ଆଜି ଆରମ୍ଭ ହୋଇପାରିଲା ନାହିଁ’’ ।

ଶୁକ୍ରବାର ଠାରୁ ସମସ୍ତ କଲେଜକୁ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ପଠାଯାଇଥିବା ବେଳେ ଶନିବାର ଏକ୍ସଟରନାଲ ଲିଷ୍ଟ ପଠାଯାଇଛି  । ଯଦି କୈାଣସି କଲେଜ ଏହା ପାଇପାରିନାହାନ୍ତି ସେମାନେ ନିଜ ସୁବିଧାରେ ପରୀକ୍ଷା କରିବାକୁ କାଉନସିଲର ଉପ-ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ କହିଛନ୍ତି । ‘ଆବଶ୍ୟକ ସ୍ଥଳେ ପରୀକ୍ଷା ପାଇଁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଦୁଇ ଦିନ ସମୟ ଦିଆଯିବ ବୋଲି ସେ କହିଛନ୍ତି ।

‘‘କାଉନସିଲ୍ ପକ୍ଷରୁ ଏଭଳି ତ୍ରୁଟି ଗ୍ରହଣୀୟ ନୁହେଁ । ବିନା ଏକ୍ସଟରନାଲରେ ପରୀକ୍ଷା ହୋଇପାରିବ ନାହିଁ ଜାଣି ସୁଦ୍ଧା କାଉନସିଲ ଦିନକ ଆଗରୁ ଲିଷ୍ଟ ପଠାଇବା ଉଚିତ୍ ନ ଥିଲା,’’ କହିଛନ୍ତି ପୂର୍ବତନ କଲେଜ ଅଧ୍ୟକ୍ଷ ବାସୁଦେବ ଛାଟୋଇ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଡିସେମ୍ବର ୨୭ ତାରିଖରୁ ଘୋଷଣା ହୋଇଥିବା ସତ୍ୱେ କାଉନସିଲ୍ କାହିଁକି ପ୍ରସ୍ତୁତ ହୋଇପାରିଲା ନାହିଁ? ସେପଟେ ଥିଓରି ପରୀକ୍ଷା ପାଇଁ ହାତରେ ଆଉ ମାସକର ସମୟ ଥିବା ବେଳେ ଏବେ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ନ ଲାଗିବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
First published: January 28, 2020, 12:06 AM IST