ରାଜ୍ୟରେ ଆରମ୍ଭ ହେଲା +୨ ନାମଲେଖା ପ୍ରକ୍ରିୟା; ସେପ୍ଟେମ୍ବର ୪ ଯାଏଁ ଅନଲାଇନରେ ଚାଲିବ
ସେପ୍ଟେମ୍ବର ୯ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । କରୋନା ସଙ୍କଟ ଯୋଗୁଁ ଏ ଥର ସାମ୍ସ ସେଣ୍ଟର ଯିବାକୁ ପଡ଼ିବ ନାହିଁ ଛାତ୍ରଛାତ୍ରୀମାନଙ୍କୁ । ନାମଲେଖା ସମୟରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ । ଅକ୍ଟୋବର ୭ ସୁଦ୍ଧା ସରିବ ନାମାଲେଖା ।

ଭୁବନେଶ୍ୱରରେ କେତେକ ଛାତ୍ରୀ ଅନଲାଇନରେ ନାମଲେଖା ଫର୍ମ ପୂରଣ କରୁଛନ୍ତି ।
- News18 Odia
- Last Updated: August 21, 2020, 11:56 PM IST
ଭୁବନେଶ୍ୱର: କରୋନା କାଳରେ ଆଜି ଠାରୁ ଆରମ୍ଭ ହୋଇଛି ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଯୁକ୍ତ-୨ ନାମଲେଖା ପ୍ରକ୍ରିୟା । ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ କମନ ଆପ୍ଲିକେସନ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀମାନେ । ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା ବା ମେରିଟ ଲିଷ୍ଟ । ସେହି ଆଧାରରେ ସେପ୍ଟେମ୍ବର ୧୧ ରୁ ୧୮ ମଧ୍ୟରେ ହେବ ନାମଲେଖା ।
ସେପ୍ଟେମ୍ବର ୨୩ ରେ ଦ୍ବିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବା ସହ ୨୪ରୁ ୨୮ ମଧ୍ୟରେ ହେବ ନାମଲେଖା । ଅକ୍ଟୋବର ୧ ତାରିଖରେ ସ୍ପଟ ଆଡ଼ମିଶନ ପାଇଁ ପ୍ରକାଶ ପାଇବ ବଳକା ସିଟ ତାଲିକା । ୧ରୁ ୩ ତାରିଖ ମଧ୍ୟରେ ପଞ୍ଜିକରଣ ଓ ୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୫ ତାରିଖରେ ହେବ ସ୍ପଟ ଆଡ଼ମିଶନ ।
‘‘ଯେଉଁଭଳି ଭାବରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ସେହି ଆଧାରରେ ନାମଲେଖା ହେବ । ଛାତ୍ରଛାତ୍ରୀମାନେ ଆଦୌ ବ୍ୟସ୍ତ ହେବାର ନାହିଁ । କରୋନାକୁ ଦେଖି ଛାତ୍ରଛାତ୍ରୀଙ୍କ ହିତ ପାଇଁ ଏଭଳି ନିଷ୍ପତ୍ତି ଚଳିତ ବର୍ଷ ନିଆଯାଇଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସାମ୍ସ ଅନଲାଇନ୍ ଫର୍ମ
ଚଳିତ ବର୍ଷ ସମ୍ପୂର୍ଣ୍ଣ ଅନଲାଇନରେ ନାମଲେଖା ପାଇଁ ଆବେଦନ ହେଉଛି । ଫର୍ମ ଦାଖଲ ପାଇଁ ନୋଡାଲ ସେଣ୍ଟର କରାଯାଇ ନ ଥିବା ବେଳେ ଛାତ୍ରଛାତ୍ରୀ ସାମସ (SAMS) ସେଣ୍ଟର ଆସିବେ ନାହିଁ । କରୋନା ସଙ୍କଟ ଯୋଗୁଁ ଚଳିତ ବର୍ଷ ବିଭାଗ ଏହି ନିଷ୍ପତ୍ତି ନେଇଛି । ଆବେଦନକାରୀ ଯେଉଁ ଉଚ୍ଚ ମାଧ୍ୟମିକ ସ୍କୁଲରେ ନାମଲେଖା ପାଇଁ ଚୟନ ହୋଇଥିବେ ସେହି ସ୍କୁଲରେ ନାମଲେଖା ସମୟରେ ହିଁ ଡକ୍ୟୁମେଣ୍ଟ ଭେରିଫିକେସନ ହେବ। ନାମଲେଖା ସମୟରେ ଏକ ଘଣ୍ଟାରେ ମାତ୍ର ୧୫ ଜଣ ନାମଲେଖାଇବା ପାଇଁ ଏକାଠି ହେବେ।
ଏହା ବି ପଢ଼ନ୍ତୁ | ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ
ଏହା ବି ପଢ଼ନ୍ତୁ | Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ’
‘‘ନାମଲେଖା ପ୍ରକ୍ରିୟା ପାଇଁ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଆମେ ପ୍ରସ୍ତୁତ ଅଛୁ। ପ୍ରତି ବର୍ଷ ଛାତ୍ରଛାତ୍ରୀ କମନ ଆପ୍ଲିକେସନ ଫର୍ମ ଦେବାକୁ ଆସନ୍ତି, ଯାହା ଏ ବର୍ଷ ବନ୍ଦ ରହିଛି। ତେଣୁ ଆମର ହେଲ୍ପଲାଇନ ନମ୍ବର ଖୋଲା ରହିଛି । ସେଠିକୁ ଫୋନ କଲେ ଆବେଦନ ସମ୍ବନ୍ଧରେ ପିଲାମନେ ଜାଣିପାରିବେ,’’ କହିଛନ୍ତି ମହର୍ଷି ହାଇଅର ସେକେଣ୍ଡାରୀ ସ୍କୁଲ ଉପାଧ୍ୟକ୍ଷ ଡଃ ଅଦ୍ୱୈତ ପ୍ରସାଦ ସାମଲ ।
ଚଳିତ ବର୍ଷ ମୋଟ ୧,୮୪୮ ଉଚ୍ଚ ମାଧ୍ୟମିକ ସ୍କୁଲରେ ନାମଲେଖା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ତେବେ ମହାମାରୀ ସମୟରେ କେବେ ଠାରୁ ପାଠପଢ଼ା ଆରମ୍ଭ ହେବ ତାହା ସ୍ଥିର ହୋଇ ନ ଥିଲେ ବି ଅକ୍ଟୋବର ୭ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ନାମଲେଖା ପ୍ରକ୍ରିୟାକୁ ଶେଷ କରାଯିବାକୁ କୁହାଯାଇଛି ।