ଘରୋଇ ସ୍କୁଲ ପରି ଏଥର ସରକାରୀ ସ୍କୁଲରେ ହେବ ପ୍ଲେ ସ୍କୁଲ ବ୍ୟବସ୍ଥା
News18 Odia Digital
ଭୁବନେଶ୍ବର: ସରକାରୀ ସ୍କୁଲରେ ଆରମ୍ଭ ହେବ ପ୍ଲେ ସ୍କୁଲ ବ୍ୟବସ୍ଥା। ସ୍କୁଲରେ ପାଠ ପଢ଼ିବା ପୂର୍ବରୁ ଖେଳ କୁଦ ଓ ମନୋରଞ୍ଜନ କରି ସ୍କୁଲ ଶିକ୍ଷା ସହ ଜଡିତ କରାଇବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ।
ପାଞ୍ଚ ହଜାର ପ୍ରାଥମିକ ବିଦ୍ୟାଳୟରେ ଅଙ୍ଗନବାଡି କେନ୍ଦ୍ର ନିକଟରେ ହେବ ପ୍ଲେ ସ୍କୁଲ। ଏନ. ସି.ଇ.ଆର.ଟି ନିୟମ ଅନୁଯାୟୀ ଏହି ପ୍ଲେ ସ୍କୁଲ ଆରମ୍ଭ ହେବ। ଯାହା ପିଲାଙ୍କୁ ପ୍ରଥମ ରୁ ନେଇ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାକ ପ୍ରସ୍ତୁତି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ନେଇ ପିଲାଙ୍କୁ ପ୍ରସ୍ତୁତ କରାଯିବ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପିଲା ସକାଳ ୯ରୁ ୧୦ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରରେ ରହିବେ। ଏହା ପରେ ପ୍ଲେ ସ୍କୁଲରେ ଭାଗ ନେବେ। ୧୨.୩୦ମଧ୍ୟରେ ମଧ୍ୟାହ୍ନ ଭୋଜନରେ ମଧ୍ୟ ସାମିଲ ହେବେ ବୋଲି ଆଲୋଚନା ହୋଇଛି।
ଏ ନେଇ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି,"ସରକାର ପ୍ଲେ ସ୍କୁଲ ଖୋଲିବା ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ। ଏହା ଦ୍ବାରା ଯୌନ ଶୋଷଣ କମିବ। ଯେଉଁଥିରେ ପିଲାମାନଙ୍କର ଗୁଣାତ୍ମକ, ଶାରୀରିକ ଅଭିବୃଦ୍ଧି ହୋଇପାରିବ। ଏହି ପ୍ଲେ ସ୍କୁଲ ଖୋଲିବା ନେଇ ମଧ୍ୟ ପୂର୍ବରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଅନ୍ୟ ବେସରକାରୀ ସ୍କୁଲ ଗୁଡିକ ମଧ୍ୟ ବିନା ଅନୁମତିରେ ପ୍ଲେ ସ୍କୁଲ ଚଳାଉଥିବାରୁ ସରକାରୀ ପ୍ଲେ ସ୍କୁଲ ପିଲା ଓ ଅଭିଭାବକଙ୍କ ପାଇଁ ଉପାଦେୟ ହେବ।’’
ସମ୍ପୂର୍ଣ୍ଣ ସରକାରୀ ଢ଼ାଞ୍ଚାରେ ପିଲାଙ୍କୁ ପାଠପଢ଼ା ହେବ। ସି.ଆର.ସି.ସି ଓ ଡ଼ି.ଆଇ.ଇ.ଟି.ଏସଙ୍କ ତତ୍ୱାବଧାନରେ ଶିକ୍ଷକମାନେ ପାଠ ପଢ଼ାଇବେ। ସରକାରୀ ସ୍କୁଲରେ ପ୍ଲେ ସ୍କୁଲ ଖୋଲିଲେ ଅଧିକ ପିଲା ସ୍କୁଲରେ ନାମ ଲେଖାଇବେ ଓ ପ୍ରଥମରୁ ନେଇ ତୃତୀୟ ପର୍ଯ୍ୟନ୍ତ ମୂଳଦୁଆ ମଜବୁତ ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା।
ସେପଟେ ଶିକ୍ଷାବିତ୍ ସ୍ମିତା ମହାପାତ୍ରଙ୍କ କହିଛନ୍ତି, "ଅଗନବାଡ଼ି ସହ ପ୍ଲେ ସ୍କୁଲରେ ଯୋଡିବା ନିହାତି ଏକ ଯୁଗାନ୍ତକାରୀ ପଦକ୍ଷେପ। ପିଲାଙ୍କ କ୍ଷେତ୍ରରେ NCERT ଢ଼ାଞ୍ଚା ହେଉଛି ସବୁଠୁ ଭଲ ବ୍ୟବସ୍ଥା। ଆମ ଶିକ୍ଷା ବ୍ୟବସ୍ଥା ଠାରୁ NCERTର ଶିକ୍ଷା ବ୍ୟବସ୍ଥା ଯାହା ପିଲାଙ୍କ ଅପର କ୍ଲାସ ପାଇଁ ବିଶେଷ ସହାୟକ ହେବ। କିନ୍ତୁ କଥା ହେଉଛି ଡାଏଟ ବା ଜିଲ୍ଲା ପ୍ରଶିକ୍ଷକ ପ୍ରଶିକ୍ଷଣ ଦେବେ ସତ କିନ୍ତୁ ତା ସହ ଯଦି ସ୍ଥାନୀୟ ଉଚ୍ଚ ଶିକ୍ଷିତ ପିଲାଙ୍କୁ ଡିପ୍ଲୋମା ଇନ ଇଅର୍ଲି ଚାଇଲ୍ଡହୁଡ କେୟାର ଆଣ୍ଡ ଏଜୁକେସନ ଦିଆଯାଇ ପ୍ରଟିକାଲ ଶିକ୍ଷା ଦିଆଯାଇପାରନ୍ତା ତେବେ ନିହାତି କିଛି ନିଯୁକ୍ତି ସହ ବହୁତ୍ କୁନି କୁନି ପିଲା ଉପକୃତ ହୁଅନ୍କି।"
ଜଣେ ଅଭିଭାବକ କହିଛନ୍ତି ଯେ କର୍ମଜୀବୀ ମହିଳାଙ୍କ ପାଇଁ ଏହି ପ୍ଲେ ସ୍କୁଲ ବଡ଼ ସହାୟକ ହେବ। ସରକାର ତୁରନ୍ତ ଏହାକୁ କାର୍ଯ୍ୟକାରୀ କରନ୍ତୁ। ସରକାରୀ ସ୍କୁଲରେ ପିଲାଙ୍କର ନାମାଙ୍କନ ବୃଦ୍ଧି ପାଇଁ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି। ସ୍କୁଲ ଟ୍ରାନ୍ଫର୍ମେସନ ଠୁ ଆରମ୍ଭ କରି ଅନେକ କିଛି।
Published by:Lipina Das
First published: