News 18 Odia Digital
ବ୍ରହ୍ମପୁର; ଖୁବଶୀଘ୍ର ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ରଙ୍ଗେଇଲୁଣ୍ଡା ବିମାନଘାଟି ସମ୍ପ୍ରସାରଣ ନିମନ୍ତେ ଜିଲ୍ଲା ପ୍ରାଶସନ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ୨୫ ଏକର ଜମିକୁ ଅଧିଗ୍ରହଣ କରାଯାଇ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଚିଠି କରିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଏନେଇ ଚିଠି ହୋଇଥିଲା । ବିମାନବନ୍ଦର ନିମନ୍ତେ ଆବଶ୍ୟକ ପଡ଼ୁଥିବା ୨୫ ଏକରରୁ ଉର୍ଦ୍ଧ ଜମିର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ ଥିଲା ।
ବିଶ୍ୱବିଦ୍ୟାଳୟ କୁଳସଚିବ, କୁଳପତି ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନର ରାଜସ୍ୱ ବିଭାଗର ଅଧିକାରୀ ମାନଙ୍କ ପକ୍ଷରୁ ଜମି ମାପ କରାଯାଇଛି । ଜମି ମାପ ଶେଷ ହୋଇଥିବା ନେଇ ଆଜି ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଏନେଇ ଜଣାଇ ଦିଆଯିବ । ତେବେ ବିଳମ୍ବର ହେଲେ ମଧ୍ୟ ବିମାନ ଘାଟି ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଯୋଗୁଁ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।
ରଙ୍ଗେଇ ଲୁଣ୍ଡାରୁ ବିମାନ ଉଡ଼ିବା ଆଶା ଉଜ୍ଜିବିତ ହୋଇଛି । କାରଣ ବିମାନଘାଟିର ସମ୍ପ୍ରସାରଣ ପ୍ରକ୍ରିୟାର କାର୍ଯ୍ୟ ପାଇଁ ଜମି ମାପ କାର୍ଯ୍ୟ ଆରମ୍ଭ ହୋଇଛି । ରଙ୍ଗେଇଲୁଣ୍ଡାରେ ବିମାନ ବନ୍ଦର ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇଆସୁଥିବା ବେଳେ ଅଧିକା ୨୫ ଏକରରୁ ଉର୍ଦ୍ଧ ଜମିର ଆବଶ୍ୟକ ଥିଲା । ଏନେଇ ଜିଲ୍ଲା ପ୍ରଶାସନ ଗତ କିଛି ମାସ ପୂର୍ବରୁ ରାଜ୍ୟ ସରକାରଙ୍କୁ ଚିଠି ଯୋଗେ ଜଣାଇଥିଲେ । ଚିଠି ପାଇବା ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗତ ୧୪ ତାରିଖରେ ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ କଣ ରହିଛି ସ୍ଥିତି ସେ ନେଇ ଅନୁଧ୍ୟାନ କରିବା ସହିତ ତିନି ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ ଚିଠି ହୋଇଥିଲା ।
ବିମାନ ବନ୍ଦର ସମ୍ପ୍ରସାରଣ ନିମନ୍ତେ ରଙ୍ଗେଇଲୁଣ୍ଡା ମୌଜା ଓ ରାମଚନ୍ଦ୍ରପୁର ମୌଜାର କିଛି ଜମି ବିଶ୍ୱବିଦ୍ୟାଳୟର ଅଧିନରେ ରହିଥିବା ବେଳେ ତାହାକୁ ବୁଲି ଦେଖିବା ସହ ଜମି ମାପ କରିଥିଲେ ରାଜସ୍ୱ ବିଭାଗର ଅଧିକାରୀମାନେ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ବିମାନଘାଟି ସମ୍ପ୍ରସାରଣ ପାଇଁ ଦୁଇ ମୌଜା ମଧ୍ୟରୁ ରଙ୍ଗେଇଲୁଣ୍ଡା ମୌଜାର ପ୍ଳଟ ନମ୍ବର ୯୫, ୯୬, ୯୭, ୨/୨୩୨ ଖାଲି ପଡ଼ିଛି ଓ ୨ ନମ୍ବର ପ୍ଳଟରେ ପାଚେରୀ ରହିଛି । ସେହିପରି ରାମଚନ୍ଦ୍ରପୁର ମୌଜାରେ ୬୭୧/୬୬୮ରେ ବହୁ ସଂଖ୍ୟକ ଗଛ ଓ ୬୬୭ ନମ୍ବର ପ୍ଲଟରେ ଗଛ ସହ ଛାତ୍ରାବାସର ପାଚେରୀ ରହିଛି । ଏନେଇ ଜମି ମାପ ଶେଷ ହୋଇଥିବା ବେଳେ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରସନ୍ନ କୁମାର ସ୍ୱାଇଁ ।
ରାଜ୍ୟର ବହୁ ଛୋଟ ଛୋଟ ସହରରେ ବିମାନବନ୍ଦର ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପ୍ରାଣକେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁରରେ ଏକ ବିମାନବନ୍ଦର ନେଇ ଦୀର୍ଘ ବର୍ଷ ହେଲା ଦାବି ହେଉଥିଲା । ବିଳମ୍ବରେ ହେଲେ ମଧ୍ୟ ସରକାର ଏନେଇ ପଦକ୍ଷେପ ନେଇଥିବା ଯୋଗୁଁ ତାହା ସ୍ୱାଗତଯୋଗ୍ୟ । ବର୍ତ୍ତମାନ ଜମି ମାପ ସହ ରିପୋର୍ଟ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟ ନେଣଦେଣର ସୂଚନା ପାଇବା ପରେ ବିମାନ ବନ୍ଦର ହେବାନେଇ ଆଶା ଦେଖିବାକୁ ମିଳିଛି । ତେଣୁ ଏଥିରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଖୁବଶୀଘ୍ର କିଭଳି ବିମାନ ବନ୍ଦର ହେବ ସେ ନେଇ ପଦକ୍ଷେପ ନେବା ଆବଶ୍ୟକ । ବର୍ତ୍ତମାନ ସହରର ଅନେକ ଲୋକେ ଭୁବନେଶ୍ୱର ଓ ବିଶାଖାପାଟଣା ଯାଇ ସେଠାରେ ବିମାନରେ ନିଜର ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି ଯାହାଫଳରେ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ଅଧିକ ସମୟ ଲାଗୁଛି । କିନ୍ତୁ ରଙ୍ଗେଇଲୁଣ୍ଡାରେ ବିମାନବନ୍ଦର ପ୍ରତିଷ୍ଠା ହେବା ପରେ ଲୋକେ ଖର୍ଚ୍ଚାନ୍ତରୁ ବଞ୍ଚିବା ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ବିକାଶ ହୋଇପାରିବ ବୋଲି କହିଛନ୍ତି,‘‘ ବୁଦ୍ଧିଜୀବୀ ନିର୍ମଳ ସାହୁ ।
ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ଡ଼େଭଲପମେଟ ଫୋରମ ପକ୍ଷରୁ ବାରମ୍ବାର ଦାବି ସହ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାର ବର୍ତ୍ତମାନ ଜମି ମାପ କରି କାମ ବନ୍ଦ ନକରି ଖୁବଶୀଘ୍ର କିଭଳି ବିମାନବନ୍ଦର ପ୍ରତିଷ୍ଠା ହେବ ସେ ଦିଗରେ କାମ କରିବେ । ଏହା ସହିତ ୨୦୧୨ ମସିହାରେ ୧୦ଟି ସିଟ୍ ବିଶିଷ୍ଟ ବିମାନ ରଙ୍ଗେଇଲୁଣ୍ଡାରୁ ଉଡ଼ାଣ ହୋଇଥିଲା । କିନ୍ତୁ କିଛି ଦିନ ପରେ ଏହା ବନ୍ଦ ହୋଇଯାଇଥିଲା । ତେଣୁ ବର୍ତ୍ତମାନ ସମ୍ପ୍ରସାରଣ ପରେ ବିମାନର ସିଟ୍ ବଢ଼ାଯାଉ ଯାହାଫଳରେ ଲୋକେ ଯାତାୟତ କରିପାରିବେ । ଏହାସହିତ ଆଗାମୀ ଦିନରେ କିଭଳି ଡ଼ୋମେଷ୍ଟିକ ବିମାନ ବନ୍ଦର ସହ ଗ୍ରୀନ ଫିଲ୍ଡ଼ ଏୟାରପୋର୍ଟ ହୋଇପାରିବ ସେ ଦିଗରେ ମଧ୍ୟ ସରକାର କାମ କରନ୍ତୁ ବୋଲି କହିଛନ୍ତି,‘‘ ଓଡ଼ିଶା ଡ଼େଭଲପମେଣ୍ଟ ଫୋରମର ଉପସଭାପତି ବବିତା ପାତ୍ର ।
ବର୍ତ୍ତମାନ ରଙ୍ଗେଇଲୁଣ୍ଡା ବିମାନବନ୍ଦର ପଡ଼ିଆଟିର ଲମ୍ବ ୯୧୫ ମିଟର ଏବଂ ଓସାର ୧୫୦ ମିଟର ରହିଥିବା ବେଳେ ସମ୍ପ୍ରସାରଣ ପାଇଁ ଆଉ ଆବଶ୍ୟକ ପଡ଼ିଥିଲା ୨୦୦ ମିଟର ଲମ୍ବ ଓ ୪୦ ମିଟରରୁ ଉର୍ଦ୍ଧ ଓସାର । ତେବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ଜାଗାର ମପା କାର୍ଯ୍ୟ ଶେଷ ହୋଇଥିବା ବେଳେ ପରବର୍ତ୍ତୀ ପଦକ୍ଷେପ ସରକାର କେବେ ଗ୍ରହଣ କରୁଛନ୍ତି ଏବେ ତାହା ଉପରେ ସମସ୍ତଙ୍କ ନଜର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।