News 18 Odia Digital
ଓଡ଼ିଶା : ଆଶ୍ୱିନ ମାସର ପ୍ରଥମ ପକ୍ଷ "ପିତୃ ପକ୍ଷ" ନାମରେ ଜଣା । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ ।
ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।
ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନ ଥିଲା । କାରଣ, ଜୀବିତାବସ୍ଥାରେ ସେ କେବେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃ ପକ୍ଷ ।
'ମା ବିରଜା' ମନ୍ଦିର ନାଭିଗୟାରେ ପିଣ୍ଡଦାନ କରାଯାଏ ।ଭାରତର ପ୍ରମୁଖ ଶକ୍ତି କ୍ଷେତ୍ର ମଧ୍ୟରେ ବିରଜା କ୍ଷେତ୍ର ପ୍ରମୁଖ । ମା ମହାମାୟା ବିଭିନ୍ନ ନାମର ଓ ରୂପରେ ଆର୍ଯ୍ୟବର୍ତ୍ତର କୋଣେ ଅନୁକୋଣେ ବିରାଜିତା । ତନ୍ମଧ୍ୟରୁ ପୁଣ୍ୟମୟୀ ବୈତରଣୀ ତଟରେ ଶକ୍ତି ସ୍ବରୁପିଣୀ ମା ବିରଜା ବିଦ୍ୟମାନ । ଏକାଧାରରେ ଏହି ପୀଠ ଏକ ଧର୍ମପୀଠ, ଯଜ୍ଞପୀଠ, ପିଣ୍ଡ ପୀଠ, ଶକ୍ତିପୀଠ ଭାବରେ ଜଗତରେ ପ୍ରସିଦ୍ଧ । ଏହିଠାରେ ଦେବୀ ସତୀଙ୍କ ନାଭି ଅଂଶ ପଡିଥିବା ପୁରାଣରେ ବର୍ଣ୍ଣିତ । ଏଣୁ ଏହି ପୀଠର ନାମ ନାଭିଗୟା । ବାୟୁ ପୁରାଣ ଆଖ୍ୟାନ ଅନୁସାରେ 'ମା ବିରଜା' ହେଉଛନ୍ତି ପିତୃଗଣ ମାନଙ୍କର କନ୍ୟା । ତେଣୁ ବିରଜା ମନ୍ଦିର ନାଭିଗୟା ଏବଂ ବୈତରଣୀ କୂଳ ଦଶ୍ୱାସମେଧ ଘାଟରେ ବି ପିଣ୍ଡଦାନ କରାଯାଏ ।
ପୁରୀରେ ପିଣ୍ଡଦାନ କରାଯାଏ ।ମହାପ୍ରଭୁଙ୍କ ବଡ଼ ଦେଉଳରେ ବାଇଶି ପାହାଚରେ ପିଣ୍ଡଦାନ କରାଯାଏ ।
ପଶ୍ଚିମ ଓଡ଼ିଶା ମଧ୍ୟ ପାଳନ କରାଯାଏ ।ଜଗନ୍ନାଥଙ୍କ ପରି ଦଶହରା ସମୟରେ ମା ସମଲେଶ୍ୱରୀଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୁଏ । ଯାହା ମହାଳୟା ତିଥିରୁ ଧବଳମୁଖୀ ବେଶରୁ ଆରମ୍ଭ ହୁଏ । ଦେବୀଙ୍କ ଏହି ଅଲୌକିକ ବେଶକୁ ଦର୍ଶନ କଲେ ଗଙ୍ଗାସ୍ନାନର ଫଳ ମିଳେ ବୋଲି ବିଶ୍ୱାସ ରହିଛି । ଦଶହରା ମାସ ପିତୃପକ୍ଷରେ ପରଲୋକଗତ ପିତୃପୁରୁଷଙ୍କୁ ପିଣ୍ଡପ୍ରଦାନ ପରେ ଗଙ୍ଗାସ୍ନାନ ବିଧି ରହିଥିବାରୁ ପଶ୍ଚିମ ଓଡ଼ିଶାର ଲୋକେ ବିକଳ୍ପ ସଦୃଶ୍ଯ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀବେଶ ଦର୍ଶନ କରିଥାଆନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।