News 18 Odia Digital
ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ମାମଲାକୁ ୧୦ ବର୍ଷ ବିତିଗଲାଣି, ହେଲେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ପୀଡିତାଙ୍କ ପରିବାର ଏବେ ବି ନ୍ୟାୟ ପାଇ ପାରିନାହାଁନ୍ତି। ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲିର ଅର୍ଜୁଙ୍ଗୋଡା ଗାଁର ଜଣେ ଦଲିତ ନାବାଳିକା । ୨୦୧୧ରେ ପିପିଲି ଥାନା ଅର୍ଜୁନଗୋଦାରେ ଦୁଷ୍କର୍ମର ଶିକାର ହୋଇଥିଲେ ବେବିନା। ମୃତ୍ୟୁ ସହ ସଙ୍ଘର୍ଷ କରି ୨୦୧୨ ଜୁନ୍ ୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୋଷୀ ଧରାପଡ଼ିବା ଭୟରେ ତରବରିଆ ଭାବେ ମୃତ୍ୟୁର ଦୁଇ ଦିନ ପରେ ଶବକୁ ପୋଡି ଦିଆଯାଇଥିଲା ।
ଏହି ମାମଲାରେ ଅଭିଯୁକ୍ତମାନେ ସେତେବେଳେ ମନ୍ତ୍ରୀ ମହାରଥୀଙ୍କ ନିକଟରେ ଆଶ୍ରୟ ନେଇଥିବା ଅଭିଯୋଗ ଆସିଥିଲା। ଯାହାକୁ ନେଇ ରାଜନୀତି ବି ଜୋର ଧରିଲା । ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିବା ନେଇ ବଡ଼ ବିବାଦ ସୃଷ୍ଟି ହେବା ପରେ ଦିବଂଗତ ପୂର୍ବତନମ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇଥିଲେ।
ଜଷ୍ଟିସ ପି.କେ ମହାନ୍ତି ଅନୁସନ୍ଧାନ ଆୟୋଗ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରି ମୃତ୍ୟୁର ଦୁଇ ଦିନ ପରେ କାହିଁକି ଶବକୁ ପୋଡି ଦିଆଯାଇଥିଲା ସେ ସମ୍ପର୍କରେ ଏକ ଆଫିଡେଭିଟ ଦାଖଲ କରିଥିଲେ। କେଉଁ ପରିସ୍ଥିତିରେ ଘଟଣା ଘଟିଲା, ଏଥିପାଇଁ ଉତ୍ତରଦାୟୀ କିଏ ଓ ପୋଲିସର ଭୂମିକା ଠିକ୍ ଥିଲା କି ନାହିଁ ଆଦି ତିନୋଟି ମୁଖ୍ୟ ବିନ୍ଦୁ ଉପରେ କମିଶନ ତଦନ୍ତ କରିଥିଲେ ।
ଦୀର୍ଘ ୪ ବର୍ଷ କାଳ ତଦନ୍ତ ଚାଲିଲା। ଆଉ ଦୋଷୀ ନିର୍ଦ୍ଦୋଷରେ ଖଲାସ ବି ହୋଇଗଲେ । ୨୦୧୬ ମାର୍ଚ୍ଚ ୩୦ରେ କମିଶନ ତାଙ୍କର ୪୦୦ ପୃଷ୍ଠାର ଏକ ଦୀର୍ଘ ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ରିପୋର୍ଟ ଦାଖଲ ହେବାର ୬ ବର୍ଷ ପରେ ବି ରାଜ୍ୟ ସରକାର ନିଜ ପାଖରେ ଏହାକୁ ଚାପି ରଖିଛନ୍ତି।
ତେବେ ଘଟଣାକୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ତଦନ୍ତ କମିସନଙ୍କ ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ। ଏଥିରୁ ସରକାରଙ୍କ ନାରୀ ସୁରକ୍ଷା ମନୋଭାବ ବାରି ହୋଇପଡ଼ୁଛି ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର। ସରକାରୀ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଯାଉଛି। ତେଣୁ ତୁରନ୍ତ ତଦନ୍ତ କମିସନଙ୍କ ରିପୋର୍ଟକୁ ବିଧାନସଭାରେ ଆଗତ କରି ସାର୍ବଜନୀନ କରନ୍ତୁ ବୋଲି ଦାବି କରିଛନ୍ତି ମିଶ୍ର। ବିଧାନସଭା ଆରମ୍ଭ ହେବାକୁ ଥିବାରୁ ଏହି ଘଟଣାକୁ ମୁଦା କରି ସରକାରଙ୍କ ଉପରେ ବର୍ଷିବାକୁ ବିରୋଧୀ ପ୍ରସ୍ତୁତ ହେଲେଣି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।