ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Pipili bypoll: ପ୍ରଚାର ମୈଇଦାନକୁ ଓହ୍ଲାଇଛନ୍ତି ରାଜ୍ୟର ୩ ବିରୋଧୀ ଦଳର ହେଭିୱେଟ୍

Pipili bypoll: ପ୍ରଚାର ମୈଇଦାନକୁ ଓହ୍ଲାଇଛନ୍ତି ରାଜ୍ୟର ୩ ବିରୋଧୀ ଦଳର ହେଭିୱେଟ୍

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ତିନି ଦଳ ପାଇଁ ସମ୍ମାନର ଆସନ ପିପିଲି ଦଖଲ ପାଇଁ ସମସ୍ତେ ପ୍ରସ୍ତୁତ ଥିବା ବେଳେ ପ୍ରଚାର ମୈଇଦାନକୁ ଓହ୍ଲାଇଛନ୍ତି ତିନି ଦଳର ହେଭିୱେଟ୍ ନେତା।

Pipili bypoll: ପ୍ରଚାର ମୈଇଦାନକୁ ଓହ୍ଲାଇଛନ୍ତି ରାଜ୍ୟର ୩ ବିରୋଧୀ ଦଳର ହେଭିୱେଟ୍
ପ୍ରଚାର ମୈଇଦାନକୁ ଓହ୍ଲାଇଛନ୍ତି ରାଜ୍ୟର ୩ ବିରୋଧୀ ଦଳର ହେଭିୱେଟ୍ (ଫାଇଲ୍ ଫଟୋ)
  • News18 Odia
  • Last Updated: September 21, 2021, 4:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ସୋମବାରଠୁ ଆରମ୍ଭ ହୋଇଯାଇଛି ପାର୍ଟିଙ୍କ ପ୍ରଚାର । ପିପିଲି ମୈଇଦାନକୁ ତିନି ପ୍ରମୁଖ ରାଜନୈତିକ ଦଳର ହେଭିୱେଟ ନେତା ଓହ୍ଲାଇଛନ୍ତି । ବିଜେଡି ସୁପ୍ରିମୋ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଡ଼ି ହୋଇଥିବା ବେଳେ ବିଜେପି ବି ତାଲିକା ପ୍ରସ୍ତୁତି କରୁଛି । ପ୍ରଚାର ମୈଇଦାନକୁ ଓହ୍ବାଇବା ପୂର୍ବରୁ ରବିବାର କଂଗ୍ରେସ ଭବନରେ ତିଆରି ହୋଇଥିଲା ଷ୍ଟ୍ରାଟେଜି । ପ୍ରଚାର ପାଇଁ ହାତରେ ଆଉ ଦୁଇ ସପ୍ତାହରୁ କମ୍ ସମୟ ଥିବା ବେଳେ ଖୁବ ଶୀଘ୍ର ମୈଇଦାନକୁ ଓହ୍ଲାଇଛନ୍ତି ତିନି ଦଳର ହେଭିୱେଟ୍ ।

ନିର୍ବାଚନ ତାରିଖ ଘୋଷଣା ପରଠୁ ଗ୍ରାଉଣ୍ଡରେ ଆକ୍ଟିଭ ହୋଇଛନ୍ତି ନେତା ଓ କର୍ମୀ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏହି ସିଟକୁ ଜିତି ନିଜ ଗଡ଼ ବଞ୍ଚେଇବା ପାଇଁ ଶାସକ ଦଳ ପୂରା ଦମ ଲଗାଇଛି । ଦଳର ଷ୍ଟାର ପ୍ରଚାରକ ଓ ବ୍ଲକ ପଞ୍ଚାୟତ ଦାୟିତ୍ୱରେ ଥିବା ନେତା ଡେରା ପକାଇଲେଣି। ବିଭିନ୍ନ ସ୍ଥାନକୁ ଯାଇ କର୍ମୀଙ୍କ ସହ ଆଲୋଚନା କରୁଛନ୍ତି ଦାୟିତ୍ୱରେ ଥିବା ନେତାମାନେ ।

ତେବେ ୪-୫ ଦିନ ମଧ୍ୟରେ ଦଳୀୟ ପାର୍ଥି ରୁଦ୍ର ମହାରଥୀଙ୍କ ଲାଗି ଭର୍ଚୁଆଲ ପ୍ଲାଟଫର୍ମରେ ଯୋଡ଼ି ହେବେ ବିଜେଡ଼ି ସୁପ୍ରିମୋ । ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଗଣ୍ଠି କରି ଶାସକ ଦଳ ପ୍ରଚାର କରୁଥିବା ବେଳେ ନବୀନଙ୍କ ପ୍ରଚାର ଭୋଟ ବ୍ୟବଧାନ ବଢ଼ାଇବ ବୋଲି ଆଶା ରଖିଛନ୍ତି ନେତାମାନେ ।

ବିଜେଡି ଉପ ସଭାପତି ଦେବୀ ମିଶ୍ର କହିଥିଲେ, ‘‘ପିପିଲି ଉପ ନିର୍ବାଚନ ପାଇଁ ଦଳ ପୂରା ପ୍ରସ୍ତୁତି ଚଳାଇଛି । ଦାୟିତ୍ୱରେ ଥିବା ନେତା ଲୋକଙ୍କ ନିକଟକୁ ଯାଉଛନ୍ତି । ମଝିରେ ନିର୍ବାଚନ ବନ୍ଦ ଥିଲେ କାର୍ଯ୍ୟକ୍ରମ ଜାରି ରହିଛି । ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ କରାଯାଇଛି । ତେଣୁ ଲୋକ ମାନେ ବିଜେଡିଙ୍କୁ ଭୋଟ ଦେବାକୁ ମନସ୍ତ କରିଛନ୍ତି । ନବୀନ ପଟ୍ଟନାୟକ ପ୍ରଚାର କଲେ ଲୋକଙ୍କ ଉପରେ ନିଶ୍ଚୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଉପ ନିର୍ବାଚନରେ ଦଳ ନିଶ୍ଚୟ ବାଜି ମାତ୍ କରିବ ।’’

ଏ ପଟେ ୧୯ ନିର୍ବାଚନର ପ୍ରତିଶୋଧ ନେବା ଲକ୍ଷରେ ରହିଛି ବିଜେପି । ଦଳୀୟ ନେତା ଓ କର୍ମୀ ପ୍ରଚାର ଆରମ୍ଭ କରିଥିବା ବେଳେ ସୋମବାରଠୁ ମୈଇଦାନକୁ ଓହ୍ଲାଇଛନ୍ତି ଦଳର ହେଭିୱେଟ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁଙ୍କ ସହ ଷ୍ଟାର ପ୍ରଚାରକ କେଉଁ ଦିନ କିଏ ପ୍ରଚାର କରିବ ତାଲିକା କରୁଛି ବିଜେପି ।

କେନ୍ଦ୍ରର ଲୋକାଭିମୁଖୀ ଯୋଜନାକୁ ଦଳ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରୁଛି ଦଳ। ଦୀର୍ଘ ଦିନର ନେତୃତ୍ୱ ପରିବର୍ତ୍ତନ କରି ପିପିଲି ଲୋକେ ବିଜେପିକୁ ଆଶୀର୍ବାଦ କରିବେ ବୋଲି ଦଳ ଆଶା ବାନ୍ଧିଛି ।

ବିଜେପି ନେତା ପ୍ରଦୀପ ପୁରୋହିତ କହିଥିଲେ, ‘‘ବିଜେଡି ସେଠାରେ ଦୀର୍ଘ ଦିନ ଧରି ଜିତି ଆସୁଥିଲେ ବି ସେଠାରେ ବିକାଶ ନାହିଁ । କେବଳ ଗୁଣ୍ଡାରାଜ ଓ ଆତଙ୍କ ରାଜ୍ ଚାଲିଛି। ଶୀତଳ ଭଣ୍ଡାର ନାହିଁ । ଲୋକେ ବିଜେପିକୁ ଆଶୀର୍ବାଦ କରିବେ ବୋଲି ମନସ୍ତ କରୁଛି ।’’

ସାଧାରଣ ନିର୍ବାଚନରେ ତିନି ନମ୍ବର ସ୍ଥାନରେ ଥିବା କଂଗ୍ରେସ ପୁନର୍ବାର ନିଜର ପତିଆରା ବୃଦ୍ଧି ପାଇଁ ପ୍ରୟାସ ଜାରି ରଖିଛି । ନିକଟରେ ଉପ ନିର୍ବାଚନରେ ବିଫଳତା ସାଉଁଟିଥିବା କଂଗ୍ରେସ କିନ୍ତୁ ପିପିଲି ବାଜି ମାତ୍ ପାଇଁ ରଣନୀତି କରିଛି । ସୋମବାରଠାରୁ ଦଳ ପ୍ରଚାର ମୈଇଦାନକୁ ଓହ୍ଲାଇଥିବା ବେଳେ ରବିବାର କଂଗ୍ରେସ ଭବନରେ ପିସିସି କେନ୍ଦ୍ରୀୟ ସଂଯୋଜନ କମିଟି ବୈଠକରେ ତିଆରି ହୋଇଥିଲା ଷ୍ଟ୍ରାଟେଜି। କଂଗ୍ରେସର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚାଇବା ସହ ଲୋକଙ୍କ ସମର୍ଥନ ସାଉଁଟିବାକୁ ଲକ୍ଷ ରଖିଛି ଦଳ । ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କ ସମେତ ୨୦ ଜଣ ଷ୍ଟାର ପ୍ରଚାରକ ଖୁବ ଶୀଘ୍ର ପ୍ରଚାର ମୈଇଦାନକୁ ଓହ୍ଲାଇବେ ବୋଲି କହିଥିଲେ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ।
Published by: Lipina Das
First published: September 21, 2021, 4:51 PM IST