ଶ୍ରୀକ୍ଷେତ୍ର ପୁରୀ ଉପରେ ଧଳା ଜହରର କଳା ବାଦଲ; ବଡ ଦାଣ୍ଡରେ ବି ବିକ୍ରି ହେଉଛି ବ୍ରାଉନ୍ ସୁଗାର୍!

ବ୍ରାଉନ୍ ସୁଗାର୍ ବ୍ୟବସାୟରେ ଲାଗିଛନ୍ତି ଯୁବ ପୀଢି, ବିଶେଷତଃ କଲେଜ ପଢୁଆ ପିଲା ଓ ଅନେକ ମହିଳା । ସେମାନେ ଖୁଲମ୍ ଖୁଲା ନିଶା କାରବାର ଚ଼ଳାଉଥିବା ଦେଖିବାକୁ ମିଳୁଛି । ଦୈନିକ ଶ୍ରୀକ୍ଷେତ୍ର ପୁରୀରେ କୋଟି କୋଟି ଟଙ୍କାର ବ୍ରାଉନ୍ ସୁଗାର୍ ବ୍ୟବସାୟ ହେଉଛି ।

ଶ୍ରୀକ୍ଷେତ୍ର ପୁରୀ ଉପରେ ଧଳା ଜହରର କଳା ବାଦଲ; ବଡ ଦାଣ୍ଡରେ ବି ବିକ୍ରି ହେଉଛି ବ୍ରାଉନ୍ ସୁଗାର୍!
ଶ୍ରୀମନ୍ଦିର ଓ (ଡାହାଣ) ପୁରୀରେ ନିକଟରେ ଜବତ ହୋଇଥିବା ବ୍ରାଉନ୍ ସୁଗାର୍ ଓ ମୋବାଇଲ୍ ଫୋନ୍
  • News18 Odia
  • Last Updated: February 11, 2020, 7:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର ପୁରୀ ଏବେ ପାଲଟିଛି ଧଳା ଜହରର ପେଣ୍ଠସ୍ଥଳୀ । ଏହି ଆଧ୍ୟାତ୍ମିକ ସହରରେ ବେଧଡ଼କ ଭାବେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି  । ଏମିତିକି ଶ୍ରୀ ଜଗନ୍ନାଥଙ୍କ ବଡ ଦାଣ୍ଡରେ ଏହି ଧଳା ଜହର ବିକ୍ରେତା ନିଜ ବ୍ୟବସାୟ ଚ଼ମକାଇବା ଆରମ୍ଭ କରିଛନ୍ତି  ।

ଗତ ବର୍ଷ ୯୪ ଗ୍ରାମ୍‌ ଅର୍ଥାତ ୯ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଧରାହୋଇଥିବା ବେଳେ ଚ଼ଳିତ ବର୍ଷ କେବଳ ଜାନୁଆରୀରେ ଧରାହୋଇଛି ୩୪୩ ଗ୍ରାମ୍‌ ଅର୍ଥାତ ୩୪ ଲକ୍ଷ ଟଙ୍କାର ଧଳା ଜହର । ଏହି ବ୍ୟବସାୟରେ ଲାଗିଛନ୍ତି  ଯୁବ ପୀଢି, ବିଶେଷତଃ କଲେଜ ପଢୁଆ ପିଲା ଓ ଅନେକ ମହିଳା । ସେମାନେ ଖୁଲମ ଖୁଲା ନିଶା ସାମ୍ରାଜ୍ୟ ପରିଚ଼ାଳନା କରୁଥିବା ଦେଖିବାକୁ ମିଳୁଛି । ଦୈନିକ ଶ୍ରୀକ୍ଷେତ୍ରରେ କୋଟି କୋଟି ଟଙ୍କାର ବ୍ରାଉନ୍‌ ସୁଗାର୍‌ ବ୍ୟବସାୟ ହେଉଛି ।

ଚ଼ଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଏସ୍‌.ଟି.ଏଫ୍‌. ଗଠନ କରାଯାଇ ଚ଼ଢାଉ କରାଯାଇଥିଲା । ଜାନୁଆରୀ ମାସରେ ଜବତ ହୋଇଥିବା ୩୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ମାମଲା ଓ ତା’ ସହ ୧୧ଟି ଅନ୍ୟ ମାମଲାରେ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ୧୬ ଜଣଙ୍କ ମଧ୍ୟରେ ରହିଛନ୍ତି ୧୪ ଜଣ ପୁରୁଷ ଓ ଦୁଇ ଜଣ ମହିଳା । ପୁରୁଷଙ୍କ ଭିତରେ ୧୩ ଜଣ ଯୁବକ ।

ସତ୍ୟବାଦୀ ଅଞ୍ଚଳର ଗଗନ ସାହୁ ନାମକ ଯୁବକ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରୁ ପୁରୀ ଆସୁଥିବା ବେଳେ ରେଳ ଷ୍ଟେସନରେ ତାକୁ ଗିରଫ କରାଯାଇଥିଲା  । ତା’ ଠାରୁ ୩୦ ଗ୍ରାମ ଅର୍ଥାତ ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଧରାଯାଇଥିଲା । ସେପଟେ ନରେନ୍ଦ୍ରକୋଣ ଅଞ୍ଚଳରେ ଜଣେ ମହିଳା ବ୍ୟବସାୟୀଙ୍କ ପାଖରୁ ୧୦୦ ଗ୍ରାମ ଅର୍ଥାତ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଥିଲା । ସେମାନଙ୍କ ସହ ଛଅ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଥିଲା ଅବକାରୀ ବିଭାଗ ।

‘‘ପୁରୀରେ ଏ ନିଶା କାରବାର ନିକଟରେ ବଢ଼ିଥିବା ଜଣା ପଡ଼ୁଛି । ସହରକୁ ବ୍ରାଉନ ସୁଗାରରୁ ମୁକ୍ତ କରିବାକୁ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏକ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି,’’ କହିଛନ୍ତି ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନା ।

ପୁରୀରେ ମଙ୍ଗଳାଘାଟ, ବଳିଆପଣ୍ଡା ଓ ନରେନ୍ଦ୍ର କୋଣ ହେଉଛି ବ୍ରାଉନ ସୁଗାରର ପେଣ୍ଠସ୍ଥଳ । ବଡ଼ ଦାଣ୍ଡର ବଗଲା ଧର୍ମଶାଲା ଛକ, ମାର୍କେଟ ଛକ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କୋରକ୍ସ ଓ ବ୍ରାଉନ ସୁଗାରର ବେପାର ଚାଲୁଥିବା ମଧ୍ୟ ସ୍ପଷ୍ଟ କରିଛି ଅବକାରୀ ବିଭାଗ ।

ପୁରୀରେ ଏହି ବ୍ୟବସାୟ ଚ଼ଳାଉଛନ୍ତି ମୁଖ୍ୟତଃ ମହିଳାମାନେ । ଅନେକ ସମୟରେ ଧରାପଡ଼ିଲେ କୋର୍ଟରୁ ମିଳୁଥିବା କମ୍‌ ଦଣ୍ଡବିଧାନରେ ସେମାନେ ଖସି ଯାଉଛନ୍ତି । ବାଂଲାଦେଶରୁ ଜଳେଶ୍ୱରକୁ ଓ ସେଠାରୁ ଓଡିଶାର ବିଭିନ୍ନ ଅଞ୍ଚଳକୁ ଏହି ବ୍ରାଉନ ସୁଗାର ପହଞ୍ଚୁଛି । ପୁଣି ପୁରୀକୁ ଟ୍ରେନ ଯୋଗେ ତାହା ସପ୍ଲାଇ ହେଉଛି ।

‘‘ଯୁବକମାନଙ୍କୁ ଏହି ବେପାରରେ ଭଲ ଲାଭ ଦେଉଥିବାରୁ ସେମାନେ ଏଥିରେ ସମ୍ପୃକ୍ତି ହେଉଛନ୍ତି । ପୁରୀରେ ଜାନୁଆରୀ ମାସରେ କରାଯାଇଥିବା ଚ଼ଢାଉରେ ୧୧ଟି ମାମଲାରେ ୧୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ଆବଶ୍ୟକ କର୍ମଚାରୀଙ୍କ ଅଭାବରୁ ପୁରୀ ପୁଲିସ ସହାୟତାରେ ଚଢାଉ କରାଯାଉଛି,’’ କହିଛନ୍ତି ପୁରୀ ଅବକାରୀ ଥାନା ଅଧିକାରୀ ବିକାଶ କୁମାର ନାୟକ ।

ପୁରୀ ସହର ଏକ ଆଧ୍ୟାତ୍ମିକ ସହର ଭାବେ ବିଶ୍ୱବିଖ୍ୟାତ ଥିବା ବେଳେ ଓ ରାଜ୍ୟ ସରକାର ଏହାକୁ ଏକ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ଏଠି ନିଶା କାରବାରକୁ ବନ୍ଦ କରିବା ପାଇଁ ପ୍ରଶାସନ କଡ଼ା ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ସହରବାସୀ । ଅପରାଧୀମାନେ ନିଶାଗ୍ରସ୍ତ ହୋଇ ଅନେକ ଅପରାଧ ଘଟାଇଥିବାର ଉଦାହରଣ ଥିବାରୁ ପର୍ଯ୍ୟଟନର ଏହି ସହରକୁ ସୁରକ୍ଷିତ ରଖିବାକୁ ଧଳା ଜହର ବେପାରୀ ଓ ତାହା ସେବନ କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଧାରଣ ଜନତା ଓ ବୁଦ୍ଧିଜିବୀମାନେ ।
First published: February 11, 2020, 7:10 PM IST
corona virus btn
corona virus btn
Loading