News18 Odia Digital
କଟକ: ଓଡିଶା ଇତିହାସରେ ନ'ଅଙ୍କ ଦୁର୍ଭିକ୍ଷ ଥିଲା ଏକ କଳଙ୍କମୟ ଘଟଣା । ଖାଦ୍ୟ ଅଭାବରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଅକାଳରେ ମୃତ୍ୟୁ ବରଣ କରିଥିଲେ । ଯାହାକି ଆଜି ବି ସାରା ବିଶ୍ୱ ପାଇଁ ବିରଳ ଘଟଣା । ୧୮୬୫ ରୁ ୧୮୬୮ ମସିହା ପର୍ଯ୍ୟନ୍ତ ତିନି ବର୍ଷ ଧରି ଓଡ଼ିଶା ଦେଖିଥିବା ଏହି ଦୁଃଖଦ ଘଟଣାକୁ ଫଟୋ, ସ୍କେଚ୍ ଓ ସୂଚନା ମାଧ୍ୟମରେ କଟକ କ୍ଲବରେ "ଇନଟାଚ୍" ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି।
ନ'ଅଙ୍କ ଦୁର୍ବିକ୍ଷର ୧୫୬ ତମ ବାର୍ଷିକୀ ଅବସରରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି । ନ'ଅଙ୍କ ଦୁର୍ଭିକ୍ଷ ଘଟଣାକୁ ବହୁ ଶତାବ୍ଦୀ ବିତି ଯାଇଥିଲେ ପ୍ରଦର୍ଶନୀକୁ ବୁଲି ଦେଖିବା ପରେ ସେହି ଅଭିଶପ୍ତ ଘଟଣା ଦେଖଣାହାରୀଙ୍କୁ ବିଚଳିତ କରିପକାଉଛି । ଇତିହାସ କହେ ବର୍ଷା ଅଭାବରୁ ରାଜ୍ୟର ୩ଟି ଅଞ୍ଚଳ ବାଲେଶ୍ଵର, ପୁରୀ ଓ କଟକରେ ଉତ୍କଟ ଖାଦ୍ୟ ଅଭାବ ଦେଖାଦେଇଥିଲା । ଲୋକେ ପ୍ରଥମେ ଘରର ସାମଗ୍ରୀ ବିକି କ୍ଷୁଧା ମେଣ୍ଟାଇଲେ । ପରେ ଭିକ ମାଗିଲେ । ଶେଷରେ ଗଛ ପତ୍ର ଖାଇ ବଞ୍ଚିବାକୁ ଚେଷ୍ଟା କଲେ।

କଟକ କ୍ଲବରେ ଇନଟାଚ୍ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ
ଅଦିନରେ ଅକାଳ ବାର୍ଦ୍ଧକ୍ୟରେ ପଡିଲେ ସମସ୍ତେ । ଶେଷରେ ପୋକ ମାଛି ପରି ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ମୃତ୍ୟୁବରଣ କଲେ । କୋଲକାତା ଅଧୀନରେ ଥିବା ଓଡିଶାର ଶାସକ ଓ କର୍ମଚାରୀ ମଧ୍ୟ ଦୁର୍ଭିକ୍ଷ ପରିସ୍ଥିତି ନଥିବା କହି ସମସ୍ତଙ୍କୁ ମାରିବାକୁ ଛାଡି ଦେଇଥିଲେ । ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା । କେବଳ କଟକରେ ୫ ଲକ୍ଷ ଲୋକ ଭୋଗ ସହି ନପାରି ଆଖି ବୁଜିଥିଲେ ।
"ଏହି ଘଟଣାକୁ ନେଇ ଏକ ସ୍ମାରକୀ ହେବା ଦରକାର । ଯେମିତି ଜାଲିଆନା ଓ୍ବାଲା ବାଗ ଘଟଣାର ସ୍ମାରକୀକୁ ଏବେ ବି ସାଇତି ରଖାଯାଇଛି । ଯୁଦ୍ଧ ଜିତିରେ ସ୍ମାରକୀ ହେଉଛି । କିନ୍ତୁ ଯେଉଁ ଘଟଣା ୧୦ ଲକ୍ଷ ଲୋକଙ୍କୁ ମାରି ଦେଲା ତାର ସ୍ମାରକୀଟିଏ ନାହିଁ । ନ'ଅଙ୍କ ଦୁର୍ବିକ୍ଷକୁ ନେଇ ଏକ ସ୍ମାରକୀ ହେବ ନିହାତି ଦାରକାର," ବୋଲି କହିଛନ୍ତି ଆୟୋଜକ ଅନୀଲ ଧୀର ।
ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଉଦଘାଟିତ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।