ବଢ଼ିବ ପେଟ୍ରୋଲ ଦର; ସରକାର ଚାହିଁଲେ ଆଶ୍ବସ୍ତି ଦେଇପାରିବେ:ଉତ୍କଳ ପେଟ୍ରୋଲିୟମ ସଂଘ ସମ୍ପାଦକ

ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ସରକାର ଚାହିଁଲେ କିଛି ମାତ୍ରାରେ ଉତ୍ପାଦ ଶୁଳ୍କ ଓ ଭାଟ କମାଇ ଗ୍ରାହକଙ୍କୁ ଆଶ୍ୱସ୍ତ କରିପାରିବେ ବୋଲି ଉତ୍କଳ ପେଟ୍ରୋଲିୟମ ସଂଘ ସମ୍ପାଦକ କହିଛନ୍ତି ।

୧୮ରୁ ୨୦ଟଙ୍କା ବଢ଼ିବ ପେଟ୍ରୋଲ ଦର (ପ୍ରତୀକାତ୍ମକ ଛବି)

୧୮ରୁ ୨୦ଟଙ୍କା ବଢ଼ିବ ପେଟ୍ରୋଲ ଦର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ ।  ଦୀର୍ଘ ୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ।  ମଙ୍ଗଳବାର ସକାଳୁ ନୂଆ ଦର ଲାଗୁ ହୋଇଛି। ଓଡିଶାରେ ମଧ୍ୟ ପେଟ୍ରୋଲ ଦର ଦୀର୍ଘଦିନ ପରେ ୧୦୨ ଟଙ୍କା ଟପିଛି ।

ସମଗ୍ର ଦେଶରେ ପେଟ୍ରୋଲ, ଡିଜେଲ ଦାମ୍‌ ବଢ଼ିଥିବା ବେଳେ ଓଡ଼ିଶାର ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଦର ଲାଗୁ ହୋଇଛି।  ଭୁବନେଶ୍ୱରରେ ପେଟ୍ରୋଲ ୯୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୧୦୨ ଟଙ୍କା ୭୪ ପଇସା ହୋଇଛି । ସେହିପରି ଡିଜେଲ ଦର ୯୧ ପଇସା ବୃଦ୍ଧି ପାଇ ୯୨.୫୪ ଟଙ୍କା ହୋଇଛି ।  ବାଲେଶ୍ୱରରେ ପେଟ୍ରୋଲ ୮୫ ଓ ଡିଜେଲ ୮୬ ପଇସା ବୃଦ୍ଧି ପାଇଛି। ବାଲେଶ୍ୱରରେ ପେଟ୍ରୋଲ ୧୦୨.୬୫ ଓ ଡିଜେଲ ୯୨.୪୯ ଟଙ୍କାରେ ପହଞ୍ଚିଛି।  ରାଉରକେଲାରେ ପେଟ୍ରୋଲ ୮୫, ଡିଜେଲ ୮୬ ପଇସା ବୃଦ୍ଧି ପାଇବା ସହ ପେଟ୍ରୋଲ ଦର ୧୦୩.୭୯ ଓ ଡିଜେଲ ୯୩.୫୯ ଟଙ୍କା ହୋଇଛି   । ସେହିପରି ମାଲକାନଗିରିରେ ପେଟ୍ରୋଲ ୮୪, ଡିଜେଲ ୮୬ ପଇସା ବୃଦ୍ଧି ପାଇ ପେଟ୍ରୋଲ ୧୦୮.୩୯ ଓ ଡିଜେଲ ୯୮.୩୦ ଟଙ୍କାରେ ପହଞ୍ଚିଛି ।

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି," ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବହୁ ମାତ୍ରାରେ ବଢ଼ିଛି । ଭାରତରେ ୨୦୨୧ ନଭେମ୍ବର ୬ ପରେ ୧୩୭ ଦିନ ପରେ ପୁଣିଥରେ ଦରବୃଦ୍ଧି ଆରମ୍ଭ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ୯୬ ପଇସା ଓ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି । ଋଷ-ୟୁକ୍ରେନ ଯୁଦ୍ଧ ନ ଥମିବା ଯାଏଁ ତେଲ ଦର ଉଚ୍ଚ ରହିବ । ତେବେ ସରକାର ଚାହିଁଲେ କିଛି ମାତ୍ରାରେ ଉତ୍ପାଦ ଶୁଳ୍କ ଓ ଭାଟ କମାଇ ଗ୍ରାହକଙ୍କୁ ଆଶ୍ୱସ୍ତ କରିପାରିବେ"।

କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି," ପେଟ୍ରୋଲ ଡିଜେଲ ଗ୍ୟାସ ଦରବୄଦ୍ଧି ଲୋକଙ୍କ ଦେହସୁହା ଓ ସରକାରଙ୍କ ଦେହସୁହା ହୋଇଗଲେଣି। ସେତେବେଳେ କହୁଥିଲେ କମ୍ପାନୀ ବଢେଇଲା ଏବେ କହୁଛନ୍ତି ଯୁଦ୍ଧ ପାଇଁ ବଢୁଛି। ନିର୍ବାଚନ ଆସିଲେ ଦରବୄଦ୍ଧି ହେଉନାହିଁ ନିର୍ବାଚନ ସରିଲେ ଦରବୄଦ୍ଧି ନିଶ୍ଚିତ ହେବ। ଚିରାଚରିତ ଢ଼ଙ୍ଗରେ ସରକାର କରୁଛନ୍ତି ଏଥିରେ କିଛି ନୂଆ କଥା ନାହିଁ ଲୋକଙ୍କୁ ଭୋଗିବାକୁ ପଡ଼ିବ।ୟୁପିଏ ସରକାର ସମୟରେ କ୍ରୁଡ ଅଏଲ ଦର କେତେ ଥିଲା ବର୍ତ୍ତମାନ କେତେ ଅଛି।ସମପରିମାଣରେ ପେଟ୍ରୋଲ ଡିଜେଲ ଗ୍ୟାସ ଦର ହୁ ହୁ ହୋଇ ବଢୁଛି"।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି,"ଭୟାନକ ସ୍ଥିତି ହେବାକୁ ଯାଉଛି। କେନ୍ଦ୍ର ସରକାର ଏଭଳି ଅବସ୍ଥାରେ ଦରବୄଦ୍ଧି କଲେ ଖାଉଟି ପ୍ରଭାବିତ ହେବେ। ଲୋକଙ୍କ କଥା ଚିନ୍ତା କରିବା ଦରକାର। ଯୁଦ୍ଧ କି ଅନ୍ୟ କୌଣସି ଆଳ ଦେଖେଇଲେ ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବ। ବିକଳ୍ପ ବ୍ୟବସ୍ଥା ହେଲେ ଖାଉଟି ଉପରେ ଚାପ ପଡ଼ିବ"।

ଏହି ପ୍ରସଙ୍ଗରେ ବିଜେପି କହିଛି ତେଲ ଦର ବୃଦ୍ଧିକୁ ନେଇ ବର୍ତମାନ ସମୟରେ ରାଜନୈତିକ ଆକ୍ଷେପ ଓ ପ୍ରତିଆକ୍ଷେପ କରାଯିବା ଅନୁଚିତ୍ । କାରଣ ଆନ୍ତର୍ଜାତୀୟ ବଜାରରେ ଯୁଦ୍ଧ କାରଣରୁ ଅଶୋଧିତ ତୈଳଦର ବୃଦ୍ଧି ପାଇଛି । ଏହା ସିଧାସଳଖ ତୈଳଦରକୁ ପ୍ରଭାବିତ କରୁଛି । ତେଣୁ ରାଜନୈତିକ ଇଛାଶକ୍ତି କାରଣରୁ ନୁହେଁ, ବରଂ ଯୁଦ୍ଧ ପାଇଁ ତୈଳଦର ବଢିଛି ।
Published by:Soumya Das
First published: