କୁମ୍ଭୀର ହେଲା ଖାଦ୍ୟ! ମାଲକାନଗିରିରେ କୁମ୍ଭୀରକୁ ମାରି ଖାଇଗଲେ ଲୋକେ; ବନ ବିଭାଗ ତଦନ୍ତ କରୁଛି

ପ୍ରାୟ ୧୫ ଫୁଟ ଲମ୍ବର ଏହି କୁମ୍ଭୀରଟିକୁ ନଦୀରୁ ଧରି ଲୋକେ ଗୋଟେ ଗଛରେ ଟାଙ୍ଗିଦେଇଥିଲେ । ତା’ର ଗୋଟିଏ ପରେ ଗୋଟିଏ ଆଙ୍ଗୁଳି କାଟିଥିଲେ । କୁମ୍ଭୀରଟିକୁ ପୂରା ମାରିଦେବା ପରେ କିଛି ଲୋକ ତା’ ମାଂସକୁ ରାନ୍ଧି ଖାଇଥିଲେ ।

କୁମ୍ଭୀର ହେଲା ଖାଦ୍ୟ! ମାଲକାନଗିରିରେ କୁମ୍ଭୀରକୁ ମାରି ଖାଇଗଲେ ଲୋକେ; ବନ ବିଭାଗ ତଦନ୍ତ କରୁଛି
ସବେରୀ ନଦୀରୁ ଏହି କୁମ୍ଭୀରଟିକୁ ଧରିଥିଲେ ଲୋକେ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମାଲକାନଗିରି: ଗୋଟେ କୁମ୍ଭୀର ଜଣେ ସ୍କୁଲ୍‌ ଛାତ୍ରକୁ ଅଧା ଖାଇଯିବା ପରି ଦୁଃଖଦ ଖବର ଆସିବାର ସପ୍ତାହକ ପରେ ଏକ ଲୋମହର୍ଷକ ଘଟଣାର ଖବର ଆସିଛି ସେହି ମାଲକାନଗିରି ଜିଲ୍ଲାରୁ । ଗୋଟେ କୁମ୍ଭୀରକୁ ମାରି ଖାଇଯାଇଛନ୍ତି ଗାଁ ଲୋକେ । ଏହି ଘଟଣା ସମସ୍ତଙ୍କୁ ହତପ୍ରଭ କରିଛି ।

ପଡିଆ ବ୍ଳକ କାଲଦାପାଲି ଗ୍ରାମରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଗାଁର କିଛି ଲୋକ ଗତ କାଲି ସବେରୀ ନଦୀରେ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ । କୌଣସି ପ୍ରକାର କୁମ୍ଭୀରଟିକୁ ଧରି ବାନ୍ଧି ଦେଇଥିଲେ ଲୋକେ । ପରେ ଆରମ୍ଭ ହୋଇଥିଲା ପ୍ରାଣୀଟି ପ୍ରତି ଲୋକଙ୍କ ନୃଶଂସତା ।

ପ୍ରାୟ ୧୫ ଫୁଟ ଲମ୍ବର ଏହି କୁମ୍ଭୀରଟିକୁ ଲୋକେ ବାନ୍ଧି ଗୋଟେ ଗଛରେ ଟାଙ୍ଗିଥିଲେ । ସେମାନେ ତା’ର ଗୋଟିଏ ପରେ ଗୋଟିଏ ଆଙ୍ଗୁଳି କାଟିବା ଓ ଏହି ଦୃଶ୍ୟର ଫଟୋ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି । କୁମ୍ଭୀରଟିକୁ ପୂରା ମାରିଦେବା ପରେ କିଛି ଲୋକ ତା’ ମାଂସକୁ ରାନ୍ଧି ଖାଇଥିବା ଅଭିଯୋଗ ହୋଇଛି ।

କୁମ୍ଭୀରଟିକୁ ଲୋକେ ବାନ୍ଧି ଗୋଟେ ଗଛରେ ଟାଙ୍ଗିଥିଲେ ।


ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ବନ ବିଭାଗ ନିଜ ଆଡ଼ୁ କୌଣସି ପଦକ୍ଷେପ ନେଇ ନ ଥିଲା । ଗଣ ମାଧ୍ୟମ ପ୍ରତିନିଧିମାନେ ଘଟଣା ସମ୍ପର୍କରେ ବନ ବିଭାଗର ଅଧିକାରୀମାନଙ୍କୁ ପ୍ରଶ୍ନ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ସେମାନେ କହିଛନ୍ତି । ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବେଶବିତମାନେ । ତୁରନ୍ତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

କୁମ୍ଭୀରଟିକୁ ଲୋକେ ନିର୍ଯ୍ୟାତନା ଦେଇଥିଲେ ।


‘‘ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆମେ ଗତ କାଲି କିଛି ଷ୍ଟାଫଙ୍କୁ ଘଣା ସ୍ଥଳକୁ ପଠାଇଥିଲୁ । ହେଲେ କେହି ସେଠାରେ ମିଳିଲେ ନାହିଁ । ଆଜି ଆଉ ଏକ ଟିମ୍‌ ବନେଇ ଆମେ ପଠେଇଛୁ । କୁମ୍ଭୀରକୁ ଲୋକେ ଧରି ରଖିଥିବାର କେତେକ ଫଟୋ ଆମର ହସ୍ତଗତ ହୋଇଛି । କୁମ୍ଭୀରଟି ପାଖାପାଖି ୧୫ ଫୁଟର ଥିଲା । ଦୋଷୀମାନଙ୍କୁ ଶୀଘ୍ର ଖୋଜି ବାହାର କରାଯିବ ଓ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ମାଲକାନଗିରି ଡି.ଏଫ.ଓ. ପ୍ରଦୀପ ମିରେଜ୍‌ ।

ମାଲକାନଗିରି ଡି.ଏଫ.ଓ. ପ୍ରଦୀପ ମିରେଜ୍


ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଝୋଲାଗୁଡା ଅପରେଟ କଲୋନୀ ନିକଟରେ ଥିବା ଏକ ଜଳଭଣ୍ଡାରର ଲିଙ୍କ ଜଳାଶୟରେ ଜୁନ୍‌ ୨୭ ତାରିଖ ମଧ୍ୟାନ୍ନରେ କୈଳାସ ମାଝୀ ନାମକ ଜଣେ ସ୍କୁଲ୍ ଛାତ୍ରକୁ ଗୋଟିଏ କୁମ୍ଭୀର ଅଧା ଖାଇଯାଇଥିଲା । ଜୁନ୍‌ ୨୮ ତାରିଖ ଦିନ କୈଳାସର ଅଧା ମୃତ ଦେହ ଜଳାଶୟରେ ଭାସୁଥିବା ଦେଖାଯାଇଥିଲା । ଶବର ଦୁଇ ଗୋଡ଼ ଓ ହାତ ନ ଥିବା ଗ୍ରାମବାସୀମାନେ କହିଥିଲେ । କୈଳାସ ଓ ତା’ ସାଙ୍ଗ ଅଜୟ ଖରା ସେହି ଜଳାଶୟକୁ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଦୁହେଁ ଗାଧୋଉଥିବା ବେଳେ କୈଳାସ ହଠାତ୍‌ ପାଣିରେ ନିଖୋଜ ହୋଇ ଯାଇଥିଲା ।
First published: July 2, 2020, 2:54 PM IST
corona virus btn
corona virus btn
Loading