ନୂଆ ଟ୍ରାଫିକ୍ ନିୟମ: ରଙ୍ଗ୍ ରୁଟ୍ ଡ୍ରାଇଭିଂ ପାଇଁ ଫାଇନ୍ ସହ ଗାଡ଼ି ଜବତ ହେବା ବିରୋଧରେ ଜନ ଆକ୍ରୋଶ ବଢୁଛି

‘‘ଜଣେ ଲୋକ ରଙ୍ଗ୍ ରୁଟରେ ଗାଡ଼ିରେ ଆସିଥିବାରୁ ଫାଇନ୍ ଦେବା ପରେ ତା’ ଗାଡ଼ିଟା ସେହି ଦୋଷ ପାଇଁ ଜବତ କରିବାର କୌଣସି ଯଥାର୍ଥତା ମୁଁ ଦେଖୁନି । ଟ୍ରାଫିକ୍ ଆଇନରେ ଏମିତି ପ୍ରାବଧାନ ବି ନାହିଁ,” କହିଛନ୍ତି ଟ୍ରାଫିକ୍ ବିଶେଷଜ୍ଞ ଓ ସମାଜସେବୀ ପ୍ରକାଶ କୁମାର ମହାପାତ୍ର ।

ନୂଆ ଟ୍ରାଫିକ୍ ନିୟମ: ରଙ୍ଗ୍ ରୁଟ୍ ଡ୍ରାଇଭିଂ ପାଇଁ ଫାଇନ୍ ସହ ଗାଡ଼ି ଜବତ ହେବା ବିରୋଧରେ ଜନ ଆକ୍ରୋଶ ବଢୁଛି
ଟ୍ରାଫିକ ପୋଲିସକୁ ନିଜ ତର୍କ ବୁଝାଉଛନ୍ତି ମମିତା କର
  • News18 Odia
  • Last Updated: March 2, 2020, 11:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀର ରାସ୍ତାରେ ଟ୍ରାଫିକ୍‌ ଫ୍ଲୋ’ର ଓଲଟା ଦିଗରେ (ରଙ୍ଗ୍‌ ରୁଟରେ) ବାଇକ୍‌ ଚ଼ଳେଇ ଯାଉଥିବା ବେଳେ ଟ୍ରାଫିକ୍ ପୋଲିସ ହାତରେ ଧରାପଡ଼ି ଶହ ଶହ ଲୋକ ଫାଇନ୍‌ ଦେଉଛନ୍ତି । ରଙ୍ଗ୍‌ ରୁଟ୍‌ ଡ୍ରାଇଭିଂକୁ ରୋକିବା ପାଇଁ ଟ୍ରାଫିକ୍‌ ପୋଲିସର କଡ଼ାପଣ ଓ ଫାଇନ୍‌ ବ୍ୟବସ୍ଥା ସବୁ ମହଲରେ ପ୍ରଶଂସିତ ହୋଇଛି, ହେଲେ ରଙ୍ଗ୍‌ ରୁଟ୍‌ ଡ୍ରାଇଭିଂ ପାଇଁ ପୋଲିସ ଫାଇନ୍‌ ଆଦାୟ କରିବା ସହିତ ଗାଡ଼ି ବି ଜବତ କରୁଥିବାରୁ ତାହା ବିରୋଧରେ ଜନ ଆକ୍ରୋଶ ବଢ଼ୁଥିବା ଦେଖିବାକୁ ମିଳିଛି ।

ରଙ୍ଗ୍‌ ରୁଟରେ ଗାଡ଼ି ଚ଼ାଳନାକୁ ବନ୍ଦ କରିବା ପାଇଁ କଡ଼ା ନିୟମ ପାଳନ କରିବା ଆରମ୍ଭ କରିବା ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଏ ବିଷୟରେ ସୂଚ଼ନା ଫଳକ ଲଗେଇ ଯଥେଷ୍ଟ ଜନସଚ଼େତନତା ସୃଷ୍ଟି କରାଯାଇ ନାହିଁ ବୋଲି କହିଛନ୍ତି ଅନେକ ପ୍ରବୁଦ୍ଧ ନାଗରିକ । ରବିବାର ଦିନ ରାଜମହଲ ଛକରେ ରଙ୍ଗ୍‌ ରୁଟରେ ଯାଉଥିବା ବେଳେ ଧରା ପଡ଼ି ଜଣେ ମହିଳା ଟେଲିଭିଜନ୍‌ ନ୍ୟୁଜ୍‌ ଚ଼୍ୟାନେଲମାନଙ୍କ କ୍ୟାମେରା ଆଗରେ ପୋଲିସର କାର୍ଯ୍ୟଶୈଳୀର ତୀବ୍ର ସମାଲୋଚ଼ନା କରିଥିଲେ ।

"ମୋତେ ଟ୍ରାଫିକ୍‌ ପୋଲିସ ଅଟକେଇବାରୁ ମୁଁ ଅଟକିଲି ଆଉ ସ୍ୱୀକାର କଲି ଯେ ମୁଁ ରଙ୍ଗ୍‌ ରୁଟରେ ଯାଇ ଭୁଲ୍‌ କରିଛି । ମୁଁ ଜୋରିମାନା ଦେବାକୁ ପ୍ରସ୍ତୁତ ବି ଥିଲି । ପୋଲିସ ଜୋରିମାନା ନେଇ ମୋତେ ଓ ମୋ’ ଆକ୍ଟିଭା ଗାଡ଼ିକୁ ଛାଡ଼ିଦେବା ଉଟ଼ିତ ଥିଲା, କିନ୍ତୁ ସେମାନେ ମୋ’ ଗାଡ଼ି ଜବତ କରିବାକୁ ଜିଦ୍‌ କରୁଥିଲେ । ମୋ’ ସହିତ ଦୁର୍ବ୍ୟବହାର କଲେ । ସହରରେ ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ରଙ୍ଗ୍‌ ରୁଟ୍‌ ରାଇଟ୍‌ ରୁଟ୍‌ ବିଷୟରେ ଗୋଟିଏ ବି ସାଇନବୋର୍ଡ଼ ନାହିଁ,’’ କହିଛନ୍ତି ମମିତା କର, ଯିଏ ଜଣେ ଜାପାନିଜ ଲାଙ୍ଗୁଏଜ୍ ଟ୍ରେନର୍‌ ।

ପୋଖରିପୁଟରେ ରହୁଥିବା ମମିତା ପୂର୍ବରୁ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ଉଚ୍ଚ ପଦରେ ଥିଲେ । ଚ଼ାରି ମାସ ତଳେ ସେ ଭୁବନେଶ୍ୱର ଆସିଥିବାରୁ ବିଭିନ୍ନ ସ୍ଥାନ ଓ ରାସ୍ତା ବିଷୟରେ ଭଲ କରି ଜାଣିନାହାନ୍ତି ବୋଲି ସେ କହିଛନ୍ତି । ରବିବାର ଅପରାହ୍ଣରେ ଏକ ଜରୁରୀ କାମରେ ସେ ରାଜମହଲ ଛକକୁ ଆସିଥିଲେ । ରାଜମହଲ ଏସ.ବି.ଆଇ. ଏ.ଟି.ଏମ.ରୁ ଟଙ୍କା ଉଠାଇ ସେ ୧ ନମ୍ବର ମାର୍କେଟ ଯାଇଥାଆନ୍ତେ । ସେଠାରୁ ସେ ଏ.ଜି. ଛକ ଦେଇ ପୋଖରିପୁଟରେ ନିଜ ଘରକୁ ଯାଇଥାଆନ୍ତେ ।

ହେଲେ ରାଜମହଲ ଫ୍ଲାଏଓଭର୍‌ ତଳେ ରଙ୍ଗ୍‌ ରୁଟରେ ଯାଉଥିବାବେଳେ ତାଙ୍କ ଆକ୍ଟିଭା (OD 02 7823)କୁ ଧରିଥିଲା ଟ୍ରାଫିକ ପୋଲିସ । ସେ ଦୋଷ ସ୍ୱୀକାର କରି ଫାଇନ୍‌ ଦେବାକୁ ପ୍ରସ୍ତୁତ ହୋଉଥିବା ବେଳେ ତାଙ୍କ ଗାଡ଼ି ଜବତ କରାଯିବ ବୋଲି କହିଥିଲା ପୋଲିସ । ବାସ୍‌, ତା’ପରେ ଆରମ୍ଭ ହୋଇଯାଇଥିଲା ପୋଲିସ ସହ ମମିତାଙ୍କ ଜୋରଦାର୍‌ କଥା କଟାକଟି । ପରିସ୍ଥିତି ଏପରି ହୋଇଯାଇଥିଲା ଯେ ରାଜମହଲ ଛକରେ ରୁଣ୍ଡ ହୋଇଯାଇଥିଲେ ଶହ ଶହ ଲୋକ ।

ଯଦି ଆଉ କିଛି ସମୟ ପୋଲିସ ନିଜ କଥାରେ ଅଡ଼ି ରହିଥାଆନ୍ତା, ତେବେ ରାଜମହଲ ଛକରେ ସୃଷ୍ଟି ହୋଇଥାଆନ୍ତା ଗଲା ବର୍ଷ ସେପ୍ଟେମ୍ବର ୭ ତାରିଖ ଭଳି ପୋଲିସ-ପବ୍ଲିକ ମୁହାଁମୁହିଁ ସ୍ଥିତି । ତେଣୁ ପୋଲିସ ମମିତାଙ୍କ ଗାଡ଼ି ନମ୍ବର, ଠିକଣା ଓ ଟେଲିଫୋନ ନମ୍ବର ରଖି ତାଙ୍କୁ ଛାଡ଼ି ଦେଇଥିଲା ।

‘‘ଯେଉଁ ସ୍ଥାନରେ ସେ (ମମିତା) ସାଇନବୋର୍ଡ଼ କାହିଁକି ଲଗାଯାଇନାହିଁ ବୋଲି ପ୍ରଶ୍ନ କରୁଛନ୍ତି, ସେଠାରେ ନୋ ଏଣ୍ଟ୍ରିର ସାଇନବୋର୍ଡ଼ର କୌଣସି ଆବଶ୍ୟକତା ନାହିଁ । ସେ ରଙ୍ଗ ରୁଟରେ ଗାଡି ଡ୍ରାଇଭିଂ କରୁଥିଲେ, ତେଣୁ ତାଙ୍କ ଆକ୍ଟିଭା ଜବତ ହେବା ସ୍ୱାଭାବିକ,’’ କହିଛନ୍ତି ଡିସିପି ସାଗରିକା ନାଥ ।

ହେଲେ ଟ୍ରାଫିକ୍‌ ବିଶେଷଜ୍ଞ ଓ ସମାଜସେବୀ ପ୍ରକାଶ କୁମାର ମହାପାତ୍ର କହିଛନ୍ତି ଯେ ପୋଲିସକୁ ଫାଇନ୍‌ ନେବା ପରେ ଗାଡ଼ି ଜବତ କରିବାର ଆବଶ୍ୟକତା ହିଁ ନାହିଁ । ‘‘ଜଣେ ଲୋକ ରଙ୍ଗ୍‌ ରୁଟରେ ଗାଡ଼ିରେ ଆସିଥିବାରୁ ଫାଇନ୍‌ ଦେବା ପରେ ତା’ ଗାଡ଼ିଟା ସେହି ଦୋଷ ପାଇଁ ଜବତ କରିବାର କୌଣସି ଯଥାର୍ଥତା ମୁଁ ଦେଖୁନି । ଟ୍ରାଫିକ୍‌ ଆଇନରେ ଏମିତି ପ୍ରାବଧାନ ବି ନାହିଁ । ତେଣୁ ଲୋକଙ୍କୁ ଅଯଥା ହଇରାଣ କରିବା ଉଚ଼ିତ ନୁହେଁ,’’ କହିଛନ୍ତି ରାସ୍ତା ସୁରକ୍ଷା ସମିତିର ସଚ଼ିବ ପ୍ରକାଶ ଚ଼ନ୍ଦ୍ର ମହାପାତ୍ର ।

‘‘ଆଇନ୍‌ ଓ ଫାଇନର ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ସୁବ୍ୟବସ୍ଥିତ ଓ ନିରାପଦ ଗମନାଗମନ ସୁନିଶ୍ଚିତ କରିବା ପାଇଁ ହୋଇଛି । ଏହି ବ୍ୟବସ୍ଥା ଲାଗୁ କରିବା ଛଳରେ ସାଧାରଣ ଲୋକଙ୍କୁ ହଇରାଣ କରିବା ଆଦୌ ଉଚ଼ିତ ନୁହେଁ । ସେମିତି ହେଲେ ଜନ ବିରୋଧ ଦେଖାଦେଇପାରେ,’’ କହିଛନ୍ତି ବରିଷ୍ଠ ସାମାଜିକ-ରାଜନୈତିକ ସମୀକ୍ଷକ ରବି ଦାସ ।

ବିରୋଧୀ ଦଳ କଂଗ୍ରେସର ବିଧାୟକ ସୁରେଶ ରାଉତରାୟ ନୂଆ ଟ୍ରାଫିକ ନିୟମ ଓ ଟ୍ରାଫିକ ସମସ୍ୟାକୁ ନେଇ ଏକ ପ୍ରେସମିଟ୍‌ କରି ଟ୍ରାଫିକ୍‌ ପୋଲିସ ଜନ ସାଧାରଣଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି।

‘‘ମା’ ଭଉଣୀମାନଙ୍କୁ ବାଟରେ ଅଟକାଇ ତାଙ୍କ ପ୍ରତି ଅତି ଖରାପ ବ୍ୟବହାର କରାଯାଉଛି। ଏହା କଣ ହିଟଲର ରାଜ? ବେକାରୀ ବଢ଼ିଛି, ନିଯୁକ୍ତି ନାହିଁ, ଲୋକଙ୍କୁ ଟ୍ରାଫିକ୍‌ ଫାଇନ୍‌ ଆଳରେ ଧମକ ଦେଇ ଟଙ୍କା ଆଦାୟ କରିବା ଚ଼ଳିବନି।  ଆର.ଟି.ଓ. ଅଫିସରେ କର୍ମଚ଼ାରୀ ନାହାଁନ୍ତି, ରାସ୍ତାରେ ଓ ସପିଂ କମ୍ପ୍ଲେକ୍ସରେ ପାର୍କଙ୍ଗ ଓ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ଏପରି ସ୍ଥିତିରେ ଏ ଫାଇନ ବ୍ୟବସ୍ଥା ଏକ ଅତ୍ୟାଚାର । ପୋଲିସ ଲୋକଙ୍କୁ ବୁଝାଇ ସୁଝାଇ କାମ କରୁ । ଲୋକେ ବି ନିୟମ ମାନି ଚ଼ାଲନ୍ତୁ,’’ କହିଛନ୍ତି ରାଉତରାୟ ।

ଟ୍ରାଫିକ୍‌ ଫାଇନ ଓ ଗାଡ଼ି ଜବତ କରିବା ବନ୍ଦ କରିବାକୁ ସରକାରଙ୍କୁ ଚ଼େତାବନୀ ଦେଇ କଂଗ୍ରେସ କହିଛି ତାହା ନ ହେଲେ କମିଶନରେଟ ପୋଲିସ ଅଫିସ ଓ ରାଜ୍ୟବ୍ୟାପି ଆର.ଟି.ଓ. ଅଫିସ ଘେରାଓ କରିବାକୁ ଦଳ ବାଧ୍ୟ ହେବ ।
First published: March 2, 2020, 11:49 PM IST
corona virus btn
corona virus btn
Loading