ଶାନ୍ତିର ନାହିଁ ଅନ୍ୟ ବିକଳ୍ପ: ସବୁ ସ୍ତରରେ ରହିଛି ଏହାର ସ୍ୱତନ୍ତ୍ର ମୂଲ୍ୟ: CM ନବୀନ ପଟ୍ଟନାୟକ

ବିଶ୍ବ ଐତିହ୍ୟ ଧଉଳି ଶାନ୍ତିସ୍ତୁପକୁ ପୂରିଛି ୫୦ବର୍ଷ । ଏହି ଅବସରରେ ଆୟୋଜିତ ହୋଇଛି ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ।

ଶାନ୍ତି ସ୍ତୁପକୁ ୫୦ ବର୍ଷ ପୂରଣ ହୋଇଛି (ପ୍ରତୀକାତ୍ମକ ଛବି)

ଶାନ୍ତି ସ୍ତୁପକୁ ୫୦ ବର୍ଷ ପୂରଣ ହୋଇଛି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରକ୍ତରଞ୍ଜିତ କଳିଙ୍ଗ ଯୁଦ୍ଧର ମୁକ ସାକ୍ଷୀ ଧଉଳି। ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା ଦୟା ନଦୀ। ଦୟା ନଦୀ ଓ ଧଉଳି ପାହାଡ ଉପରେ ପ୍ରତିଷ୍ଠା ହୋଇଛି ଶାନ୍ତିର ପ୍ରତୀକ ତଥା ବିଶ୍ବ ଐତିହ୍ୟ ଧଉଳି ଶାନ୍ତିସ୍ତୁପ। ଯାହାକୁ ପୁରିଛି ୫୦ବର୍ଷ । ଏହି ଅବସରରେ ଆୟୋଜିତ ହୋଇଛି ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ। ଯାହାକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍ସବରେ ସାମିଲ ହୋଇଥିଲେ ଦେଶବିଦେଶରୁ ଶତାଧିକ ବୌଦ୍ଧ ସାଧୁସନ୍ଥ।

ଶାନ୍ତିର ନାହିଁ କୌଣସି ବିକଳ୍ପ। ସବୁ ସ୍ତରରେ ଏହାର ରହିଛି ସ୍ବତନ୍ତ୍ର ମୂଲ୍ୟ। ଆସନ୍ତୁ ସମସ୍ତେ ମିଶି ଭବିଷ୍ୟତ ପିଢୀଙ୍କ ଲାଗି ଏକ ସୁରକ୍ଷିତ ବିଶ୍ବ ଗଠନ କରିବା । ଧଉଳିସ୍ତୁପର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଦୟା ନଦୀ କୁଳରେ ରକ୍ତ ରଞ୍ଜିତ ଯୁଦ୍ଧ ଓ ତାହା ପରେ ଶାନ୍ତି ଧଉଳି ଇତିହାସକୁ ସ୍ମରଣ କରୁଛି। ଧଉଳି ଭଳି ବୀରଭୁମି ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା। ଶାନ୍ତିସ୍ତୁପ ଆଧୁନିକ ସ୍ଥାପତ୍ୟର ଅନବଦ୍ୟ ସୃଷ୍ଟି ଓ ଏହା ଭାରତ ଓ ଜାପାନ ମଧ୍ୟରେ ଥିବା ବନ୍ଧୁତାର ମୁକସାକ୍ଷୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଧଉଳି ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ୨୧୩ କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାର କରିଛନ୍ତି । ଖୁବଶୀଘ୍ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଧଉଳିରେ ରୋପ-ଓ୍ବେ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

୧୯୭୨ମସିହାରେ ଜାପାନର ଫୁଜି ବୌଦ୍ଧ ଗୁରୁଙ୍କ ଶିଷ୍ୟଙ୍କ ଦ୍ବାରା ନିର୍ମାଣ ହୋଇଥିଲା ଧଉଳି ଶାନ୍ତିସ୍ତୁପ। ଇତି ମଧ୍ୟରେ ଶାନ୍ତିସ୍ତୁପକୁ ବିତିଯାଇଛି ଦୀର୍ଘ ୫୦ବର୍ଷ । ରାଜ୍ୟ ସରକାରଙ୍କ ସହଯୋଗ ଓ ଆର୍ଥିକ ଅନୁଦାନ ଫଳରେ ଶାନ୍ତିସ୍ତୁପକୁ ମିଳିପାରିଛି ନୂଆରୂପ। ଯେଉଁଥିପାଇଁ ସମସ୍ତେ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରସଂଶା କରିଛନ୍ତି।।ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଜାପାନ, ଆମେରିକା, କାଜାକିସ୍ଥାନ, ଶ୍ରୀଲଙ୍କା, ଚୀନ୍ ଓ ୟୁକ୍ରେନ୍ ଆଦି ବିଭିନ୍ନ ଦେଶରୁ ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ ସାମିଲ ହୋଇଥିଲା। ବୌଦ୍ଧ ଧର୍ମର ଲୋଟସ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ। ଧଉଳି ଶାନ୍ତିସ୍ତୁପ ବିଶ୍ବ ଐତିହ୍ୟର ମାନ୍ୟତା ପାଇବା ସହ ସମଗ୍ର ବିଶ୍ବ ପାଇଁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବହନ କରୁଥିବା କହିଛନ୍ତି ଦେଶ ବିଦେଶରୁ ଆସିଥିବା ବୌଦ୍ଧ ସନ୍ୟାସୀ ।

ପିସ୍ ପାଗୋଡା ବା ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଉପରେ ରହିଛି ରାଜ୍ୟ ସରକାରଙ୍କ ନଜର । ଏହା ବିଶ୍ବସ୍ତରରେ ମାନ୍ୟତା ପାଇଥିବାରୁ ଏହା ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ । ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଏହାର ନବୀକରଣ ଓ ମରାମତି କରାଯାଇଥିବା ବେଳେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଲିଫ୍ଟର ବ୍ୟବସ୍ଥା କରାଯାଇଛି । ଦୀର୍ଘ ଦିନ ଧରି ବନ୍ଦ ଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଆଜି ଠାରୁ ପୁଣି ଆରମ୍ଭ କରାଯାଉଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ। ସେପଟେ ଶାନ୍ତିସ୍ତୁପର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ସମ୍ପନ୍ନ ହୋଇଛି । ଏହାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି ଓ ସେଗୁଡିକୁ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।
Published by:Soumya Das
First published: